କେସିଙ୍ଗା ପଞ୍ଚାୟତ ସମିତିରେ ପାନୀୟଜଳବିଦ୍ୟୁତ ଉପରେ ଗୁରୁତ୍ୱ

କେସିଙ୍ଗା, ୨୧।୮ (ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ପଞ୍ଚାୟତ ସମିତିର ୧୧ତମ ସାଧାରଣ ବୈଠକ ଅଧ୍ୟକ୍ଷ ଚନ୍ଦନ କୁମାର ସେନାପତିଙ୍କ ସଭାପତିତ୍ୱରେ ବ୍ଲକ କାର୍ଯ୍ୟାଳୟ ସଭାଗୃହରେ ଶୁକ୍ରବାର ଅନୁଷ୍ଠିତ ହୋଇଥିଲା। ବୈଠକରେ ମୁଖ୍ୟ ଅତିଥି ଭାବେ ଜିଲା ପରିଷଦ ଅଧ୍ୟକ୍ଷ ପୁଷ୍ପେନ୍ଦ୍ର ସିଂହ ଦେଓ ଯୋଗ ଦେଇଥିଲେ।

କେସିଙ୍ଗା ବ୍ଲକରେ ପାନୀୟଜଳ ଯୋଗାଣ, ବିଦ୍ୟୁତ ସଂଯୋଗ, ନଳକୂପ ମରାମତି ଆଦି ସମସ୍ୟା ଉପରେ ବୈଠକରେ ଗୁରୁତ୍ୱାରୋପ କରାଯାଇଥିଲା। ଏଥିସହ ହାତୀପ୍ରବଣ ଅଞ୍ଚଳରେ ଭୂତଳ କେବୁଲ୍‌ ମାଧ୍ୟମରେ ବିଦ୍ୟୁତ ସଂଯୋଗ କରିବାକୁ ବିଦ୍ୟୁତ ବିଭାଗକୁ ମୁଖ୍ୟ ଅତିଥି ନିର୍ଦ୍ଦେଶ ଦେଇଥିଲେ। ବ୍ଲକର ପ୍ରଗତି ପାଇଁ ବିଭିନ୍ନ ବିଭାଗରେ ଉନ୍ନୟନମୂଳକ କାର୍ଯ୍ୟର ପ୍ରସ୍ତାବ ଓ ଖସଡ଼ା ପ୍ରସ୍ତୁତ କରିବାକୁ ଅଧିକାରୀମାନଙ୍କୁ ସେ କହିଥିଲେ।

ତେବେ ଏହି ସାଧାରଣ ବୈଠକରେ ଅଧିକାଂଶ ବିଭାଗର ଉଚ୍ଚପଦସ୍ଥ ଅଧିକାରୀ ଯୋଗ ଦେଇ ନ ଥିବାରୁ ଅସନ୍ତୋଷ ପ୍ରକାଶ ପାଇଥିଲା।

କଶୃପଡ଼ା ଗ୍ରାମ ପଞ୍ଚାୟତର ରେଙ୍ଗାଲି ଗ୍ରାମରେ ନୂତନ ବିଦ୍ୟୁତ ସଂଯୋଗ ପାଇଁ ୨୦୨୪ ମସିହାରେ ୩୬ ହଜାର ଟଙ୍କା ଜମା କରାଯାଇଥିଲେ ମଧ୍ୟ ଦୁଇ ବର୍ଷ ଧରି ବିଦ୍ୟୁତ ସଂଯୋଗ ହୋଇ ନ ଥିବା ଅଭିଯୋଗ ହୋଇଥିଲା। ସେହିପରି ଉତ୍କେଲା ଗ୍ରାମରେ ବିଦ୍ୟୁତ ସଂଯୋଗ ପାଇଁ ୬୦ ହଜାର ଟଙ୍କା ଜମା କରାଯାଇଥିଲେ ମଧ୍ୟ ପାଞ୍ଚ ମାସ ଧରି ସଂଯୋଗ ଦିଆଯାଇ ନ ଥିବା ନେଇ ଅଭିଯୋଗ ହୋଇଥିଲା। ଏସ୍‌ଡିଓ ଏହି ସମସ୍ୟାର ସମାଧାନ କରି ସାତ ଦିନ ମଧ୍ୟରେ ବିଦ୍ୟୁତ ସଂଯୋଗ ଦେବାକୁ ପ୍ରତିଶ୍ରୁତି ଦେଇଥିଲେ।

ସେହିପରି ବାଲସି ଗ୍ରାମ ପଞ୍ଚାୟତରେ କେବୁଲ୍‌ ଓ ବିଦ୍ୟୁତ ଖୁଣ୍ଟ ପୋତାଯାଇ ଦୁଇ ବର୍ଷ ବିତିଯାଇଥିଲେ ମଧ୍ୟ ବିଦ୍ୟୁତ ସଂଯୋଗ ହୋଇ ନ ଥିବାରୁ ବୈଠକରେ କ୍ଷୋଭ ପ୍ରକାଶ ପାଇଥିଲା। ଶିକ୍ଷା ବିଭାଗ ସମ୍ପର୍କରେ ଆଲୋଚନା ବେଳେ ବ୍ଲକର ପ୍ରତ୍ୟେକ ବିଦ୍ୟାଳୟରେ ଶିକ୍ଷକ ଅଭାବ ରହିଥିବା ଅଭିଯୋଗ ଉଠିଥିଲା। ଏଥିସହ କେସିଙ୍ଗା ବ୍ଲକର ୨୬ଟି ଗ୍ରାମ ପଞ୍ଚାୟତରେ ଗୋଚର ଜମିକୁ କେତେକ ଚାଷୀ ଜବରଦଖଲ କରି ଚାଷ କରୁଥିବା ଅଭିଯୋଗ ହୋଇଥିଲା। ଏହି ଜବରଦଖଲ ଉଚ୍ଛେଦ କରିବାକୁ ବ୍ଲକ ଅଧ୍ୟକ୍ଷ ଚନ୍ଦନ କୁମାର ସେନାପତି ଦାବି କରିଥିଲେ।

ବୈଠକରେ ବ୍ଲକର ବିଭିନ୍ନ ଉନ୍ନୟନମୂଳକ ବିଭାଗର ସମସ୍ୟା ଓ ଆବଶ୍ୟକତା ଉପରେ ମଧ୍ୟ ଆଲୋଚନା କରାଯାଇଥିଲା। କେସିଙ୍ଗା ବିଡିଓ ଜନ୍ମେଜୟ ସ୍ୱାଇଁ, ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ସିଦ୍ଧେଶ୍ୱର ମେହେର, ଏଇ ଆନନ୍ଦ ମଣ୍ଡଳ, ସମସ୍ତ ଜେଇ, ସରପଞ୍ଚ ଓ ସମିତି ସଭ୍ୟସଭ୍ୟା ଯୋଗଦେଇ ୨୬ଟି ଗ୍ରାମ ପଞ୍ଚାୟତର ବିଭିନ୍ନ ସମସ୍ୟା ଉପରେ ନିଜ ନିଜ ଦାବି ରଖିଥିଲେ।

Dharitri – Odisha’s No.1 Odia Daily

Share