ନୂଆପଡ଼ା,୧୨ା୯ (ମକାରୁ ବେମାଲ):ବହୁଳ ପ୍ଲାଷ୍ଟିକ ବ୍ୟବହାର ଯୋଗୁ ପରିବେଶ ପ୍ରଦୂଷଣ ବୃଦ୍ଧି ପାଇବାରେ ଲାଗିଛି। ଏହାକୁ ରୋକିବା ପାଇଁ ନୂଆପଡ଼ା ଜିଲା ପ୍ରଶାସନ ପକ୍ଷରୁ ଏକକ ବ୍ୟବହାର ପ୍ଲାଷ୍ଟିକମୁକ୍ତ ଅଭିଯାନ ଜାରି ରହିଛି। ଲୋକେ ସଚେତନ ହୋଇ ପ୍ଲାଷ୍ଟିକ ବର୍ଜନ କରିବାରେ ଲାଗିଛନ୍ତି। ଏପରି ସମୟରେ ପତ୍ରରେ ତିଆରି ଖଲିଦନାର ଚାହିଦା ବଢିବାରେ ଲାଗିଛି। ଆଉ ଏହାକୁ ବୃତ୍ତି ଭାବରେ ଗ୍ରହଣ କରିଛନ୍ତି ମହିଳାମାନେ। ଏହା ସେମାନଙ୍କୁ ସ୍ବାବଲମ୍ବୀ ହେବାର ବାଟ ଦେଖାଇଛି। ନୂଆପଡା ସଦର ବ୍ଲକ ଦର୍ଲିମୁଣ୍ଡା ଗଁାର ଗଙ୍ଗା ପ୍ରଡ୍ୟୁସର ଗ୍ରୁପରେ ଅଛନ୍ତି ମୋଟ ୩୦ ଜଣ ମହିଳା। ସେମାନେ ଜଙ୍ଗଲରୁ ଶାଳପତ୍ର ସଂଗ୍ରହ କରି ଖଲିଦନା ତିଆରି କରୁଛନ୍ତି। ଏହା ଦ୍ୱାରା ମହିଳାମାନେ ନିଜ ପାଇଁ ରୋଜଗାରର ବାଟ ଖୋଲିଛନ୍ତି। ପୂର୍ବରୁ ହାତରେ ଖଲିଦନା ତିଆରି କରୁଥିବା ମହିଳାଙ୍କୁ ଏବେ ମିଳିଛି ମେଶିନ। ନୂଆପଡା ଓର୍ମାସ ପକ୍ଷରୁ ଯୋଗାଇ ଦିଆଯାଇଥିବା ସ୍ବୟଂଚାଳିତ ମେଶିନ ସାହାଯ୍ୟରେ ଅଧିକ ପରିମାଣରେ ଖଲିଦନା ତିଆରି ହେଉଛି। ବିଭିନ୍ନ ପର୍ବପର୍ବାଣୀ, ସଭାସମିତି, ଏକୋଶିଆ, ବିବାହ, ସରକାରୀ କାର୍ଯ୍ୟକ୍ରମଠାରୁ ଆରମ୍ଭ କରି ହୋଟେଲ ଓ ହୋଲସେଲର ଦୋକାନ ପର୍ଯ୍ୟନ୍ତ ଯୋଗାଣ ହେଉଛି ଏହି ପରିବେଶ ଅନୁକୂଳ ଖଲିଦନା ା ବିକ୍ରିରୁ ଯାହା ଲାଭ ମିଳୁଛି ସେଥିରେ ମହିଳାଙ୍କ ଆତ୍ମବିଶ୍ୱାସ ବଢୁଥିବା ଦେଖାଯାଉଛି। ଏହି ବୃତ୍ତିକରି ଜଣେ ମହିଳା ମାସକୁ ୧୦ହଜାରରୁ ଊର୍ଦ୍ଧ୍ୱ ଆୟ କରୁଥିବା ଜଣାପଡିଛି। ଗୋଟିଏ ପଟେ ଜିଲାକୁ ଏକକ ବ୍ୟବହାର ପ୍ଲାଷିକମୁକ୍ତ କରିବା ଦିଗରେ ଜିଲା ପ୍ରଶାସନର ପ୍ରୟାସ ଜାରି ରହିଥିବାବେଳେ ଏହାର ପ୍ରତିଫଳନ ଏବେ ବିଭିନ୍ନ କାର୍ଯ୍ୟକ୍ରମ ଓ ସାମାଜିକ ସ୍ତରରେ ଦେଖିବାକୁ ମିଳୁଛି। ପତ୍ରରୁ ତିଆରି ଖଲିଦନା ପରିବେଶ ପାଇଁ ଅନୁକୂଳ ହୋଇଥିବା ବେଳେ ମହିଳାଙ୍କ ପାଇଁ ପାଲଟିଛି ଆୟର ମାଧ୍ୟମ। ୩୦ ଜଣ ମହିଳା ଏକାଠି ହୋଇ ନିଜ ହାତରେ ଗଢୁଛନ୍ତି ନିଜ ଭବିଷ୍ୟତ। ଅନ୍ୟ ଉପରେ ନିର୍ଭର ନ କରି ନିଜେ ରୋଜଗାର କରି ସ୍ବାବଲମ୍ବୀ ହେବାକୁ ଲକ୍ଷ ରଖିଛନ୍ତି ା ପ୍ରକୃତିରୁ ମିଳୁଥିବା ସମ୍ପଦକୁ ନେଇ ରୋଜଗାରର ରାସ୍ତା ଖୋଜିଥିବା ଏହି ମହିଳାଙ୍କ ପ୍ରୟାସ ନିଶ୍ଚିତ ଭାବେ ଆନ୍ୟମାନଙ୍କ ପାଇଁ ପ୍ରେରଣା ା ଏ ସଂକ୍ରାନ୍ତରେ ଜିଲାପାଳ ମଧୁସୂଦନ ଦାଶଙ୍କୁ ପଚାରିବାରୁ ନୂଆପଡାକୁ ଏକକ ବ୍ୟବହାର ପ୍ଲାଷ୍ଟିକମୁକ୍ତ ଜିଲା ଗଠନ କରିବା ପାଇଁ ପ୍ରୟାସ ଜାରି ରହିଛି। ଏ ଦିଗରେ ଆମକୁ ସହଯୋଗର ହାତ ବଢାଇଛନ୍ତି ମହିଳାମାନେ। ସେମାନଙ୍କ ଦ୍ୱାରା ପତ୍ରରେ ପ୍ରସ୍ତୁତ ଖଲିଦନା ପ୍ଲାଷ୍ଟିକମୁକ୍ତ ଜିଲା ଗଠନରେ ସହାୟକ ହେବ ବୋଲି ସେ କହିଛନ୍ତି ା
Dharitri – Odisha’s No.1 Odia Daily

