ଖଦି କେବଳ ବସ୍ତ୍ର ନୁହେଁ, ଏକ ବିଚାର

ଭୁବନେଶ୍ୱର,୨୦।୨ (ବ୍ୟୁରୋ): ରାଜ୍ୟ ଖଦି ଓ ଗ୍ରାମୋଦ୍ୟୋଗ ବୋର୍ଡର ଖାରବେଳନଗରସ୍ଥିତ କାର୍ଯ୍ୟାଳୟ ପରିସରରେ ଶୁକ୍ରବାର ରାଜ୍ୟସ୍ତରୀୟ ଖଦି ଓ ଗ୍ରାମୋଦ୍ୟୋଗ ପ୍ରଦର୍ଶନୀ ‘ଖଦି ବଜାର’ ଉଦ୍‌ଘାଟିତ ହୋଇଛି। ମୁଖ୍ୟ ଅତିଥି ଭାବେ ଶକ୍ତି, ଗୃହ, ଶିଳ୍ପ ଏବଂ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ମନ୍ତ୍ରୀ କ୍ୟାପଟେନ୍‌ ଦିବ୍ୟଶଙ୍କର ମିଶ୍ର, ମୁଖ୍ୟବକ୍ତା ଭାବେ ସୂଚନା ଓ ଲୋକ ସମ୍ପର୍କ ବିଭାଗ ମନ୍ତ୍ରୀ ରଘୁନନ୍ଦନ ଦାସ, ସମ୍ମାନିତ ଅତିଥି ଭାବେ ବିଧାୟକ ଅନନ୍ତ ନାରାୟଣ ଜେନା ଯୋଗଦେଇ ପ୍ରଦର୍ଶନୀର ଶୁଭାରମ୍ଭ କରିଛନ୍ତି। କରୋନା ମହାମାରୀ ଯୋଗୁ ଦୀର୍ଘ ୧ବର୍ଷ ଧରି ଗାଁ ଗହଳିର ଗରିବ ବୁଣାକାର ହାତବାନ୍ଧି ବସିଥିବାବେଳେ ସେମାନଙ୍କ ଉତ୍ପାଦିତ ସାମଗ୍ରୀର ପ୍ରଦର୍ଶନ ଓ ବିପଣନ ପାଇଁ ଏହି ମେଳା ଅନ୍ଧାର ଭିତରେ ଆଲୋକବର୍ତ୍ତିକା ହେବ। ଏହାବ୍ୟତୀତ ମେଳାଦ୍ୱାରା ଅନେକ ବେକାର ଯୁବତୀ ଯୁବକ ଅନୁପ୍ରାଣିତ ହୋଇ ସ୍ବାବଲମ୍ବୀ ହୋଇ ପାରିବେ ବୋଲି ଅତିଥିମାନେ କହିଛନ୍ତି। ବୋର୍ଡ ସଭାପତି ସଂଗ୍ରାମ କେଶରୀ ପାଇକରାୟ ସଭାପତିତ୍ୱ କରି କହିଛନ୍ତି, ଖଦିକୁ ବାଦ୍‌ଦେଇ ଦେଶର ଆର୍ଥିକ ପ୍ରଗତି ପରିକଳ୍ପନା କରାଯାଇ ପାରିବ ନାହିଁ। ଖଦି କେବଳ ବସ୍ତ୍ର ନୁହେଁ, ଏକ ବିଚାର। ଏଥିପ୍ରତି ଅଧିକରୁ ଅଧିକ ଲୋକଙ୍କ ଆକର୍ଷିତ କରିବା ପାଇଁ ଏହି ମେଳା ଏକ ପ୍ରୟାସ ବୋଲି ପାଇକରାୟ କହିଛନ୍ତି।
ଏହି ପ୍ରଦର୍ଶନୀ ଆସନ୍ତା ୨୮ ତାରଖ ପର୍ଯ୍ୟନ୍ତ ଚାଲିବ। କାର୍ପାସ, ସିଲ୍କ ଓ ମସ୍ଲିନ୍‌ ଖଦି ପ୍ରସ୍ତୁତ ଶାଢୀ, ଲୁଙ୍ଗି, ଗାମୁଛା ଓ ବିଭିନ୍ନ ପୋଷାକ ତଥା ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀର ପ୍ରଦର୍ଶନ ସହ ବିକ୍ରି ପାଇଁ ରହିଛି। ବେତ ବାଉଁଶ ନିର୍ମିତ ବିଭିନ୍ନ ଆସବାବ, ଘରକରଣା ସାମଗ୍ରୀ, ସବାଇଘାସ ପ୍ରସ୍ତୁତ ଗୃହୋପକରଣ ସହ ଦର୍ଶକମାନଙ୍କ ସାଧାରଣ ଜ୍ଞାନର ଅଭିବୃଦ୍ଧି ପାଇଁ ଚରଖାରେ ସୂତା କାଟିବା, ଖଦି ପୋଷାକ ତିଆରି ଓ ଧୂପକାଠି ତିଆରି ସମ୍ପର୍କିତ କାରିଗରୀ କୌଶଳ ସିଧାସଳଖ ଏଠାରେ ପ୍ରଦର୍ଶିତ ହେଉଛି।