ଦୀପାବଳିରେ ଏଭଳି ବୟାନ ଦେଇ ବିବାଦରେ ଖାର୍ଗେ, ଘେରିଲା ଭାଜପା

ନୂଆଦିଲ୍ଲୀ,୯।୧୧: ସାରା ଦେଶରେ ରବିବାର ଧୁମ୍‌ଧାମ୍‌ରେ ପାଳିତ ହୋଇଛି ଆଲୋକର ପର୍ବ ଦୀପାବଳି । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ଦେଶବାସୀଙ୍କୁ ଦୀପାବଳିର ଶୁଭେଚ୍ଛା ଜଣାଇଛନ୍ତି । ତେବେ ଏହି ଅବସରରେ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖାର୍ଗେଙ୍କ ଏକ ବୟାନକୁ ନେଇ ରାଜନୈତିକ ବିବାଦ ଦେଖାଦେଇଛି । ଦୀପାବଳିକୁ ସେ ‘ଖୁସିର ଏକ ଇଦ୍‌’ ବୋଲି କହିବା ପରେ ଭାଜପା ଟାର୍ଗେଟ୍‌ କରିଛି । ଏହି ବୟାନକୁ ସନାତନ ବିରୋଧୀ ବୋଲି ଅଭିହିତ କରିଛି ଭାଜପା।

ଦୀପାବଳି ଅବସରରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇ ଖାର୍ଗେ କହିଥିଲେ, “ସମସ୍ତଙ୍କୁ ଦୀପାବଳିର ଶୁଭକାମନା ଜଣାଉଛି। ଏହା ଆମ ଭାରତର ଏକ ବଡ଼ ପର୍ବ, ଯାହାକୁ ସମସ୍ତେ ପାଳନ କରନ୍ତି। ଏହାର କାରଣ ହେଉଛି, ଏହା ଖୁସିର ଏକ ଇଦ୍‌ । ଦୀର୍ଘ ସମୟ ଧରି ଚାଲୁଥିବା ଏହା ଏକ ଇଦ୍‌ । ଲୋକଙ୍କୁ ସୁଖଶାନ୍ତିରେ ରହିବା ଏବଂ ନିଜ ପରିଜନଙ୍କୁ ଭେଟିବା ପାଇଁ ଏହା ଏକ ଭଲ ପର୍ବ । ମୁଁ ଦେଶର ସମସ୍ତ ଲୋକଙ୍କୁ ଶୁଭେଚ୍ଛା ଜଣାଉଛି।”

ଖାର୍ଗେଙ୍କ ବୟାନକୁ ନେଇ ଭାଜପା ତୀବ୍ର ପ୍ରତିକ୍ରିୟା ଦେଇଛି । ଭାଜପା ମୁଖପାତ୍ର ପ୍ରଦୀପ ଭଣ୍ଡାରୀ କଂଗ୍ରେସ ଉପରେ ଭୋଟ୍‌ ବ୍ୟାଙ୍କ ରାଜନୀତି କରୁଥିବା ଅଭିଯୋଗ ଆଣିଛନ୍ତି । ସେ କହିଛନ୍ତି, “ଦୀପାବଳି ଭଳି ଅବସରରେ ମଧ୍ୟ କଂଗ୍ରେସ ଭୋଟ୍‌ ବ୍ୟାଙ୍କ ରାଜନୀତିକୁ ବାଛିଛି । କଂଗ୍ରେସ ସଭାପତି ଦୀପାବଳିକୁ ‘ଖୁସିର ଇଦ୍‌’ ବୋଲି କହିଛନ୍ତି । ମନେ ପକାନ୍ତୁ, ସୋନିଆ ଗାନ୍ଧୀ ‘ବାବ୍ରି’ ପାଇଁ କାନ୍ଦିଥିଲେ। ପୂର୍ବରୁ ସନାତନକୁ ‘ଡେଙ୍ଗୁ, ମ୍ୟାଲେରିଆ ଓ ଏଡ୍‌ସ’ କୁହାଯିବା ବେଳେ କଂଗ୍ରେସ ନିରବ ରହିଥିଲା। ଗାନ୍ଧୀ-ଭଦ୍ରା ପରିବାରର ନେତୃତ୍ୱରେ କଂଗ୍ରେସର ନୀତି ସନାତନ ଓ ହିନ୍ଦୁ ବିରୋଧୀ।”

 

Dharitri – Odisha’s No.1 Odia Daily

Share