କେନ୍ଦ୍ର ସାହିତ୍ୟ ଏକାଡେମୀର ପୁସ୍ତକ ବିକ୍ରୟ କେନ୍ଦ୍ର ଖୋଲିଲା

ଭୁବନେଶ୍ୱର, ୧୯।୨ (ବ୍ୟୁରୋ):କେନ୍ଦ୍ର ସାହିତ୍ୟ ଏକାଡେମୀ ପକ୍ଷରୁ ଗୁରୁବାର ରାଜ୍ୟ ସଂଗ୍ରହାଳୟ ପରିସରରେ ପୁସ୍ତକ ବିକ୍ରୟ କେନ୍ଦ୍ର ଉଦ୍‌ଘାଟିତ ହୋଇଛି। ଏଠାରେ ଏକାଡେମୀର ସମସ୍ତ ପୁସ୍ତକ ୨୪ ଭାଷାରେ ଉପଲବ୍ଧ ହେବ। କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରି ସାହିତ୍ୟ ଏକାଡେମୀର ପୂର୍ବତନ ସଭାପତି ତଥା ବରିଷ୍ଠ କବି ରମାକାନ୍ତ ରଥ କହିଛନ୍ତି, ଭାଷା ବିଭିନ୍ନ ହୋଇପାରେ ମାତ୍ର ସାହିତ୍ୟ ଏକ। ସାହିତ୍ୟ ଭିନ୍ନ ଭିନ୍ନ ଭାଷାରେ ଲେଖା ହେଲେ ବି ସାହିତ୍ୟ ଗୋଟିଏ। ଆମ ଦୈନନ୍ଦିନ ଜୀବନର ପ୍ରବେଶ ଦ୍ୱାର ହେଉଛି ସାହିତ୍ୟ। ତେଣୁ ଏହାକୁ ଉପଯୁକ୍ତ ମର୍ଯ୍ୟାଦା ନ ଦେଲେ ଆମ ଜୀବନ ସାର୍ଥକ ହେବ ନାହିଁ। ପୁସ୍ତକ ବିକ୍ରୟ ଉପରୁ ଏବେ ଆଗ୍ରହ ଚାଲିଗଲାଣି। ପୂର୍ବରୁ ଯେଉଁ ସ୍ଥାନରେ ପୁସ୍ତକ ବିକ୍ରି ହେଉଥିଲା ଏବେ ସେଠାରେ ମୋବାଇଲ, ଜୁଏଲେରୀ ଭଳି ଅନ୍ୟ ସାମଗ୍ରୀ ବିକ୍ରି ହେଉଛି। ସାହିତ୍ୟ ହେଉଛି ଜାତିର ପ୍ରାଣ। ମାତ୍ର ଏହାକୁ ଏପରି ପଛକୁ ଠେଲି ଦିଆଯାଉଥିବାରୁ ସେ ଉଦ୍‌ବେଗ ପ୍ରକାଶ କରିଥିଲେ।
ସାହିତ୍ୟ ଏକାଡେମୀ ପୂର୍ବାଞ୍ଚଳ ଶାଖାର ଆଞ୍ଚଳିକ ସଚିବ ଡ. ଦେବେନ୍ଦ୍ର କୁମାର ଦେବେସ୍‌ କହିଲେ, ଆଦିବାସୀଙ୍କ ଉନ୍ନୟନ ପାଇଁ ଦିଲ୍ଲୀରେ ଥିବା କେନ୍ଦ୍ରକୁ ଖୁବ୍‌ଶୀଘ୍ର ଭୁବନେଶ୍ୱରକୁ ସ୍ଥାନାନ୍ତର କରାଯିବ। ଏହି କେନ୍ଦ୍ର ରାଜ୍ୟ ସଂଗ୍ରହାଳୟ ପରିସରରେ ଖୋଲିବା ସହ ପୁସ୍ତକ ବିକ୍ରୟ କେନ୍ଦ୍ର ସହ ମିଶି କାମ କରିବ ବୋଲି ସେ ସୂଚନା ଦେଇଥିଲେ। ସଂସ୍କୃତି ବିଭାଗ ନିର୍ଦ୍ଦେଶକ ରଞ୍ଜନ ଦାସ ଏକାଡେମୀ କାର୍ଯ୍ୟକୁ ପ୍ରଶଂସା କରିଥିଲେ। ଏଥିସହ ରାଜ୍ୟ ସଂଗ୍ରହାଳୟରେ ହେବାକୁ ଥିବା ମହାତ୍ମା ଗାନ୍ଧୀ ଗ୍ୟାଲେରି, ସ୍ବାଧୀନତା ସଂଗ୍ରାମୀ ଗ୍ୟାଲେରି, କଣ୍ଟେମ୍ପରାରି ଆର୍ଟ ଗ୍ୟାଲେରି, ରୟାଲ ହିଷ୍ଟ୍ରି ଗ୍ୟାଲେରି ଆଦି ୫ ଗ୍ୟାଲେରି ସମ୍ପର୍କରେ ଅବଗତ କରାଇଥିଲେ। ଏଥିସହ ସେଠାରେ ଆଗାମୀ ଦିନରେ ଛୋଟପିଲାଙ୍କ ପାଇଁ ଡଲସ୍‌ ଗ୍ୟାଲେରି ଓ କାଫେଟ୍‌ରିଆର ବ୍ୟବସ୍ଥା ହେବ ବୋଲି କହିଥିଲେ।
ଦିଲ୍ଲୀ ସାହିତ୍ୟ ଏକାଡେମୀର ସଚିବ କେ.ଶ୍ରୀନିବାସ ରାଓ ସ୍ବାଗତ ଭାଷଣ ଦେଇଥିଲେ। ଓଡ଼ିଆ ସାହିତ୍ୟ, ସଂସ୍କୃତିର ବିକାଶ ପାଇଁ କେନ୍ଦ୍ର ସାହିତ୍ୟ ଏକାଡେମୀର ଏପରି ପଦକ୍ଷେପ ନେଉଥିବା କହିଥିଲେ। କାର୍ଯ୍ୟକ୍ରମରେ ଏକାଡେମୀର ଆବାହକ ବିଜୟାନନ୍ଦ ସିଂ, ସଂଗ୍ରହାଳୟ ଅଧୀକ୍ଷକ ଭାଗ୍ୟଲିପି ମଲ୍ଲ ପ୍ରମୁଖ ଉପସ୍ଥିତ ଥିଲେ।