ନୂଆଦିଲ୍ଲୀ,୧୭।୯: କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେ ରବିବାର ଦଳର ନେତାଙ୍କୁ ଅନୁଶାସନ ଏବଂ ଏକତା ପାଇଁ ଆହ୍ବାନ ଦେଇଛନ୍ତି। ବ୍ୟକ୍ତିଗତ ମତଭେଦଠାରୁ ଦୂରରେ ରହି କଂଗ୍ରେସର ସଫଳତାକୁ ପ୍ରାଧାନ୍ୟ ଦେବାକୁ ଏବଂ ଦଳର କିଛି କ୍ଷତି ନ କରିବାକୁ ସେ କହିଛନ୍ତି।
ସିଡବ୍ଲ୍ୟୁସି ବୈଠକରେ ଖାର୍ଗେ କଂଗ୍ରେସ ନେତାମାନଙ୍କୁ ଆଗାମୀ ନିର୍ବାଚନ ପାଇଁ ପ୍ରସ୍ତୁତ ହେବାକୁ ନିବେଦନ କରିଛନ୍ତି। ସେ କହିଛନ୍ତି, ଦେଶରେ ପରିବର୍ତ୍ତନ ହେବାର ସଙ୍କେତ ରହିଛି। କର୍ନାଟକ ଏବଂ ହିମାଚଳ ପ୍ରଦେଶର ବିଧାନସଭା ନିର୍ବାଚନର ଫଳାଫଳ ଏହାର ପ୍ରମାଣ। ଏବେ ଆରାମରେ ବସିବାର ସମୟ ନୁହେଁ। ଦିନରାତି ଆମକୁ କଠିନ ପରିଶ୍ରମ କରିବାକୁ ପଡିବ। ଆମ ସମସ୍ତଙ୍କ ଜୀବନରେ ଉତ୍ଥାନ-ପତନ ଘଟିଛି, କିନ୍ତୁ ଆମେ ସବୁବେଳେ ଶୃଙ୍ଖଳିତ ରହିବା ଉଚିତ୍। ମନେରଖନ୍ତୁ ଯେ ଅହଙ୍କାର କିମ୍ବା ପ୍ରଶଂସା ପାଇଁ ଆମେ କିଛି କରିବା ଉଚିତ୍ ନୁହେଁ, ଯାହା ଦଳ ପାଇଁ କ୍ଷତି ଘଟାଇବ। ଶୃଙ୍ଖଳା ବିନା କେହି ନେତା ହୁଅନ୍ତି ନାହିଁ। ଆମେ ନିଜକୁ ଶୃଙ୍ଖଳିତ ରଖିଲେ ଲୋକମାନେ ଆମକୁ ଅନୁସରଣ କରିବେ ଏବଂ ଆମ କଥା ଶୁଣିବେ। ୧୯୫୩ରେ ହାଇଦ୍ରାବାଦରେ ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହରଲାଲ ନେହେରୁ ଦେଇଥିବା ବିବୃତ୍ତିକୁ ଖାର୍ଗେ ଉଲ୍ଲେଖ କରିଛନ୍ତି, ଯେଉଁଥିରେ ସେ ଅନୁଶାସନ ଉପରେ ଗୁରୁତ୍ୱାରୋପ କରିଥିଲେ।


