ରେଡ୍‌ ଜୋନ୍‌ରେ ସଂକ୍ରମିତଙ୍କ ଉପରେ ନଜର ରଖ-ଜିଲାପାଳ : ସମସ୍ତଙ୍କ ହେବ ସ୍ବାସ୍ଥ୍ୟ ଯାଞ୍ଚ

ଛତ୍ରପୁର,୧୫ା୭(ଡି.ଏନ୍‌.ଏ.)- ଛତ୍ରପୁରଠାରେ ଗଞ୍ଜାମ ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ ଜିଲାର ସମସ୍ତ ଅଧିକାରୀଙ୍କ ସହ କୋଭିଡ୍‌-୧୯ ପରିଚାଳନାଗତ ବିଭିନ୍ନ ବିଷୟ ନେଇ ଭିଡିଓ କନଫରେନ୍ସିଂ ଜରିଆରେ ଆଲୋଚନା କରିଥିଲେ।
କରୋନା ଯୋଦ୍ଧା ଭାବେ କାର୍ଯ୍ୟକରି ସଂକ୍ରମିତ ହୋଇଥିବା କେତେକ ଅଧିକାରୀ ଓ କର୍ମଚାରୀ ସୁସ୍ଥ ହୋଇ ଫେରି କାର୍ଯ୍ୟରେ ଯୋଗ ଦେଇଥିବାରୁ ଜିଲାପାଳ ସେମାନଙ୍କ ସାହାସକୁ ସାଧୁବାଦ ଜଣାଇଥିଲେ। ସମ୍ପ୍ରତି ରେଡ୍‌ ଜୋନରେ ସଂକ୍ରମିତ ବ୍ୟକ୍ତିଙ୍କ ଉପରେ ନଜରରେ ରଖିବା ଓ ତାଙ୍କ ଘର ସାମ୍ନାରେ ରେଡ୍‌ ଜୋନ୍‌ ଷ୍ଟିକର ଲଗାଇବା ସହ ସଂକ୍ରମିତ ବ୍ୟକ୍ତିଙ୍କୁ ଏକାନ୍ତ ରଖିବା ବ୍ୟବସ୍ଥା କଡାକଡି କରିବାକୁ ନିର୍ଦ୍ଦେଶ ଦେଇଥିଲେ। ସହରାଞ୍ଚଳରେ ଯଦି କାହାଘରେ ଏକାନ୍ତ ରହିବାର ସୁବିଧା ନଥିବ ତେବେ ତାଙ୍କୁ କମ୍ୟୁନିଟି କେୟାର ହେଲ୍‌ଥ ସେଣ୍ଟରରେ ରଖିବାକୁ ଜଣାଇଥିଲେ। ଗ୍ରାମାଞ୍ଚଳରେ କେତେକ ଅମାନିଆ ଦଳଗତ ତାସ୍‌ ଖେଳିବା ପ୍ରଶାସନ ନଜରକୁ ଆସିଛି। ସେହି ବ୍ୟକ୍ତିଙ୍କ ବିରୋଧରେ ଏଫ୍‌ଆଇଆର୍‌ ଦେଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ବର୍ତ୍ତମାନ ଗାଁ ପୋଖରୀରେ ଗାଧୋଇବାକୁ ବାରଣ କରାଯାଇଛି। ଏହାକୁ ଅଧିକ ନଜର ରଖିବାକୁ ଜିଲାପାଳ ପରାମର୍ଶ ଦେଇଥିଲେ। ଜିଲା ସ୍ତରରୁ ଅଧିକାରୀ ମାନଙ୍କୁ ପର୍ଯ୍ୟବେକ୍ଷକ ଦାୟିତ୍ୱ ଦିଆଯିବ। ସେମାନେ କମ୍ୟୁନିଟି କେୟାର ହେଲ୍‌ଥ ସେଣ୍ଟର ଯାଇ ପର୍ଯ୍ୟବେକ୍ଷଣ କରି ତଦାରଖ କରିବେ। ସ୍ବେଚ୍ଛାସେବୀ ଅନୁଷ୍ଠାନ କିମ୍ବା ସଂଘ ଚାହିଁଲେ ସ୍ବଇଚ୍ଛାରେ ସେମାନଙ୍କ ଅଞ୍ଚଳରେ ହୋମ୍‌ ଆଇସୋଲେସନ ସେଣ୍ଟର କରିପାରିବେ ଏବଂ କମ୍ୟୁନିଟି କେୟାର ହେଲ୍‌ଥ ସେଣ୍ଟର ଗୁଡିକର ପରିଚାଳନା କାର୍ଯ୍ୟ ତୁଲାଇ ପାରିବେ।