ବ୍ରହ୍ମପୁର ବିଶ୍ୱବିଦ୍ୟାଳୟରେ ମିଶିବ ଖଲ୍ଲିକୋଟ କ୍ଲଷ୍ଟର ବିଶ୍ୱବିଦ୍ୟାଳୟ

ଭୁବନେଶ୍ୱର, ୧୯।୫(ବ୍ୟୁରୋ):ଅସ୍ତିତ୍ୱ ହରାଇବ ଖଲ୍ଲିକୋଟ କ୍ଲଷ୍ଟର ବିଶ୍ୱବିଦ୍ୟାଳୟ। ଆସନ୍ତା ସେପ୍ଟେମ୍ବର ୧ରୁ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟରେ ମିଶିଯିବ ଏହି ପ୍ରମୁଖ ଉଚ୍ଚ ଶିକ୍ଷାନୁଷ୍ଠାନ। ଖଲ୍ଲିକୋଟ ବିଶ୍ୱବିଦ୍ୟାଳୟ ମିଶ୍ରଣ ନେଇ ମଙ୍ଗଳବାର ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଏକ ବିଜ୍ଞପ୍ତି ପ୍ରକାଶ ପାଇଛି। ଏହା ଏକକ ବିଶ୍ୱବିଦ୍ୟାଳୟ ହେବାପରେ କ୍ଲଷ୍ଟର ବିଶ୍ୱବିଦ୍ୟାଳୟର ଆବଶ୍ୟକତା ନ ଥିବା ଦର୍ଶାଇ ଉଚ୍ଚଶିକ୍ଷା ବିଭାଗ ଏପରି ନିଷ୍ପତ୍ତି ନେଇଥିବା ବିଜ୍ଞପ୍ତିରେ ଉଲ୍ଲେଖ କରିଛି।
ଉକ୍ତ ବିଜ୍ଞପ୍ତି ଅନୁସାରେ, ଅଗଷ୍ଟ ୩୦ ପରେ ଖଲ୍ଲିକୋଟ ବିଶ୍ୱବିଦ୍ୟାଳୟକୁ ବନ୍ଦ କରିଦିଆଯିବ। ଏହାର ସମସ୍ତ ରେଗୁଲାର କର୍ମଚାରୀ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ରେଗୁଲାର କର୍ମଚାରୀ ଭାବେ କାର୍ଯ୍ୟ କରିବେ। ସେମାନେ ଅକ୍ଟୋବର ୧ରୁ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟରୁ ଦରମା ଉଠାଇବେ। ସମସ୍ତ ଅସ୍ଥାବର ସମ୍ପତ୍ତି ଅଗଷ୍ଟ ୯ ସୁଦ୍ଧା ବ୍ରହ୍ମପୁର ବିଶ୍ୱବିଦ୍ୟାଳୟକୁ ହସ୍ତାନ୍ତର କରାଯିବ। ଖଲ୍ଲିକୋଟ ବିଶ୍ୱବିଦ୍ୟାଳୟ ପାଇଁ ଚିହ୍ନଟ ସରକାରୀ ଜମିକୁ ଜିଲା ରାଜସ୍ବ କର୍ତ୍ତୃପକ୍ଷଙ୍କୁ ହସ୍ତାନ୍ତର କରାଯାଇଛି। ଅଗଷ୍ଟ ୩୦ ସୁଦ୍ଧା ଖଲ୍ଲିକୋଟ ବିଶ୍ୱବିଦ୍ୟାଳୟ ସମସ୍ତ ଯୁଜି ଓ ପିଜି ପରୀକ୍ଷା କରିବା ସହିତ ଫଳାଫଳ ପ୍ରକାଶ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏହାପରେ ଆପେ ପିଲାମାନେ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟକୁ ସ୍ଥାନାନ୍ତର ହୋଇଯିବେ। ଅଗଷ୍ଟ ୩୦ ପରେ ଖଲ୍ଳିକୋଟ ବିଶ୍ୱବିଦ୍ୟାଳୟରେ ଯେଉଁ ଛାତ୍ରୀଛାତ୍ର ଗବେଷଣା କରୁଥିଲେ ସେମାନେ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟକୁ ପ୍ରି-ଡକ୍ଟରାଲ କ୍ରେଡିଟ୍‌ ସହ ସ୍ଥାନାନ୍ତର ହେବେ। ସେହିପରି ଗବେଷଣା ପାଇଁ ଅନୁମୋଦନ ହୋଇଥିବା ଫଣ୍ଡ୍‌ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟକୁ ସ୍ଥାନାନ୍ତର ହେବ। ଖଲ୍ଲିକୋଟ ବିଶ୍ୱବିଦ୍ୟାଳୟ ରେଜିଷ୍ଟ୍ରାର ସମସ୍ତ ଅଫିସିଆଲ୍‌ ଫାଇଲ/ରେକର୍ଡସ/ଡକ୍ୟୁମେଣ୍ଟସ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ରେଜିଷ୍ଟ୍ରାରଙ୍କୁ ହସ୍ତାନ୍ତର କରିବେ।
ସେପଟେ ଖଲ୍ଲିକୋଟ ବିଶ୍ୱବିଦ୍ୟାଳୟରେ କମ୍ପଟ୍ରୋଲର ଅଫ୍‌ ଫାଇନାନ୍ସ(ସିଓଏଫ୍‌) ମିନତୀ ସାହୁଙ୍କୁ ବ୍ରହ୍ମପୁର ଏମ୍‌କେସିଜି ହସ୍ପିଟାଲକୁ ବଦଳି କରାଯାଇଛି। ବିଶ୍ୱବିଦ୍ୟାଳୟ ମିଶ୍ରଣ ପ୍ରକ୍ରିୟାକୁ ସୁରୁଖୁରୁରେ କରିବା ପାଇଁ ତାଙ୍କୁ ଅଗଷ୍ଟ ୩୦ ତାରିଖ ପର୍ଯ୍ୟନ୍ତ ଖଲ୍ଲିକୋଟ ବିଶ୍ୱବିଦ୍ୟାଳୟରେ ସିଓଏଫ୍‌ ଭାବେ କାର୍ଯ୍ୟ କରିବାକୁ ଅନୁମତି ଦେବାକୁ ଉଚ୍ଚଶିକ୍ଷା ବିଭାଗ ପ୍ରମୁଖ ଶାସନ ସଚିବ ଶାଶ୍ୱତ ମିଶ୍ର ଅର୍ଥ ବିଭାଗକୁ ଚିଠି ଲେଖିଛନ୍ତି। ସୂଚନାଯୋଗ୍ୟ, ଖଲ୍ଲିକୋଟ ସ୍ବୟଂଶାସିତ ମହାବିଦ୍ୟାଳୟ ପ୍ରଥମେ କ୍ଲଷ୍ଟର ବିଶ୍ୱବିଦ୍ୟାଳୟ ଓ ପରେ ଏକକ ବିଶ୍ୱବିଦ୍ୟାଳୟର ମାନ୍ୟତା ପାଇଥିଲା।