ଭିଜିଲାନ୍ସ ଜାଲରେ କେଲେଙ୍ଗାପାଲି ପିଇଓ

ବରଗଡ଼ ଅଫିସ,୨୫।୧- ବରଗଡ଼ ଜିଲା ଭଟଲି ବ୍ଲକ ଅନ୍ତର୍ଗତ କେଲେଙ୍ଗାପାଲି ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ( ପିଇଓ) ଉମେଶ କୁମାର ସେଠଙ୍କ ବାସଭବନରେ ସୋମବାର ସକାଳେ ଭିଜିଲାନ୍ସ ପକ୍ଷରୁ ଚଢାଉ କରାଯାଇଛି। ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ବିଭାଗ ପକ୍ଷରୁ ଏହି ଚଢ଼ାଉ କରାଯାଇଛି । ବରଗଡ଼ ଏବଂ ସମ୍ବଲପୁର ଭିଜିଲାନ୍ସ ବିଭାଗ ଅଧିକାରୀମାନେ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ସେଠଙ୍କ ବରଗଡ଼ସ୍ଥିତ ବାସଭବନ,ବରପାଲି ଥାନା ଅନ୍ତର୍ଗତ ଲାଉନସରା ଗ୍ରାମସ୍ଥିତ ବାସଭବନ, କେଲେଙ୍ଗାପାଲି ଗ୍ରାମପଞ୍ଚାୟତ ଅଫିସ ଓ କେଶାଇପାଲି ପଞ୍ଚାୟତ ଅଫିସରେ ଚଢାଉ ଜାରି ରଖିଛନ୍ତି। ବରଗଡ଼ ଭିଜିଲାନ୍ସ ଡିଏସ୍‌ପି ପରମେଶ୍ବର କିଶାନଙ୍କ ନେତୃତ୍ୱରେ ଏକକାଳୀନ ଉପରୋକ୍ତ ୪ଟି ସ୍ଥାନରେ ଚଢ଼ାଉ ଚାଲିଛି। ଖବର ଲେଖାଯିବା ପର୍ଯ୍ୟନ୍ତ ଚଢ଼ାଉ ଜାରି ରହିଥିବା ଯୋଗୁ ସେଠଙ୍କ ସମୁଦାୟ ସମ୍ପତ୍ତି ଆକଳନ କରାଯାଇପାରି ନାହିଁ।