କାଜୁ ଜଙ୍ଗଲରେ ଜୁଆଆଡ୍ଡା ସାଙ୍ଗକୁ ଜମୁଛି ଧଳା ଜହରର ଆସର, ଅନ୍ଧାରରେ ଯୁବପିଢ଼ିଙ୍କ ଭବିଷ୍ୟତ

ମହାକାଳପଡ଼ା,୨୨ା୧୦(ପ୍ରତାପ ଚଦ୍ର ସ୍ୱାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଉପକୂଳ ଅଞ୍ଚଳ ରାମନଗର ମୌଜାରେ ଉଦ୍ୟାନ କୃଷି ମୃତ୍ତିକା ସଂରକ୍ଷଣ ବିଭାଗ ପକ୍ଷରୁ ୧୯୭୨/୭୩ରେ  କାଜୁ ଚାରା ରୋପଣ କରାଯଇଥିଲା। ଏହି  ଜଙ୍ଗଲରେ ୩୫୪ ଏକର ବାଲିଆ ଜମିରେ ଦଶ ହଜାର ଗଛ ରୋପଣ କରାଯାଇ ଜଙ୍ଗଲ ସୃଷ୍ଟି କରାଯାଇଥିଲା । ଏହି ଜଙ୍ଗଲ  ୧୯୮୦ରେ ରାଜ୍ୟ କାଜୁ ନିଗମ ଅଧୀନକୁ ଆସିଥିଲା। ସେହିପରି ପିତାପାଟ ମୌଜାରେ ୧୮୪ ଏକର ପାଞ୍ଚ ହଜାର ଓ  ବାହାକୁଦରେ ମୌଜାରେ  ୨୮୨ ଏକରରେ ସାତ ହଜାର କାଜୁ ଗଛ ରହିଛି।

୧୯୯୯ ମହାବାତ୍ୟା ପରେ ଜଙ୍ଗଲ ଧୀରେ ଧୀରେ ତାର ପୂର୍ଵ ସ୍ଥିତି ହରାଇଛି । ସେହିପରି ଏହି ବିଶାଳ କାଜୁ ଜଙ୍ଗଲ ପାଲଟିଛି ଜୁଆ ନିଶାଡି ମାନଙ୍କ ଚରା ଭୂଇଁ । ବିଶେଷ କରି ଯୁବ ପିଢ଼ିଙ୍କ ଭବିଷ୍ୟତ ବରବାଦ ହେବା  ଆଶଙ୍କା କୁହାଯାଉଛି । ଏହି ଜଙ୍ଗଲରେ ନିରୋଳା ସ୍ଥାନ ଦେଖି  ଅପରାହ୍ନରୁ ବିଳମ୍ବିତ ରାତି ପର୍ଯ୍ୟନ୍ତ ଗହଳିଆ କାଜୁ ଗଛ ମୂଳେ ଜୁଆ ଆଡ୍ଡା ଜମାଇଥାନ୍ତି । ଏଥିରେ ବିଭିନ୍ନ  ନିଶା ଦ୍ରବ୍ୟ ସମେତ ଧଳା ଜହର, ଗଞ୍ଜେଇ ଅଫିମ ଚରସ ଆଦି ନିଶା ପାନରେ  କବଳିତ ବହୁ ସ୍ୱଳ୍ପ ବୟସର ପିଲାମାନେ  ନିଶାଗ୍ରସ୍ତ ହେଉଛନ୍ତି । ମହାନଦୀ ଅପର ପାର୍ଶ୍ୱରେ ପାରାଦ୍ୱୀପରୁ କେତେକ ଅଭ୍ୟାସଗତ ନିଶା ବ୍ୟବସାୟୀ ଦଲାଲମାନେ ଯୋଗାଉ ଥିବା କୁହାଯାଉଛି ।

କେବଳ ରାମନଗର ନୁହେଁ ଖରିନାସି, ଜମ୍ବୁ, ସୁନୀତି, ତନ୍ତିଆପାଳ, ବାବର ବଜାର,  ରାଜନଗର ଓ ପଟ୍ଟାମୁଣ୍ଡାଇ ଆଦି ଅଂଚଳକୁ ଧଳା ଜହର ସମେତ ବିଭିନ୍ନ ମାଦକ ଦ୍ରବ୍ୟ ଚାଲାଣ କରାଯାଉଥିବା କୁହାଯାଉଛି । ଅପର ପକ୍ଷରେ କାଜୁ ଜଙ୍ଗଲରେ କେତେକ ଅଭ୍ୟାସଗତ ବ୍ୟବସାୟୀମାନେ ଗଛ କାଟିବା ସହ ଜେସିବି ମେସିନରେ ବାଲି ତାଡି ବିକ୍ରି କରି ବିଶାଳ ଆକାରରେ ଜଳାଶୟ ସୃଷ୍ଟି କରିଛନ୍ତି । ଏହା ସହିତ  ବିଭିନ୍ନ ଅପରାଧିକ କାର୍ଯ୍ୟ କଳାପରେ ଲିପ୍ତ ରହୁଛନ୍ତି ଯୁବପିଢ଼ି । ଏଥି ପ୍ରତି ଜିଲା ପ୍ରଶାସନ ସ୍ୱତନ୍ତ୍ର ଦୃଷ୍ଟି ଦେବା ସହ ସ୍ଥାନୀୟ ପୋଲିସ ପାଟ୍ରୋଲିଙ୍ଗ କଡ଼ାଜାଡି କରିବା ପାଇଁ ବୁଦ୍ଧିଜୀବୀ ମହଲରେ ଦାବି ହେଉଛି। କାଜୁ ନିଗମର କୌଣସି କର୍ମଚାରୀ ନାହାନ୍ତି ।  ଦୁଇ ଜଣ ଅସ୍ଥାୟୀ ଜଗୁଆଳି ରହିଛନ୍ତି । ରାଜ୍ୟ  କାଜୁ ନିଗମ ଆଞ୍ଚଳିକ ଅଫିସ ଚଣ୍ଡିଖୋଲରେ ଥିବାରୁ ଯୋଗାଯୋଗ ସମ୍ଭବ ହୋଇ ପାରିନି ।

 

Dharitri – Odisha’s No.1 Odia Daily

Share