ପୁଷେ ଖଇ, ମାଘେ ଦହି

ଅଭିମନ୍ୟୁ ଧଳ

ଓଡ଼ିଆରେ ଲୋକ କଥାଟିଏ ଅଛି, ‘ପୁଷେ ଖଇ, ମାଘେ ଦହି, ଚଇତେ ନିମ ଚକୁଳିଖାଇ’। ପ୍ରକୃତି ତା’ର ସର୍ବଶ୍ରେଷ୍ଠ ସୃଷ୍ଟି ମଣିଷ ପାଇଁ ଛଅଋତୁ ବା ବାରମାସ ଲାଗି ନାନା ପ୍ରକାର ଖାଦ୍ୟ, ଫଳ, ପୁଷ୍ପ ଆଦି ଖଞ୍ଜେଇ ରଖିଛି; ଯାହା ଆମ ସ୍ବାସ୍ଥ୍ୟ ପାଇଁ ଅମୃତ ତୁଲ୍ୟ। ପୁଷମାସରେ ଖଇ ଖାଇବା ଶରୀରପକ୍ଷେ ହିତକର। ମୋଟାଧାନକୁ ଭଲ ଭାବରେ ଶୁଖାଇ, ଏହାକୁ ଭାଜିବା ପୂର୍ବଦିନ ରାତିରେ କାକରରେ ପକାଇ ଭାଜିଲେ ଖଇ ଭଲଭାବରେ ଫୁଟେ। ମାଟିଚୁଲିର ଦୁଇଝିଙ୍କା ମଝିରେ ମାଟିହାଣ୍ଡିକୁ ପ୍ରାୟ ୪୫ ଡିଗ୍ରୀରେ ଢଳେଇ ରଖି ସେଥିରେ ବାଲି ଦିଆଯାଇ ଉଷୁମ କରାଯାଏ। ମାଟିହାଣ୍ଡିର ମୁହଁ ଓ ଝିଙ୍କା ମଝିରେ ନିଆଁ ବାହାରି ନ ଆସିବା ପାଇଁ କିଛି ଚିକିଟା କାଦୁଅ ଅବା ଗୋବରମିଶା କାଦୁଅ ଦିଆଯାଇ ବନ୍ଧ କରାଯାଏ। ବାଲି ଗରମ ହେବା ପର୍ଯ୍ୟନ୍ତ ସେଥିରେ ପିଞ୍ଛ ବୁଲାଇ ଠିକ୍‌ ଗରମ ହୋଇଗଲେ ମା’ମାନେ ଧାନ ମୁଠାମୁଠା ପକାଇ ଖଇ ଭାଜିବା ଆରମ୍ଭ କରିଦିଅନ୍ତି। ଝରିବାଣ ଫୁଟିଲା ଭଳି ଧାନ ଏହା ଭିତରେ ଫୁଟିଗଲା ପରେ ପିଞ୍ଛ ସାହାଯ୍ୟରେ କୁଲାକୁ କାଢ଼ି ଦିଆଯାଏ। ଖଇଭଜା ସରିବା ପରେ ଏହାକୁ ଖଇଞ୍ଚତ୍ରେ ଚଲାଯାଇ ଧାନଚୋପା ବାହାର କରିଦିଆଯାଏ। ହିନ୍ଦୁମାନଙ୍କର ଅନେକ ମଙ୍ଗଳ କାର୍ଯ୍ୟରେ ଏହା ବ୍ୟବହାର କରାଯାଏ। ବିବାହ ସମୟରେ ଖଇର ବିଶେଷ ବ୍ୟବହାର ହୋଇଥାଏ। ଶୀତ ସମୟରେ ଏହି ଉଷୁମ ଖଇକୁ ପାଟିରେ ପକାଇଦେଲେ ଯେଭଳି ସ୍ବାଦ ଲାଗେ, ତାହା ଭାଷାରେ ବର୍ଣ୍ଣନା କରିହେବ ନାହିଁ। ଗୁଡ଼ ସହ ଏହା ପାଗ କରାଯାଇ ଉଖୁଡ଼ାର ରୂପନିଏ। ଉଭୟ ଗୁଡ଼ ଓ ଖଇ ଶୀତଳତାକାରକ ଓ ସୁପାଚ୍ୟ, ଏହା ସହଜରେ ହଜମ ହୋଇଯାଏ। ଶ୍ରୀଜଗନ୍ନାଥଙ୍କର ବଲ୍ଲଭ ଭୋଗ ତଥା ଅନ୍ୟାନ୍ୟ ନିଃସଙ୍କୁଡ଼ି ଭୋଗରେ ଏହାର ଉପସ୍ଥିତି ରହିଛି। ଏହି ସମୟରେ ଧନୁସଂକ୍ରାନ୍ତିରେ ଧନୁମୁଆଁ ପ୍ରତ୍ୟେକ ଓଡ଼ିଆ ବିଶେଷକରି ଚାଷୀ ପରିବାରମାନେ ଧାନଗଦା ଓ ମନ୍ଦିରରେ ଭୋଗ କରିଥାଆନ୍ତି। ଦୁତିଆଓଷା ଓ କୁମାରପୂର୍ଣ୍ଣିମାରେ ବିବାହିତା ଝିଅ ଘରକୁ ଉଖୁଡ଼ା ଭାର ଯିବା ଆମ ପରମ୍ପରାରେ ରହିଛି। ଗଣେଶ ପୂଜା ଓ ସରସ୍ବତୀଙ୍କ ପୂଜାରେ ଉଖୁଡ଼ାତାଟ ଏବେବି ବିଦ୍ୟାଳୟଗୁଡ଼ିକୁ ଗାଁ ଗହଳିରେ ବିଦ୍ୟାର୍ଥୀମାନେ ନେଇଥା’ନ୍ତି। ଶ୍ରୀଲିଙ୍ଗରାଜଙ୍କ କୋରାଖଇ ବିଶ୍ୱପ୍ରସିଦ୍ଧ। କେବଳ ପୁଷମାସ କାହିଁକି, ବର୍ଷର ସବୁଦିନିଆ ଏହି ଖାଦ୍ୟ ତା’ର ଅସ୍ତିତ୍ୱ ହରାଇଲାଣି। ଯେଉଁ ଉଖୁଡ଼ା ନାନା ମଙ୍ଗଳ କାମରେ ଲାଗୁଛି, ତାହା ଅଧିକାଂଶ କିଣିବାକୁ ପଡୁଛି। ଏବେକାର ବୋହୂମାନେ ଖଇ ଭାଜିବା ଓ ଉଖୁଡ଼ା କରିବା କାମ ପ୍ରାୟ ଜାଣିନାହାନ୍ତି କହିଲେ ଭୁଲ୍‌ ହେବନି।
ମାଘ ମାସରେ ଦହି ଖାଇବା ଉପରେ ବିଶେଷ ଗୁରୁତ୍ୱ ଦିଆଯାଉଥିଲେ ମଧ୍ୟ ଏହା ସବୁଦିନିଆ ଖାଦ୍ୟ। ବସାଦହି ଓ ଘୋଳଦହି ମୁଖ୍ୟତଃ ଦୁଇ ପ୍ରକାରର। ବସାଦହି ଦୁଗ୍ଧର ଏକ ବିକାର ଓ ସେଥିରେ ଲହୁଣି ଥାଏ। ତାହାକୁ ମନ୍ଥନ କରି ସେଥିରୁ ଲହୁଣି ବାହାର କରିଦେଲେ ତାହା ଘୋଳଦହି ହୁଏ। ଏହି ଦହି କଥା ପଡ଼ିଲେ ମନେପଡ଼େ ଦ୍ୱାପର ଯୁଗରେ ମା’ ଯଶୋଦାଙ୍କ ଲବଣିକୁ ଲୁଚାଇ ଖାଇବା ପାଇଁ କୃଷ୍ଣ କିପରି ଫନ୍ଦି କରନ୍ତି। ଗୋପାଙ୍ଗନାଙ୍କ ଦହିହାଣ୍ଡିରୁ ନାନା କୌଶଳରେ ଦହି ଖାଇବା ଲାଗି ସାଙ୍ଗମାନଙ୍କ ସହିତ ମିଶି କିପରି ଦୁଷ୍ଟାମି କରି ଧରାପଡ଼ିଥା’ନ୍ତି। ପ୍ରତାପରୁଦ୍ରଙ୍କ କାଞ୍ଚତ୍ ଅଭିଯାନ ସମୟରେ ବଳଭଦ୍ର ଓ ଜଗନ୍ନାଥ କଳାଧଳା ଘୋଡ଼ାରେ ଚଢ଼ି ରାଜାଙ୍କର ସମ୍ମାନ ରକ୍ଷା କରିବାକୁ ଯାଇ ତୃଷାର୍ତ୍ତ ଦୁଇଭାଇ ମାଣିକ ଗଉଡୁଣୀ ପାଖରୁ ଦହି ପିଇ ସୁବର୍ଣ୍ଣ ମୁଦ୍ରିକା ଦେବା ଆମ ଉତ୍କଳୀୟ ପରମ୍ପରାକୁ ମହିମାନ୍ବିତ କରେ। ଆମେ ଯାହା ଖାଉ ଆମର ଆରାଧ୍ୟ ଦେବତା ବଳଭଦ୍ର, ସୁଭଦ୍ରା ଓ ଜଗନ୍ନାଥ ମଧ୍ୟ ତାହାକୁ ଖାଇ ଆମତ୍ସନ୍ତୋଷ ପାଇଥାଆନ୍ତି। ଏହି ଦହି ପାଚନ ଶକ୍ତିବର୍ଦ୍ଧକ, ବଳକାରକ, ଶରୀରରେ ଶୁକ୍ରବର୍ଦ୍ଧକ ଭାବେ କାମ କରିଥାଏ। ଏହା ଅରୁଚି, ଅତିସାର ଓ ପେଟରୋଗ ଦୂର କରାଏ। ଦହିରେ ପୁଷ୍ଟିସାର ଓ ଜୀବନିକା-‘ଘ’ ରହିଥିବାରୁ ଏହା ଶରୀର ପାଇଁ ଉପଯୋଗ୍ୟ। କ୍ୟାଲ୍‌ସିୟମ ପ୍ରଚୁର ପରିମାଣରେ ଥିବାରୁ ଅସ୍ଥି ସୁସ୍ଥ ଓ ସବଳ ରହେ। ଏଥିରେ ଉପକାରୀ ଜୀବାଣୁ ରହିଥିବାରୁ ଶରୀର ପାଇଁ ହିତକର। ଦୁଃଖର କଥା, ଆଉ ଗାଁ ଗହଳିରେ ଦହି ପ୍ରସ୍ତୁତ ହେଉନାହିଁ। ଖୁଆର ଚରଚର ଶବ୍ଦ ଶୁଭୁନି। ଘୋଳଦହିରୁ ପ୍ରସ୍ତୁତ ଛେନା ଓ କାଞ୍ଜି ସ୍ବପ୍ନ ହୋଇଗଲାଣି।
ପ୍ରକୃତି ଆମ ପାଇଁ ଋତୁ ଅନୁସାରେ ଯେଉଁସବୁ ସ୍ବାସ୍ଥ୍ୟକର ଉପାଦାନ ବା ରୋଗ ପ୍ରତିରୋଧକ ଖଞ୍ଜି ରଖିଛି, ସେଥିରୁ ନିମକଢ଼ ବା ନିମଫୁଲ ଗୋଟିଏ। ଚୈତ୍ର ମାସରେ ନିମଗଛରେ କଢ଼ ଧରେ ଓ ଫୁଲଫୁଟେ। ବସନ୍ତ ଋତୁର ଶେଷ ଗ୍ରୀଷ୍ମଋତୁ ଆରମ୍ଭରେ ଏହା ମିଳିଥାଏ। ଏହା ଏପରି ଏକ ହିତକାରୀ ବୃକ୍ଷ; ଯାହାର ପତ୍ର, ଫୁଲ, ଫଳ, ମଞ୍ଜି, ଛେଲି, ଚେର ସବୁଥିରେ ଔଷଧୀୟ ଗୁଣ ଭରିରହିଛି। ତେଣୁ ଏହାକୁ ‘ଈଶ୍ୱରୀୟ ବୃକ୍ଷ’ କୁହନ୍ତି। ନବକଳେବର ସମୟରେ ଏହି ନିମବୃକ୍ଷରୁ ଆମର ପରମ ଆରାଧ୍ୟ ଦେବତା ବଳଭଦ୍ର, ସୁଭଦ୍ରା ଓ ଜଗନ୍ନାଥଙ୍କ ଦାରୁବିଗ୍ରହ ତିଆରି ହୁଏ। ଏହି ଫୁଲ ପେନ୍ଥାପେନ୍ଥା ହୋଇ ଫୁଟେ। ପ୍ରତି ପେନ୍ଥାରେ ୧୫୦ରୁ ୨୫୦ଟି ପର୍ଯ୍ୟନ୍ତ କଢ଼ି ବା ଫୁଲ ଥାଏ। ଧଳା ଓ ସୁଗନ୍ଧଯୁକ୍ତ ଏହି ଫୁଲ ୫-୬ ମିଲିମିଟର ଏବଂ ଏହାର ଡେମ୍ଫ ପ୍ରାୟ ୨୫ ମିଲିମିଟର ହୋଇଥାଏ। ଏହି ନିମ କଢ଼କୁ ତୋଳି ବାଇଗଣ ସହିତ ଭାଜି ଖିଆଯାଏ। କେତେକ ଅଞ୍ଚଳରେ ଏହାକୁ ବିରିଚାଉଳ ପିଠଉ ବା ଆଣରେ ମିଶାଇ ଚକୁଳି ପିଠା ପ୍ରସ୍ତୁତ କରାଯାଏ। ଏହାକୁ ଶୁଖାଇ ଅଧିକ ଦିନ ପର୍ଯ୍ୟନ୍ତ ରଖାଯାଏ। ପିତ୍ତ, କଫ, କାଶ, ଜ୍ୱର, କୃମି ଓ ବ୍ରଣକୁ ଏହା ନାଶ କରିଥାଏ। ବିଶ୍ୱରେ ମଧୁମେହ ରୋଗର ରାଜଧାନୀ ଆମ ଦେଶ ଭାରତରେ ଏହି ନିମବୃକ୍ଷର ବ୍ୟବହାର କରିବା ବିଧେୟ। ତିକ୍ତରସଯୁକ୍ତ ହେଲେ ମଧ୍ୟ ଏହାର ଆଦର କ୍ରମେ ବଢ଼ିବାରେ ଲାଗିଛି।
ବହୁ ପୁରାତନ କାଳରୁ ଆମ ଭାରତ ସ୍ବାସ୍ଥ୍ୟ ସୁରକ୍ଷା ଉପରେ ଦିଗ୍‌ଦର୍ଶନ ବିଶ୍ୱକୁ ଦେଇଛି। ପରନ୍ତୁ ଆମର ଅଯୋଗ୍ୟପଣିଆ ଓ ଅଳସୁଆମି ଯୋଗୁ ଆମ ଚାରିପଟେ ଥିବା ଫଳ, ଫୁଲୁରୀ, ପତ୍ର, ପୁଷ୍ପ ଆଦିକୁ ଆମେ ଅଣଦେଖା କରିଆସୁଛୁ। ଆମ ପୂର୍ବ ପୁରୁଷମାନେ କେଉଁ ସମୟରେ କିପରି ଖାଦ୍ୟ ଖିଆଯିବା ଉଚିତ ଓ କାହାକୁ ବର୍ଜନ କରିବା ଉଚିତ ଆମକୁ ଶିଖାଇ ଯାଇଥିଲେ ମଧ୍ୟ ଆମେ ଏହାକୁ ଭୁଲିଯାଇ ସ୍ବାଦଯୁକ୍ତ, ଲୋଭନୀୟ, ଅପମିଶ୍ରିତ ଭଳି ସ୍ବାସ୍ଥ୍ୟହାନିକାରକ ଖାଦ୍ୟ ପଛରେ ପଡ଼ିଯାଇଛେ। ଆମ ପାରମ୍ପରିକ ଖାଦ୍ୟର ଚାହିଦା ବଢ଼ିଚାଲିଲେ ‘ସ୍ବାସ୍ଥ୍ୟ ହିଁ ସମ୍ପଦ’କୁ ଆମେ ଫେରିପାଇବା ଓ ଆଗାମୀ ପିଢ଼ିକୁ କ୍ଷତିକାରକ ଖାଦ୍ୟଠାରୁ ଦୂରେଇ ରଖିପାରିବା।
ଓସଙ୍ଗରା, ପଟ୍ଟାମୁଣ୍ଡାଇ, କେନ୍ଦ୍ରାପଡ଼ା
ମୋ: ୯୮୬୧୦୪୮୦୫୨


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଦିଲ୍ଲୀର କିଡ୍‌ଓ୍ବାଇ ନଗରରେ ଚାଲୁଛି ଏକ ନିଆରା ସ୍କୁଲ। ଏହି ସ୍କୁଲର ଘର ନାହିଁ କି କୌଣସି ସରକାରୀ ପାଠ୍ୟକ୍ରମ ଅନୁଯାୟୀ ଶିକ୍ଷା ଦିଆଯାଉନାହିଁ। ପିଲାମାନେ ଗଛମୂଳେ…

ନେତା ହେବାକୁ ଅନୁକୂଳ ପରିବେଶ

ସଭା ସମିତି, ଜଳଖିଆ ଦୋକାନ, ଚା’ ଦୋକାନ, ପାନ ଦୋକାନ ଆଗରେ ଓ ଘରେ ବସି ସାଙ୍ଗସାଥୀ ସହିତ କଥାହେଲା ବେଳେ ଅନେକ ଶିକ୍ଷିତ ଲୋକ କହିଥା’ନ୍ତି,…

ନୈତିକ ମୂଲ୍ୟବୋଧ ଓ ଧର୍ମ

ଯେତେବେଳେ ଆମେ ଜଣେ କରୁଥିବା କାର୍ଯ୍ୟକୁ ‘ନୈତିକ’ ବୋଲି ବିଚାର କରୁ, ତାକୁ ଭଲ ଲୋକ କହୁ ଓ ଅନୈତିକ କାର୍ଯ୍ୟ କରୁଥିବା ଲୋକକୁ ମନ୍ଦ ଲୋକ…

ପାଖ ବିଦେଶ

ବାଂଲାଦେଶ ଜାତୀୟ ନିର୍ବାଚନରେ ଭୋଟ ହୋଇଥିବା ୨୯୯ ଆସନ ମଧ୍ୟରୁ ବାଂଲାଦେଶ ନ୍ୟାଶନାଲିଷ୍ଟ ପାର୍ଟି(ବିଏନ୍‌ପି) ଏକାକୀ ୨୦୯ ଆସନ ପାଇଥିବା ବେଳେ ସହଯୋଗୀଙ୍କୁ ମିଶାଇଲେ ସଂଖ୍ୟା ୨୧୨…

ମହେନ୍ଦ୍ରଗିରିର ଶିବ ମହିମା

ମହେନ୍ଦ୍ରଗିରି ପର୍ୱତ, ଯେଉଁ ପର୍ୱତ ଦିନେ ଥିଲା ଶ୍ୱେତକମଣ୍ଡଳ ରାଜ୍ୟର ଅଂଶବିଶେଷ, ଯେଉଁ ପର୍ୱତକୁ ନିଜ କବିତାରେ ସ୍ଥାନ ଦେଇଛନ୍ତି ଗୋଦାବରୀଶ ମିଶ୍ର, ଗୋପବନ୍ଧୁ ଦାସ ଏବଂ…

ଦେଶଭକ୍ତି ଚିନ୍ତା

ଆମ ଦେଶରେ ଜାତୀୟତାବାଦର ଅତ୍ୟଧିକ ଚାହିଦା ରହିଛି, ହେଲେ ସବୁବେଳେ ଏଠାରେ ଏହାର ଅଭାବ ଥିବା ମନେହୁଏ। ମୋ ଜୀବନରେ ଅତିବାହିତ ସବୁ ଦଶନ୍ଧିରେ ‘ବନ୍ଦେ ମାତରମ୍‌’କୁ…

ମୁଁ ଗୋଟିଏ ଗାଈ

ହାଁ ହାଁ ବାଇମନ… ରୁହ ରୁହ…! ଶୀର୍ଷକଟିକୁ ପଢ଼ି ଦେଇ ପିଲାବେଳର ରଚନା ଭାବି ଆଖି ବୁଲାଇ ନିଅନ୍ତୁନି! ଯେମିତି ଆପଣଙ୍କର ପିଲାବେଳ ଆଉ ନାହିଁ! ସେମିତି…

ଆମକୁ ଯାହା ଲଜ୍ଜା ନାହିଁ

ଅମ ଓଡ଼ିଶା ଭାଷା, ସାହିତ୍ୟ, ସଂସ୍କୃତି, ଚଳଣି, ଆମ ଖାଦ୍ୟ, ଆମ ବିଚାରଧାରା ସବୁଠି ବର୍ତ୍ତମାନ ଅନୁପ୍ରବେଶର ଉପଦ୍ରବ। ଏସବୁ ଭିତରେ ଊଣା ଅଧିକେ ହଜିବାକୁ ବସିଲାଣି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri