
କେସିଙ୍ଗା, ୯ା୫(ତୁମେଶ୍ୱର ସାହୁ)-କେସିଙ୍ଗା ଏନ୍ଏସିକୁ ମ୍ୟୁନିସିପାଲିଟି ଘୋଷଣା କରିବା ପାଇଁ ରାଜ୍ୟ ସରକାରଙ୍କ ଗୃହ ଓ ନଗର ଉନ୍ନୟନ ବିଭାଗ କଳାହାଣ୍ଡି ଜିଲାପାଳଙ୍କୁ ଭିତ୍ତିଭୂମିର ବିବରଣୀ ମାଗିଥିଲେ। ଜିଲାପାଳ ତାଙ୍କ ଚିଠି ସଂଖ୍ୟା ୩୧୯/୮ା୫ା୨୫ ଅନୁସାରେ ଜିଲା ପଞ୍ଚାୟତ ଅଫିସର କଳାହାଣ୍ଡି, ଉପଜିଲାପାଳ ଭବାନୀପାଟଣା, କେସିଙ୍ଗା ବିଡିଓ, ତହସିଲଦାର ଓ ଏନ୍ଏସି ନିର୍ବାହୀ ଅଧିକାରୀଙ୍କୁ ତୁରନ୍ତ ଭିତ୍ତିଭୂମି ବିବରଣୀ ପ୍ରଦାନ ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଏ ନେଇ କେସିଙ୍ଗା ସିଟିଜେନ ଫୋରମର ସଭାପତି ଡା. ହେମରାଜ ସାହା ଗତ ୬ ତାରିଖରେ ରାଜ୍ୟ ସରକାରଙ୍କ ପୌର ପ୍ରଶାସନ ନିର୍ଦ୍ଦେଶକ ଅରିନ୍ଦମ ଡାକୁଆ ଏବଂ ଗୃହ ଓ ନଗର ଉନ୍ନୟନ ବିଭାଗ ପ୍ରିନ୍ସିପାଲ ସେକ୍ରେଟାରି ଊଷା ପାଢ଼ୀଙ୍କୁ ୯ଦଫା ସମ୍ବଳିତ ଦାବିପତ୍ର ପ୍ରଦାନ କରିଥିଲେ। ଏହି ଦାବିକୁ ଗ୍ରହଣକରି ଗୃହ ଓ ନଗର ଉନ୍ନୟନ ବିଭାଗ ଅତିରିକ୍ତ ଶାସନ ସଚିବଙ୍କ କାର୍ଯ୍ୟାଳୟର ଚିଠି ସଂଖ୍ୟା ୧୦୨୮୨/୬ା୫ା୨୫ରେ ଜିଲାପାଳଙ୍କୁ ଭିଭିଭୂମି ଓ ଅନ୍ୟାନ୍ୟ ତଥ୍ୟ ପ୍ରଦାନ କରିବାକୁ ନିର୍ଦ୍ଦେଶ ଦେଇଥିଲେ।