ମହାକାଳପଡ଼ା, ୨୭।୫ (ପ୍ରତାପ ଚନ୍ଦ୍ର ସ୍ୱାଇଁ): ଓଡ଼ିଶା ଲୋକସେବା ଆୟୋଗ(ଓପିଏସି) ପରିଚାଳିତ ଓଡ଼ିଶା ପ୍ରଶାସନିକ ସେବା(ଓଏଏସ୍)ରେ କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକର ଉପକୂଳ ଅଞ୍ଚଳ ବିଜୟନଗର ଗ୍ରାମର ଜୁଏଲ ସ୍ୱାତିଶ୍ମିତା ବେହେରା ଚଳିତ ବର୍ଷ ପରୀକ୍ଷାରେ ୪୫ତମ ସ୍ଥାନ ଅଧିକାର କରି ସମଗ୍ର ଜିଲା ପାଇଁ ଗୌରବ ଆଣିଛନ୍ତି।
ପିଲାବେଳୁ ମେଧାବୀ ଛାତ୍ରୀ ଭାବେ ପରିଚିତ ସ୍ୱାତିଶ୍ମିତା କେନ୍ଦ୍ରାପଡ଼ା ସରସ୍ୱତୀ ଶିଶୁ ମନ୍ଦିରରେ ପଢ଼ି ମେଟ୍ରିକ୍ ପରୀକ୍ଷାରେ ପ୍ରଥମ ସ୍ଥାନ ଅଧିକାର କରିଥିଲେ। ପରେ ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟରୁ +୨ ପରୀକ୍ଷାରେ ସମଗ୍ର ଓଡ଼ିଶାରେ ଟପ୍ପର ହୋଇଥିଲେ।ବିଜେବି କଲେଜରୁ ସ୍ନାତକ ଡିଗ୍ରୀ ହାସଲ କରିଥିଲେ।ପରେ ସେ ସିଭିଲ ସର୍ଭିସ ପରୀକ୍ଷା ପାଇଁ ପ୍ରସ୍ତୁତି ହୋଇଥିଲେ ଏବଂ ଏହା ତାଙ୍କର ଦ୍ୱିତୀୟ ପ୍ରୟାସ ବୋଲି ଜଣାପଡ଼ିଛି।
ଏହି ସଫଳତା ପାଇଁ ସେ ତାଙ୍କ ମା ଶାନ୍ତିଲତା ବେହେରା ଓ ବାପା ନରେନ୍ଦ୍ର ବେହେରାଙ୍କ ଆଶୀର୍ବାଦକୁ ଶ୍ରେୟ ଦେଇଛନ୍ତି। ଏହା ସହ ତାଙ୍କ ଭାଇ ପ୍ରଶାନ୍ତ କୁମାର ତରାଇ, ବଡ଼ ବାପା ପ୍ରାକ୍ତନ ସରପଞ୍ଚ ସୁରେନ୍ଦ୍ର କୁମାର ବେହେରା ଓ ପରିବାର ସଦସ୍ୟମାନେ ଖୁସି ପ୍ରକାଶ କରିଛନ୍ତି।ସ୍ୱାତିଶ୍ମିତାଙ୍କ ସଫଳତାରେ ବିଜୟନଗର ଗ୍ରାମରେ ଉତ୍ସବ ମାହୋଲ ସୃଷ୍ଟି ହୋଇଛି ଏବଂ ବିଭିନ୍ନ ମହଲରୁ ତାଙ୍କୁ ଅଭିନନ୍ଦନ ଜଣାଯାଉଛି। ଗ୍ରାମବାସୀମାନେ ଏହାକୁ ଗ୍ରାମ ପାଇଁ ଗର୍ବର ବିଷୟ ବୋଲି କହିଛନ୍ତି।
ଏହି ଅବସରରେ କେନ୍ଦ୍ର ସରକାରର ଶ୍ରମ ମନ୍ତ୍ରଣାଳୟର ପ୍ରାକ୍ତନ ବରିଷ୍ଠ ଅଧିକାରୀ ଏବଂ ଭାଜପା ରାଜ୍ୟ ପ୍ରବକ୍ତା ସଞ୍ଜୟ ରଥ ମଧ୍ୟ ସ୍ୱାତିଶ୍ମିତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।