କେନ୍ଦ୍ରାପଡା, ୩୦।୫ (ଜଗନ୍ନାଥ ଧଳ): କେନ୍ଦ୍ରାପଡା ସ୍ୱୟଂଶାସିତ ମହାବିଦ୍ୟାଳୟର ଯୁକ୍ତ–୩ ପରୀକ୍ଷାର ଫଳ ଶନିବାର ପ୍ରକାଶ ପାଇଛି। ଏଥର ଛାତ୍ରମାନଙ୍କ ତୁଳନାରେ ଛାତ୍ରୀମାନେ ଉତ୍କୃଷ୍ଟ ଫଳାଫଳ କରି ବିଭିନ୍ନ ଅନର୍ସରେ ଟପ୍ପର ହୋଇଛନ୍ତି।
ବିଜ୍ଞାନ ବିଭାଗର ଜୁଲୋଜି ଅନର୍ସ ଛାତ୍ରୀ ଅର୍ଚ୍ଚିତା ସ୍ୱାଇଁ ସର୍ବୋଚ୍ଚ ସିଜିପିଏ ୯.୬୯ ରଖି କଲେଜ ଟପ୍ପର ହୋଇଛନ୍ତି। ସେହିପରି ବାଣିଜ୍ୟ ବିଭାଗର ଛାତ୍ରୀ ଲକ୍ଷ୍ମୀପ୍ରିୟା ସାହୁ ସିଜିପିଏ ୮.୮୧ ଓ କଳା ବିଭାଗର ଛାତ୍ର ଶାନ୍ତନୁ କୁମାର ସାହୁ ସିଜିପିଏ ୯.୪୪ ରଖି ବିଭାଗୀୟ ଟପ୍ପର ହୋଇଛନ୍ତି।
ପୂର୍ବାହ୍ନରେ ଅଧ୍ୟକ୍ଷ ଶାନ୍ତନୁ କୁମାର ଜେନା, କଣ୍ଟ୍ରୋଲର ରମାନାଥ ମହାନ୍ତି, ଡେପୁଟି କଣ୍ଟ୍ରୋଲର ଗୌର ପ୍ରସାଦ ଷଡ଼ଙ୍ଗୀ, ଗୌତମ ଚରଣ ଦାଶ, ଆସିଷ୍ଟାଣ୍ଟ କଣ୍ଟ୍ରୋଲର ମନୋଜ କୁମାର ପ୍ରଧାନ ଓ ପ୍ରାଧ୍ୟାପକ ରଣଜିତ ଦାସ, କରୁଣାକର ପତି, ବ୍ରଜସୁନ୍ଦର ସେଠୀ, ଦେବେନ୍ଦ୍ର ଆଚାର୍ଯ୍ୟ ପ୍ରମୁଖ ପରୀକ୍ଷା ଫଳ ପୁସ୍ତକ ଉନ୍ମୋଚନ କରିଥିଲେ।
ଅଧ୍ୟକ୍ଷଙ୍କ ସୂଚନା ଅନୁଯାୟୀ, ଏହି ବର୍ଷ ମୋଟ ୧୧୦୭ ଶିକ୍ଷାର୍ଥୀ ପରୀକ୍ଷା ପାଇଁ ଫର୍ମ ଫିଲ୍ଅପ୍ କରିଥିଲେ। ସେଥିରୁ ୧୦୩୩ ଜଣ ପରୀକ୍ଷା ଦେଇଥିବାବେଳେ ୯୫୫ ଜଣ ପାସ କରିଛନ୍ତି। ଫଳରେ ପାସ ହାର ୯୨.୪୪ ପ୍ରତିଶତ ରହିଛି।
ବିଭାଗ ଭିତ୍ତିକ ଭାବେ କଳା ବିଭାଗରେ ପାସ ହାର ୯୩.୪୭ ପ୍ରତିଶତ, ବାଣିଜ୍ୟରେ ୯୧.୬ ପ୍ରତିଶତ ଓ ବିଜ୍ଞାନ ବିଭାଗରେ ୯୨.୦୨ ପ୍ରତିଶତ ରହିଛି। ପାସ କରିଥିବାମାନଙ୍କ ମଧ୍ୟରୁ ୪୨୩ ଜଣ ଛାତ୍ର ଓ ୫୩୨ ଜଣ ଛାତ୍ରୀ ଅଛନ୍ତି।
ଏହି ଅବସରରେ କଲେଜ ଓ ବିଭାଗୀୟ ଟପ୍ପରମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା ଏବଂ ବିଷୟ ଭିତ୍ତିକ ଅନର୍ସ ଟପ୍ପରମାନଙ୍କୁ ସାର୍ଟିଫିକେଟ୍ ପ୍ରଦାନ କରାଯାଇଥିଲା।
ବଟାନିରେ ସୌମ୍ୟା ପ୍ରିୟଦର୍ଶନୀ ରାଉତ (୮.୮୯), କେମେଷ୍ଟ୍ରୀରେ ରୋଜାଲିନ ସାମଲ (୮.୮୩), କମର୍ସରେ ଲକ୍ଷ୍ମୀପ୍ରିୟା ସାହୁ (୮.୯୧), କମ୍ପ୍ୟୁଟର ସାଇନ୍ସରେ ସାଇସ୍ମିତା ନାଥ (୯.୧), ଇକୋନୋମିକ୍ସରେ ରାଜଲକ୍ଷ୍ମୀ ସାହୁ (୮.୯୧), ଏଡୁକେସନରେ ଶୁଭଶ୍ରୀ ନାୟକ (୯.୨୮), ଇଂରାଜୀରେ ପଦ୍ମଜା ପ୍ରିୟଦର୍ଶନୀ ପଣ୍ଡା (୮.୧୬), ଜିଓଗ୍ରାଫିରେ ଶାନ୍ତନୁ କୁମାର ସାହୁ (୯.୪୪), ଜିଓଲୋଜିରେ କେ.ଆର. ରାଜଲକ୍ଷ୍ମୀ ସାହୁ (୮.୫୨), ହିନ୍ଦିରେ ସାଗରିକା ସାହୁ (୮.୯୪), ଇତିହାସରେ ସୌମ୍ୟାଶ୍ରୀ ମହାନ୍ତି (୮.୫୫), ହୋମ ସାଇନ୍ସରେ ଅନୁସୂୟା ସାମଲ (୭.୮୬), ଇଣ୍ଡଷ୍ଟ୍ରିଆଲ ସୋସିଓଲୋଜିରେ ଏସ୍.ଏନ୍. କୃଷ୍ଣା (୮.୦୩), ଗଣିତରେ ସାଇ ଜ୍ୟୋତିର୍ମୟୀ ଆଚାର୍ଯ୍ୟ (୯.୩୭), ଓଡ଼ିଆରେ ପ୍ରତିଭା ଦାସ (୮.୮୪), ଫିଲୋସୋଫିରେ ଶେଷାଦ୍ରୀ ଦାସ (୭.୮୬), ଫିଜିକ୍ସରେ ଅପର୍ଣ୍ଣା ପଣ୍ଡା (୯.୨୮), ପୋଲିଟିକାଲ ସାଇନ୍ସରେ ନୁର ଫାତିମା (୮.୯୬), ସାଇକୋଲୋଜିରେ ଅଙ୍କିତା ବେଉରା (୯.୦୬), ସଂସ୍କୃତରେ ମହାମାୟା ସିଂହ (୮.୮୫), ସୋସିଓଲୋଜିରେ ରଶ୍ମିରେଖା ଜେନା (୮.୯୭), ଷ୍ଟାଟିଷ୍ଟିକ୍ସରେ ଅଙ୍କିତ ସାହୁ (୮.୮୭) ଓ ଜୁଲୋଜିରେ ଅର୍ଚ୍ଚିତା ସ୍ୱାଇଁ (୯.୬୯)।
ଅର୍ଚ୍ଚିତା ସ୍ୱାଇଁ କହିଛନ୍ତି ଯେ, କେନ୍ଦ୍ରାପଡା ସହରର ଭଗେଶ୍ୱରପୁରରେ ତାଙ୍କ ଘର। ପରିବାରର ଆର୍ଥିକ ସ୍ଥିତି ସାଧାରଣ ଥିଲେ ମଧ୍ୟ ବାପା ପ୍ରମୋଦଙ୍କ ଓ ଶିକ୍ଷକମାନଙ୍କ ପ୍ରେରଣାରେ ସେ ଦୈନିକ ୫ ଘଣ୍ଟା ପଢ଼ି ଏହି ସଫଳତା ପାଇଛନ୍ତି। ଆଗାମୀଦିନରେ ଗବେଷଣା ଓ ସିଭିଲ ସର୍ଭିସରେ ଯୋଗଦେବା ଲକ୍ଷ୍ୟ ରହିଛି।
ଲକ୍ଷ୍ମୀପ୍ରିୟା ସାହୁ କହିଛନ୍ତି ଯେ, ପଟ୍ଟାମୁଣ୍ଡାଇ ବ୍ଲକ ଷଣ୍ଢପଲ୍ଳୀରେ ତାଙ୍କ ଘର। ଦୈନିକ ୪–୫ ଘଣ୍ଟା ପଢ଼ିବା ଓ ପିତାମାତାଙ୍କ ଆଶୀର୍ବାଦରେ ସେ ଏହି ସଫଳତା ପାଇଛନ୍ତି। ଆଗକୁ ସିଭିଲ ସର୍ଭିସ ପାଇଁ ପ୍ରସ୍ତୁତି ଜାରି ରଖିବେ।
ଶାନ୍ତନୁ କୁମାର ସାହୁ କହିଛନ୍ତି ଯେ, ମାର୍ଶାଘାଇ ବ୍ଲକ ପେଣ୍ଠ ଗ୍ରାମରେ ତାଙ୍କ ଘର। ବାପା ଜଣେ ଚାଷୀ ଏବଂ ସେ ଦୈନିକ ୩–୪ ଘଣ୍ଟା ପଢ଼ି ଏହି ସଫଳତା ହାସଲ କରିଛନ୍ତି। ଭବିଷ୍ୟତରେ ଜଣେ ଆଦର୍ଶ ଶିକ୍ଷକ ହେବାକୁ ତାଙ୍କ ଲକ୍ଷ୍ୟ ରହିଛି।