ଝରିଗାଁ,୨୧ା୬(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ବ୍ଲକରେ ପ୍ରଶାସନ ପକ୍ଷରୁ ବିଭିନ୍ନ ଧାନ ମଣ୍ଡିରେ ଖାଲାସିମାନେ ଧାନ ଓଜନ କରିଥିବା ବେଳେ ଦୁଇବର୍ଷ ଧରି ଖଲାସିମାନଙ୍କ ଧାନ ଓଜନ ଟଙ୍କା ପାଇ ନ ଥିବା ଅଭିଯୋଗ ହୋଇଥିଲା। ଘଟଣା ନେଇ ଖଲାସିମାନେ ଝରିଗାଁ ବ୍ଲକ ଖଲାସିି ସଂଘ ସଭାପତି ସୂର୍ଯ୍ୟ ନାରାୟଣ ପଟ୍ଟନାୟକଙ୍କୁ ଲିଖିତ ଭାବେ ଜଣାଇଥିଲେ। ପଟ୍ଟନାୟକ ଘଟଣାକୁ ନେଇ ଝରିଗାଁ ଲ୍ୟାମ୍ପସ ପରିଚାଳନା ନିର୍ଦ୍ଦେଶକ ନରସିଂହ ଗୌଡ଼ଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଦୃଷ୍ଟି ଆକର୍ଷଣ କରିବାର କିଛି ଦିନ ପରେ ମଧ୍ୟ କୌଣସି ସୁଫଳ ମିଳି ନ ଥିଲା। ଶେଷରେ ରବିବାର ସଭାପତି ସୂର୍ଯ୍ୟନାରାୟଣ ପଟ୍ଟନାୟକ ଝରିଗାଁ ବ୍ଲକ ମାନ୍ୟଗଣ୍ୟ ବ୍ୟକ୍ତିମାନଙ୍କୁ ନେଇ ଏକ ବୈଠକ କରିଥିଲେ। ବୈଠକରେ ବିଭିନ୍ନ ବିଷୟ ସହ ଖଲାସିମାନଙ୍କ ଧାନ ଓଜନ ଟଙ୍କା ଦୁଇ ବର୍ଷର ପାଇ ନ ଥିବା ନେଇ ଅଭଯୋଗ ହୋଇଥିଲା। ବୈଠକରେ ଗୌଡ଼ ଖଲାସିମାନଙ୍କୁ ନୂତନ ଭାବେ କେସିସି ବ୍ୟାଙ୍କରେ ଖାତା ଖୋଲିବା ପାଇଁ କହିଥିଲେ। ଖଲାସିମାନଙ୍କ ନିକଟରେ ଆଗରୁ ବିଭିନ୍ନ ବ୍ୟାଙ୍କ ଆକାଉଣ୍ଟ ଥିବା ବେଳେ ନୂଆରେ କେସିସି ବ୍ୟାଙ୍କରେ ଆକାଉଣ୍ଟ ଖଳିବା ପାଇଁ ମନା କରିଥିଲେ। ଏପରିକି କିଛି ସମୟ ପାଇଁ ଯୁକ୍ତିତର୍କ ହୋଇଥିଲା। ଶେଷରେ ପୂର୍ବତନ ଏମ୍ପି ଭଗବାନ ମାଝୀ ପୁରଣା ଆକାଉଣ୍ଟରେ ଖଲାସିମାନଙ୍କ ଟଙ୍କା ପ୍ରଦାନ ନ କଲେ ଆନ୍ଦୋଳନ କରାଯିବ ବୋଲି ଚେତାବନୀ ଦେଇଥିଲେ। ଶେଷରେ ଲ୍ୟାମ୍ପସ ପରିଚାଳନା ନିର୍ଦ୍ଦେଶକ ପୁରଣା ଆକାଉଣ୍ଟରେ ଟଙ୍କା ପ୍ରଦାନ କରିଯିବ ବୋଲି ପ୍ରତିଶ୍ରୁତି ଦେବା ପରେ ଶାନ୍ତ ପଡ଼ିଥିଲା।
ଘଟଣା ନେଇ ପରିଚାଳନା ନିର୍ଦ୍ଦେଶକ ଗୌଡ଼ଙ୍କ ସହ ଯୋଗାଯୋଗ କରିବାରୁ ଖଲାସିମାନଙ୍କ ଧାନ ଓଜନ ଟଙ୍କା ଚଳିତ ବର୍ଷର ନିଜ ନିଜ ବ୍ୟାଙ୍କ ଆକାଉଣ୍ଟରେ ପ୍ରଦାନ କରାଯିବ ବୋଲି କହିବା ସହ ଗତବର୍ଷର ଟଙ୍କା କିଛ ଦିନ ପରେ ପର୍ଯ୍ୟାୟ କ୍ରମେ ଦିଆଯିବ ବୋଲି କହିଥିଲେ। ଉକ୍ତ ବୈଠକରେ ଝରିଗାଁ ଏମ୍ପି ପ୍ରତିନିଧି ଚନ୍ଦ୍ରଭାନୁ ନାୟକ, ବିଧାୟକ ପ୍ରତିନିଧି ଗଣପତି ସାହୁ, ଖଲାସି ଉପସଭାପତି ଗଜାନନ ବଂଶଲ, କୋଷାଧ୍ୟକ୍ଷ ଗୋବିନ୍ଦ ଗୌଡ଼, ବରିଷ୍ଠ ଚାଷୀ ନରସିଂହ ଦଳେଇ, ପ୍ରେମା ପାଣ୍ଡେ ପ୍ରମୁଖଙ୍କ ସହ ଖଲାସିମାନେ ଉପସ୍ଥିତ ଥିଲେ।