ବର୍ଷାରେ ଖରିଫ ଧାନଚାଷ ବ୍ୟାପକ କ୍ଷତି

ଜଳେଶ୍ୱର, ୧୨ା୧୦(ରବିନାରାୟଣ ପାତ୍ର) ଗତ କିଛିଦିନ ତଳେ ଲଘୁଚାପଜନିତ ବର୍ଷାରେ ବାଲେଶ୍ୱର ଜିଲା ଜଳେଶ୍ୱର ବ୍ଲକ ଅଞ୍ଚଳର ୧୧୫୭ ହେକ୍ଟର ଜମି ବୁଡ଼ିରହିଥିଲା। କ୍ଷୟକ୍ଷତି ଆକଳନ ଚାଲିଥିବା ବେଳେ ବହୁ ସ୍ଥାନରୁ ଚାଷ ନଷ୍ଟ ହୋଇଥିବା ଅଭିଯୋଗ ହୋଇଛି। ବର୍ଷା ପରେ ବିଭିନ୍ନ ସ୍ଥାନରେ ଲିଭ ଫୋଲଡର, ମୂଳପଚା, କାଣ୍ଡବିନ୍ଧା ପୋକ ଆଦି ବ୍ୟାପକ ଭାବେ ମାଡୁଥିବାରୁ ଧାନଚାଷ ପ୍ରଭାବିତ ହେବ ବୋଲି କୁହାଯାଇଛି।
ଜଳେଶ୍ୱର ବ୍ଲକରେ ମୋଟ ୨୩ହଜାର ହେକ୍ଟର ଜମିରେ ଖରିଫ ଧାନଚାଷ ହୋଇଥାଏ। ସେଥିରୁ ପ୍ରାୟ ୨୦ହଜାର ହେକ୍ଟର ଜମିରେ ଧାନ ଓ ୩ ହଜାର ହେକ୍ଟର ଜମିରେ ପରିବା ଚାଷ ହୋଇଥାଏ। ଚଳିତବର୍ଷ ୧୯୮୫୫ ହେକ୍ଟର ଜମି ରୁଆପୋତା ହୋଇଥିବା ବେଳେ ପ୍ରାୟ ୫ଶହ ହେକ୍ଟର ଜମି ବର୍ଷା ଅଭାବରୁ ରୁଆପୋତା ହୋଇପାରି ନ ଥିଲା। ଜୁଲାଇ, ଅଗଷ୍ଟରେ କମ୍‌ ବର୍ଷା ହୋଇଥିବାରୁ ଚଳିତବର୍ଷ ଚାଷ ପ୍ରଭାବିତ ହେବା ଆଶଙ୍କା  ଦେଖାଦେଇଥିଲା। ଅକ୍ଟୋବର ପ୍ରଥମ ସପ୍ତାହରେ ମାତ୍ର ୨୪ଘଣ୍ଟାରେ ୨୨୭ ମି.ମି. ବର୍ଷା ହେବାରୁ ବନ୍ୟା ପରିସ୍ଥିତ ସୃଷ୍ଟି ହୋଇଥିଲା। ପଶ୍ଚିମବଙ୍ଗର ଉଦ୍‌ବୃତ୍ତ ବର୍ଷାପାଣି ଓ ସୁବର୍ଣ୍ଣରେଖା ନଦୀରେ ବନ୍ୟା ଦେଖାଦେବାରୁ ଜଳେଶ୍ୱରର ବିଭିନ୍ନ ଅଞ୍ଚଳ ୪ଦିନ ଧରି ବୁଡ଼ିରହିଥିଲା। ରାଜସ୍ବ ନିରୀକ୍ଷକ, କୃଷି କର୍ମଚାରୀ ଓ ପରିସଂଖ୍ୟାନ ବିଭାଗ କର୍ମଚାରୀମାନେ ଅଦ୍ୟାବଧି କ୍ଷୟକ୍ଷତି ଆକଳନ କରୁଛନ୍ତି ବୋଲି ଗୋଷ୍ଠୀ କୃଷି ଅଧିକାରୀ ରାଜଲକ୍ଷ୍ମୀ ମହାନ୍ତି କହିଛନ୍ତି। କିନ୍ତୁ ୧୧୫୭ ପରିବର୍ତ୍ତେ ଏହାର ପରିମାଣ ଅଧିକ ହେବ ବୋଲି ଦାବି ହୋଇଛି।ଏପରିକି ପରିବା ଚାଷରେ ମଧ୍ୟ ବ୍ୟାପକ କ୍ଷତି ହୋଇଛି। ବର୍ଷାବେଳେ ନେତୁଆ, ସମ୍ପତ୍ତିଆ, ନାମ୍ପୋ, ଆରୁହା, ଖାଲିନା, ବାଇଗଣବାଡିଆ, ପଶ୍ଚିମବାର୍ଡ, ରାୟାଁରାମଚନ୍ଦ୍ରପୁର, ଖୁଲୁଡା, ବର୍ତ୍ତନା, ପଞ୍ଚାୟତର ବହୁ ଲୋକେ ଘରଦ୍ୱାର ଛାଡି ଅନ୍ୟତ୍ର ଆଶ୍ରୟ ନେଇଥିବା ସମ୍ପର୍କରେ ବ୍ଲକ ଅଧ୍ୟକ୍ଷ ମାନସ ଜେନା କହିଛନ୍ତି। ବର୍ଷା ଛାଡିଲାଣି କିନ୍ତୁ ଏବେ ପାଣିରେ ବୁଡିଥିବା ଧାନଗଛ ଆସ୍ତେ ଆସ୍ତେ ନଷ୍ଟ ହେଉଛି। ବ୍ୟାପକ ମୂଳପଚା, ଲିଭ ଫୋଲଡର, କାଣ୍ଡବିନ୍ଧା ଆଦି ବିଭିନ୍ନ ରୋଗପୋକଙ୍କ  ପ୍ରାଦୁର୍ଭାବ ବଢିଚାଲିଛି। ଏ ସମ୍ପର୍କରେ କୃଷି ଅଧିକାରୀ ରାଜଲକ୍ଷ୍ମୀ ମହାନ୍ତିଙ୍କୁ ପଚାରିବାରୁ ଜମିରେ ଚାଷୀମାନେ କରାଟେ, କାଲଡାନ, ଜୋସ୍‌, ରିଜେକ୍ଟ, ସେନିକ୍‌ଫ୍ଲୋ, କରାଗନ, ଅବଟାସ୍‌, ବିଲୋ ଓ ବିନାସକ ନାମକ ଔଷଧ ସିଞ୍ଚନ ଲାଗି ପରାମର୍ଶ ଦେଇଛନ୍ତି। ଏପରି ସ୍ଥିତିରେ ରୋଗପୋକ ଦମନ ଲାଗି କୀଟନାଶକ ଯୋଗାଇ ଦେବାକୁ ଦାବି ହୋଇଛି।