ଲୁହରେ ଭିଜିଲା କେନ୍ଦୁଢ଼ିପ

କାମାକ୍ଷାନଗର,୮ା୧୦ (ସୁଧୀର କୁମାର ପରିଡ଼ା) ସିକିମ୍‌ରେ ମଙ୍ଗଳବାର ବାଦଲ ଫଟା ବର୍ଷା ପରେ ବନ୍ୟାରେ ଭାସିଯାଇ ପ୍ରାଣ ହରାଇଥିବା ଓଡ଼ିଆ ଯବାନ ସରୋଜ କୁମାର ଦାସଙ୍କ ଶେଷକୃତ୍ୟ ଶନିବାର ତାଙ୍କ ପୈତୃକ ଗ୍ରାମ ଢେଙ୍କାନାଳ ଜିଲା ଭୁବନ ବ୍ଲକ ତଥା କାମାକ୍ଷାନଗର ଥାନା ଦୀଘି ପଞ୍ଚାୟତ କେନ୍ଦୁଢିପ ଶ୍ମଶାନରେ ଶୋକାକୁଳ ପରିବେଶରେ ସମ୍ପନ୍ନ ହୋଇଛି। ଯବାନଙ୍କ ପାର୍ଥିବ ଶରୀର ସନ୍ଧ୍ୟାରେ ଗାଁ ମାଟିରେ ପହଞ୍ଚିବା ପରେ ସମସ୍ତଙ୍କ ଆଖି ଲୁହରେ ଭିଜିଯାଇଥିଲା।
ସିକିମ୍‌ରୁ ଅଣାଯାଇଥିବା ଯବାନଙ୍କ ପାର୍ଥିବ ଶରୀର ଅପରାହ୍ନରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିବା ପରେ ସେଠାରେ ରାଜ୍ୟପାଳ ପ୍ରଫେସର ଡ. ଗଣେଶୀ ଲାଲ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କାମାକ୍ଷାନଗର ବିଧାୟକ ତଥା ଖଣିମନ୍ତ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକ, ଢେଙ୍କାନାଳ ଏମ୍‌ପି ମହେଶ ସାହୁଙ୍କ ସମେତ ବିଭିନ୍ନ ପଦାଧିକାରୀ ଉପସ୍ଥିତ ରହି ଶେଷ ସମ୍ମାନ ଜଣାଇଥିଲେ। ପରେ ଭାଇ ମନୋଜ ଦାସ ଓ ଦାଦାଙ୍କୁ ମୃତଦେହ ହସ୍ତାନ୍ତର କରାଯିବା ସହ ସେନାର ସୁସଜ୍ଜିତ ଗାଡ଼ିରେ ଜନ୍ମମାଟିକୁ ଅଣାଯାଇଥିଲା। ସନ୍ଧ୍ୟା ୫ଟାରେ ପାର୍ଥିବ ଶରୀର ଢେଙ୍କାନାଳ ଜିଲା କାର୍ଯ୍ୟାଳୟଠାରେ ପହଞ୍ଚିବା ପରେ ସେଠାରେ ଜିଲାପାଳ ସରୋଜ କୁମାର ସେଠୀ ଓ ଏସ୍‌ପି ଜ୍ଞାନରଞ୍ଜନ ଦାସ ଉପସ୍ଥିତ ରହି ସମ୍ମାନ ଜଣାଇଥିଲେ। ସନ୍ଧ୍ୟା ୬ଟା ୩୦ରେ ମୃତଦେହ ଗାଁ କେନ୍ଦୁଢ଼ିପରେ ପହଞ୍ଚିଥିଲା। ସେଠାରେ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ପହଞ୍ଚି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ପରେ ଗ୍ରାମ ଶ୍ମଶାନରେ ରାତି ୮ଟା ବେଳେ ରାଷ୍ଟ୍ରୀୟ ମର୍ଯ୍ୟାଦାର ସହ ଶେଷକୃତ୍ୟ କରାଯାଇଥିଲା। ଦାଦା ପୁଅ ଭାଇ ରାକେଶ ଦାସ ଓ ଭଣଜା ସମ୍ବିତ ପରିଡା ମୁଖାଗ୍ନି ଦେଇଥିଲେ। ଶ୍ମଶାନ ଘାଟରେ ମନ୍ତ୍ରୀ, ଏମ୍‌ପି, ଭୁବନ ଏନ୍‌ଏସି ଅଧ୍ୟକ୍ଷ ଶୁଭେନ୍ଦୁ ସାହୁ, କାମାକ୍ଷାନଗର ଏନ୍‌ଏସି ଅଧ୍ୟକ୍ଷ ଧର୍ମାନନ୍ଦ ପରିଡା, ବ୍ଲକ ଅଧ୍ୟକ୍ଷ ପ୍ରେମାନନ୍ଦ ସାହୁ, ଜିଲାପାଳ, ଏସପି, ଏସଡିପିଓ ପ୍ରଭାତ କୁମାର ତ୍ରିପାଠୀ ପ୍ରମୁଖ ଉପସ୍ଥିତ ଥିଲେ।

Share