Posted inଫୁରସତ

ସର୍ବଜାଣଙ୍କ ବଖାଣ

ଦୁନିଆରେ ଏକ ସ୍ବତନ୍ତ୍ର ପ୍ରକାରର ମାନବ ଜାତି ହେଲେ ସର୍ବଜାଣ। ଅନ୍ୟକୁ ଉପରେ ପଡ଼ି ଅନାବଶ୍ୟକ ଭାବେ ନିଜର ରାୟ ଅର୍ଥାତ୍‌ ଉପଦେଶ ଦେବାରେ ଏମାନେ କେବେ ହେଳା କରନ୍ତି ନାହିଁ। ଏମାନେ ପ୍ରାୟତଃ ସବୁ ଦେଶରେ ଦେଖିବାକୁ ମିଳନ୍ତି। କିନ୍ତୁ ଆମ ଦେଶରେ ଯେତିକି ପ୍ରଜାତି ତଥା ଉପଜାତିର ସର୍ବଜାଣ ଦୃଶ୍ୟମାନ ହୁଅନ୍ତି, ତାହା ପୃଥିବୀରେ ବିରଳ। ଏମାନଙ୍କୁ ଆପଣ ଚାହା ଦୋକାନ, ଅଫିସ, ଖଟି, ସାମାଜିକ ଗଣମାଧ୍ୟମ ଇତ୍ୟାଦି କୌଣସି ବି ଜାଗାରେ ଭେଟିପାରିବେ। ଏମିତି କୁହନ୍ତୁ, ଏମାନଙ୍କୁ ଆପଣ ଖୋଜିବା ଦରକାର ନାହିଁ। ଏମାନେ ଆପେ ଆପେ ଆପଣଙ୍କ ପାଖରେ ପହଞ୍ଚତ୍ୟାଆନ୍ତି। ଏମାନେ ବିବିଧ ଜ୍ଞାନରେ ଜ୍ଞାନୀ। ପୃଥିବୀର ଏପରି କୌଣସି ସମସ୍ୟା ନାହିଁ, ଯାହା ଉପରେ ଏମାନେ ନିଜର ସୁଚିନ୍ତିତ ଉପଦେଶ ଦେଇ ନ ପାରିବେ। କୌଣସି ଆବଶ୍ୟକତା ନ ଥାଇ ମଧ୍ୟ ଏମାନେ ଅନର୍ଗଳ ନିଜର ପାଣ୍ଡିତ୍ୟ ଦେଖେଇ ହେବାରେ କୁଣ୍ଠା କରନ୍ତି ନାହିଁ। ସର୍ବଜାଣ ହେବା ପାଇଁ କୌଣସି ଶିକ୍ଷାଗତ ଯୋଗ୍ୟତାର ଆବଶ୍ୟକତା ଦରକାର ନାହିଁ, କେବଳ ବେସରମ ଗୁଣ ଟିକେ ଥିଲେ ହେଲା। ଯଦି ଅନ୍ୟର କଥା ମଝିରେ ଧସେଇ ପଶିବା ଅଭ୍ୟାସ ଥିବ, ତେବେ ଏ କ୍ଷେତ୍ରରେ ଶୀଘ୍ର ପ୍ରସିଦ୍ଧି ପାଇଯିବ ।

ବିତଣ୍ଡା ଯୁକ୍ତିରେ ଶେଷଯାଏ ନିଜ କଥାରେ ଅଟଳ ରହିବା, ‘ଅ’ ପ୍ରଶ୍ନର ଉତ୍ତର ‘ଆ’ରେ ଦେବା ଓ ଅନ୍ୟମାନଙ୍କଠାରୁ ସେ ଅଧିକ ଜାଣିଛି ବୋଲି ପ୍ରତ୍ୟୟ ଦେଇପାରୁଥିବା ଗୁଣ ଏମାନଙ୍କର ଆଉ ଏକ ବିଶେଷତ୍ୱ।

କିଛି ଭଲ ସର୍ବଜାଣ ଅଛନ୍ତି। ସେମାନଙ୍କ କଥା କିଏ ନ ଶୁଣିଲେ ବି ସେମାନେ ଏକ ବୃହତ୍‌ ସ୍ବାର୍ଥ ପାଇଁ ନିଜର ରାୟ ଦେବାରେ କେବେ ହେଳା କରନ୍ତି ନାହିଁ। ଏଇ ଧରିନିଅନ୍ତୁ ଜଣଙ୍କ କବିତା ପ୍ରକାଶିତ ହେଲା ପରେ ଏମାନଙ୍କ ମନ୍ତବ୍ୟ ଥିବ ତଳ ଦୁଇ ଲାଇନ୍‌ ଓ ପ୍ରଥମ ଲାଇନ୍‌ର ତିନିଟା ଶବ୍ଦ ଅନାବଶ୍ୟକ। ତାକୁ କାଟିଦିଅ। ଛାତ୍ରୀଛାତ୍ରମାନେ ସେମାନଙ୍କ ଉପଦେଶକୁ ନିର୍ମାଲ୍ୟ ଭାବି ଆଭୃମ ପ୍ରଣାମ କରୁଥିଲେ ବି ଗୁରୁଜନଙ୍କ କଥା ମାନି କେବେ ଗୋଟିଏ ବି ଶବ୍ଦ କାଟିବାର ମୋ ଦୃଷ୍ଟିକୁ ଆସିନି।

ଆଉ ଗୋଟେ ପ୍ରକାରର ସାହିତି୍ୟକ ସର୍ବଜାଣ ଏବେ ବହୁଳଭାବେ ଦୃଶ୍ୟମାନ ହେଉଛନ୍ତି। ଏମାନଙ୍କୁ ଆତ୍ମମୁଗ୍ଧ ସର୍ବଜାଣ କୁହାଯାଏ । ଏମାନଙ୍କ ପାଖରେ ଶତାବ୍ଦୀର ଶ୍ରେଷ୍ଠ ଉଦ୍ଭାବନ ‘ସାହିତ୍ୟ ଶୁଦ୍ଧତା ମାପକ ଯନ୍ତ୍ର’ ଥାଏ। କାହାର ଲେଖାଟିଏ ପ୍ରକାଶିତ ହେଲାମାତ୍ରେ ଏମାନେ ନିଜଆଡୁ ମାପକ ଯନ୍ତ୍ର ପକେଇ କହିଦେବେ ଏହାଦ୍ୱାରା ସାହିତ୍ୟର ଭବିଷ୍ୟତ ଅନ୍ଧାର ହେବ କି ଉଜ୍ଜ୍ୱଳ । ମଜା କଥା ହେଲା ଏ କିସମର ସର୍ବଜାଣମାନେ ଅନ୍ୟର ସୃଷ୍ଟିକୁ ମୂଲ୍ୟାୟନ କଲା ବେଳେ ନିଜର ସୃଷ୍ଟିକୁ ଉହ୍ୟ ରଖନ୍ତି ।
ସର୍ବଜାଣ ଅଛନ୍ତି ସେମାନେ ପୃଥିବୀର ଯେକୌଣସି ସମସ୍ୟା ଉପରେ ନିଜର ସୁଚିନ୍ତିତ ମତ ରଖିପାରନ୍ତି । ଧୋନୀ ଖେଳିବ କି କୋହଲି ଖେଳିବ, ପଞ୍ଚସ୍ତରି ଟଙ୍କିଆ କଏନ ଜାଗାରେ ସତୁରି ଟଙ୍କିଆ କଏନ କାହିଁକି ହେଲାନି, ପୁଟିନ ୟୁକ୍ରେନ୍‌ର କେଉଁ ସହର ଉପରେ କେଉଁ ବମ୍‌ ପକେଇବା କଥା ଇତ୍ୟାଦି ଇତ୍ୟାଦି । ତାଙ୍କ କଥାରୁ ଏମିତି ଲାଗିବ ଯେମିତି ପୁଟିନ ବମ୍‌ ପକେଇବା ପୂର୍ବରୁ ୟାଙ୍କ ସହ ଆଲୋଚନା ନ କରି ମସ୍ତବଡ଼ ଭୁଲ୍‌ କରୁଛନ୍ତି ।

ଏମାନେ ରାଜନୀତିଠାରୁ ନେଇ ଅର୍ଥନୀତି ପର୍ଯ୍ୟନ୍ତ ଓ କ୍ରିକେଟଠାରୁ ନେଇ ବଲିଉଡ୍‌ ପର୍ଯ୍ୟନ୍ତ ସବୁ ଆଲୋଚନାରେ ନିଜର ପାରଦର୍ଶିତା ଦେଖେଇପାରନ୍ତି । ଏମାନେ ସମସ୍ତେ ବିବିଧ ବିଷୟରେ ପ୍ରାଜ୍ଞ, ବିଦ୍ୱାନ୍‌, ଜ୍ଞାନୀ । ବିନା ଅଶ୍ୱତ୍ଥଗଛ ତଳେ ତପସ୍ୟାରେ ଏମାନେ ବୁଦ୍ଧତ୍ୱ ପ୍ରାପ୍ତି କରିଛନ୍ତି । ସେମାନଙ୍କ ରାୟ ଦେବାରେ କେବେ ହେଳା କରନ୍ତି ନାହିଁ କିମ୍ବା ଖରାପ ଲାଗିଲେ ବି ଶୁଣୁଥିବା ଲୋକର ଶୁଣିବା ପାଇଁ କେବେ ଉତ୍ସୁକତା କମ୍‌ ହୁଏନି ।

ମୁଁ ନିଜେ ଯେତିକି ଲୋକଙ୍କୁ ପାନ ଗୁଟ୍‌ଖାର ଭୟାବହତା ବିଷୟରେ ବୁଝେଇ ସାରିଲିଣି ତାକୁ କ୍ରମାନ୍ବୟରେ ଲେଖିଲେ ଭାଷାକୋଷଠାରୁ ବି ମୋଟା ଗ୍ରନ୍ଥ ହେବ । ନା ମୁଁ ନିଜେ ଛାଡିଛି ନା ମୋ କଥା ଶୁଣି ଅନ୍ୟ କେହି ଗୁଟ୍‌ଖା ଖାଇବା ଛାଡିଛନ୍ତି! ଯେମିତି ଯାଦୁଆକୁ କୁଣ୍ଡେଇ ହେଲା ପରେ କିଛି ସମୟ ପାଇଁ ଆରାମ ମିଳେ ସେମିତି ଭଲ ଶ୍ରୋତାଟିଏ ମିଳିଲେ ଏ ପ୍ରଜାତିର ସର୍ବଜାଣମାନେ ନିଜର ବାକ୍‌ ଗଲୁକୁ କୁଣ୍ଡେଇ ଦେବା ପାଇଁ କେବେ କାର୍ପଣ୍ୟତା ଦେଖାନ୍ତି ନାହିଁ । ଜଣେ ଯେତେ ସତର୍କ ରହିଲେ ମଧ୍ୟ ଏମାନଙ୍କ ହାବୁଡ଼ରେ ପଡିବା ଥୟ । ନିଜର ଯାହାବି ଜରୁରୀ କାର୍ଯ୍ୟ ଥାଉ ନା କାହିଁକି ଏମାନଙ୍କଠାରୁ ଜୀବନ ଦର୍ଶନର ପୂରା କୋର୍ସ ନ ଶୁଣିବା ଯାଏ ସେଠୁ ଖସିବା ମୁସ୍କିଲ ।

କେତେଜଣ ରାଜନେତା ସର୍ବଜାଣ ଅଛନ୍ତି ଯିଏ କହିଲା ବେଳେ ପାଟିରେ ବାଟୁଳି ବାଜେନି । କ’ଣ କହୁଛନ୍ତି, କାହିଁକି କହୁଛନ୍ତି, କାହାକୁ କହୁଛନ୍ତି ସେଥିପ୍ରତି ସେମନଙ୍କ ନଜର ନ ଥାଏ । ଆକାଶରୁ ଫୁଲ ତୋଳି ସେଥିରେ ମାଳା ଗୁନ୍ଥିପାରିବାର ସୂକ୍ଷ୍ମ କଳା ଏମାନଙ୍କୁ ଜଣା । ଏମାନେ ଭଞ୍ଜ ସାହିତ୍ୟ ଉପରେ ଭାଷଣ ଆରମ୍ଭ କରି ଶେଷରେ ତାଙ୍କ ସରକାରଙ୍କ ବିଶ୍ୱ ସ୍ତରୀୟ ଶୌଚାଳୟ ନିର୍ମାଣ ସହ ଉପେନ୍ଦ୍ର ଭଞ୍ଜଙ୍କ ରୀତି କବିତାର କିପରି ସାମଞ୍ଜସ୍ୟ ଅଛି ତାକୁ ଅତି ଚଟୁଳ ଢଙ୍ଗରେ ବୁଝେଇ ପାରନ୍ତି । ପୃଥିବୀର ଏପରି କୌଣସି ବିଷୟ ନାହିଁ ଯାହା ଉପରେ ଏମାନେ ଅନର୍ଗଳ ଭାଷଣ ଦେଇ ନ ପାରିବେ । ଏ ପର୍ଯ୍ୟନ୍ତ ଜଣେ ବି ରାଜନେତାଙ୍କୁ ଭେଟିନି ଯିଏ ନମ୍ରତାର ସହ କହିବେ ଆପଣ ଯେଉଁ ଆଲୋଚନା ଚକ୍ରକୁ ମୋତେ ମୁଖ୍ୟ ଅତିଥି କରି ଡାକୁଛନ୍ତି ସେ ବିଷୟରେ ମୋର ଜ୍ଞାନ ନାହିଁ । ତଥାପି ମଞ୍ଚରେ ଭାଷଣ ଦେଲାବେଳେ ଏମାନଙ୍କର କେବେ କଣ୍ଠରୁଦ୍ଧ ହୁଏନି । କାରଣ ନେତା ଜାଣିଥାନ୍ତି ଯେ ତାଙ୍କୁ ଓ ତାଙ୍କ ଭାଷଣକୁ କେହି ଗୁରୁତ୍ୱ ଦିଅନ୍ତି ନାହିଁ ।

ଗଣମାଧ୍ୟମ ଏପରି ଏକ ମାଧ୍ୟମ ଯେଉଁଠି ରାୟ ଦେବାକୁ କିମ୍ବା ଶୁଣିବାକୁ କାହାର ଅଭାବ ନାହିଁ । ଥରେ ଜଣେ ବହୁ ପ୍ରଚାରିତ ସାହିତ୍ୟପ୍ରାଣ ଫେସ୍‌ବୁକରେ ଲେଖିଲେ ମୋତେ ଆଜି ଥଣ୍ଡା ଜ୍ୱର । ବାସ୍‌ ତା’ପରେ ଥଣ୍ଡା ଜ୍ୱରର ଚତୁଃପାର୍ଶ୍ୱର କ୍ରିୟା ପ୍ରତିକ୍ରିୟା, କ’ଣ ଖାଇବା ଉଚିତ ଅନୁଚିତ ଓ ଘରୋଇ ସହ ବିଦେଶୀ ଉପଚାରକୁ ମିଶେଇ ଶହେ ଉପରେ ମତ ଆସିଲା । ଜଣେ ଭଉଣୀ ଲେଖିଲେ ଭାଇ ଆପଣଙ୍କୁ ମୋ ରାଣ ଦେହର ଯତ୍ନ ନେବା ସହ ଉଷୁମ ପାଣି ପିଅନ୍ତୁ । କେହିଜଣେ ଲେଖିଲେ ସାର୍‌ ଏବେ ଔଷଧ ନେଇ ଯାଇଥାନ୍ତି ଯେ ହେଲେ ଗାଁକୁ ଚାଲିଆସିଛି । ସେପଟୁ ସାର୍‌ ଲେଖିଲେ ତୁମ ଗାଁରୁ ଆମ ସହରକୁ ଡାଇରେକ୍ଟ ବସ୍‌ ଅଛି ପଠେଇଦିଅ। ହାୟ ବ୍ୟସ୍ତତା ଯୋଗୁ ବୋଧେ ସର୍ବଜାଣ ଜଣଙ୍କ ସାର୍‌ଙ୍କ ଉତ୍ତର ପଢି ନ ପାରି ନୀରବ ରହିଲେ । ମୁଁ ଭାବିଲି ପ୍ରଭାବୀ ସାହିତ୍ୟପ୍ରାଣଙ୍କୁ ମୋର ସମବେଦନା ଜଣେଇ ଟିକେ ତାଙ୍କ ପାଖେଇ ଯିବାର ଏହାହିଁ ପ୍ରକୃଷ୍ଠ ସମୟ । ସାର୍‌ଙ୍କୁ ଫୋନ କଲି । ସେପଟୁ ସାର୍‌ କହିଲେ, ମୋ ଦେହ ଖରାପ, ତୁମକୁ ଏହି ସମୟ ମିଳିଲା ବ୍ୟଙ୍ଗ କରିବାକୁ । ମୁଁ କହିଲି ନାହଁ ସାର୍‌ ଆପଣଙ୍କ ପ୍ରତି ଏତେ ସଂଖ୍ୟକ ପ୍ରତିଭାବାନ୍‌ ସାହିତି୍ୟକା ସାହିତି୍ୟକମାନଙ୍କ ଭଲ ପାଇବା ଦେଖି ମୁଁ ଅଭିଭୂତ । ଆପଣଙ୍କ ପୋଷ୍ଟରେ ଆସିଥିବା ସବୁ ପ୍ରକାର ଉପଚାରରେ ଆପଣ ସମ୍ପୂର୍ଣ୍ଣ ଭଲ ହୋଇଯିବେନି ନିଶ୍ଚେ । ସେପଟୁ ସାର୍‌ ଗମ୍ଭୀର ହୋଇ ଉତ୍ତର ଦେଲେ ନାହିଁ ଭଲ ହେଇନି । ମୁଁ ଦୁଃଖ ପ୍ରକାଶ କରି କହିଲି , ସାର୍‌ ସବୁ ସର୍ବଜାଣଙ୍କ ମନ୍ତବ୍ୟ ପଢିଲା ପରେ ଦେଖିଲି ସମୁଦାୟ ଚିକିତ୍ସା ଶାସ୍ତ୍ର ଭିତରୁ ଆଉ ମାତ୍ର ଗୋଟେ ଉପଚାର ବାକି ରହିଯାଇଛି । ଆପଣ ପୋଇ ରସରେ ଗୋଲମରୀଚ ଗୁଣ୍ଡ ମିଶେଇ ପିଅନ୍ତୁ ଶୀଘ୍ର ଉପଶମ ମିଳିବ । ସାର୍‌ ସେପଟୁ ରାଗରେ ଫୋନ କାଟିଦେଲେ ।

ମୋ ମନ ଦୁଃଖ ହୋଇଗଲା। ଏତେଲୋକ ଏତେପ୍ରକାର ଉପଚାର ବତେଇ ଧନ୍ୟବାଦ ପାଇଲେ ହେଲେ ମୋ ବେଳକୁ ଫୋନ କାଟିଦେଲେ ! ମୁଁ କ’ଣ କିଛି ଭୁଲ୍‌ କହିଲି କି? ତା’ପର ଦିନ ସାର୍‌ଙ୍କ ଆଉ ଗୋଟେ ପୋଷ୍ଟ ଆସିଲା- ‘ଏବେ ଆଉ ଜ୍ୱର ନାହିଁ କିନ୍ତୁ ମୁଣ୍ଡ ଭୀଷଣ ବିନ୍ଧୁଛି ।’ ମୋ ପାଖରେ ସାହିତି୍ୟକମାନଙ୍କ ମୁଣ୍ଡ ବିନ୍ଧା ପାଇଁ ଏକ ବହୁ ପରୀକ୍ଷିତ ଔଷଧ ଅଛି । ତାହା ଜଣେଇବାକୁ ସାର୍‌ଙ୍କୁ ଫୋନ କଲାପରେ ଜାଣିଲି ସାର୍‌ ମୋ ନମ୍ବରକୁ ବ୍ଲକ୍‌ କରିଦେଇଛନ୍ତି । ହଉ ଛାଡ଼, ତାଙ୍କ ଭାଗ୍ୟରେ ଯଦି ମୋ ଠାରୁ ଉପାଦେୟ ରାୟ ନେବାର ନାହିଁ ତେବେ ମୋ ଭଳି ଜଣେ ନାମ୍‌ କା ବାସ୍ତା ଲେଖକ ଅଧିକ କ’ଣ ବା କରିପାରିବ !

– ବନମାଳୀ ଭବନ, ଖାନ୍‌ନଗର, କଟକ
ମୋ: ୯୪୩୭୦୧୦୭୫୮


Enter your email to get our daily news in your inbox.

All Right Reserved By Dharitri.Com

AI ଦୌଡ଼ରେ ଗୁଗଲର ବଡ଼ ପଦକ୍ଷେପ: ୪.୭୫ ବିଲିୟନ ଡଲାରରେ କିଣିଲା ଏହି କମ୍ପାନୀ

ନୂଆଦିଲ୍ଲୀ,୨୨ା୧୨: କୃତ୍ରିମ ବୁଦ୍ଧିମତା ବା ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ (AI) କ୍ଷେତ୍ରରେ ନିଜର ଦବଦବା ବଜାୟ ରଖିବା ପାଇଁ ଗୁଗଲର ପ୍ୟାରେଣ୍ଟ କମ୍ପାନୀ ‘ଆଲଫାବେଟ୍’ ଏକ ବଡ଼...

ପ୍ରତି ଘଣ୍ଟାରେ କେଉଁ ଦେଶରେ ହେଉଛି ସବୁଠାରୁ ଅଧିକ ମୃତ୍ୟୁ ? ଜାଣନ୍ତୁ ଭାରତର ସ୍ଥାନ

ନୂଆଦିଲ୍ଲୀ,୨୨ା୧୨: ବିଶ୍ୱର ଜନସଂଖ୍ୟା ଆଜି ୮୦୦ କୋଟି ଅତିକ୍ରମ କରିଥିବା ବେଳେ ଭାରତ ୧୪୬ କୋଟିରୁ ଅଧିକ ଜନସଂଖ୍ୟା ସହ ପ୍ରଥମ ସ୍ଥାନରେ ରହିଛି। ତେବେ...

ଭାରତୀୟ ଖେଳାଳିଙ୍କ ‘ଅନୈତିକ ଆଚରଣ’: ପାକିସ୍ତାନ କୋଚ୍ ସରଫରାଜଙ୍କ ବଡ଼ ଅଭିଯୋଗ

ମୁମ୍ବାଇ,୨୨ା୧୨: ୧୯ ବର୍ଷରୁ କମ୍ ଏସିଆ କପ୍ ଫାଇନାଲରେ ଭାରତକୁ ୧୯୧ ରନର ବିଶାଳ ବ୍ୟବଧାନରେ ହରାଇ ପାକିସ୍ତାନ ଚାମ୍ପିଅନ୍ ହୋଇଛି। ତେବେ ଏହି ଐତିହାସିକ...

ବିଭିନ୍ନ ଦାବି ନେଇ ଜିଲାପାଳଙ୍କ କାର୍ଯ୍ୟାଳୟ ଘେରିଲେ ଅଙ୍ଗନଓ୍ବାଡି କର୍ମୀ: ଦେଲେ ଚେତାବନୀ, ସମାଧାନ ନ ହେଲେ…

ବରଗଡ଼,୨୨।୧୨(ପ୍ରେମାନନ୍ଦ ଖମାରୀ): ସୋମବାର ପଶ୍ଚିମ ଓଡ଼ିଶା ଅଙ୍ଗନଓ୍ବାଡି କର୍ମୀ ଓ ସହାୟିକା ସଂଘ ନେତୃତ୍ୱରେ ବରଗଡ଼ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିଶାଳ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି।...

ଗାଁକୁ ଫେରୁଥିବାବେଳେ ଟ୍ରେନରୁ ଖସି ଦାଦନ ଶ୍ରମିକଙ୍କ ମୃତ୍ୟୁ

ପାତ୍ରପୁର, ୨୨।୧୨(ଉମା ଚରଣ ନେପାକ): ପାତ୍ରପୁର ବ୍ଳକ ବାଦପୁର ପଞ୍ଚାୟତ ତିନିଘରିଆ ଗ୍ରାମର ନରସିଂହ ନାଇକ (୨୮) ନେଲୁରୁ ସ୍ଥିତ ଦିଶା ନାମକ ଏକ କମ୍ପାନୀରେ...

MGNREGA ନାମ ବଦଳାଇବା ବିବାଦ: ରାଜରାସ୍ତାକୁ ଓହ୍ଲାଇଲା କଂଗ୍ରେସ, କେନ୍ଦ୍ର ସରକାରଙ୍କୁ ଦେଲା ଚେତାବନୀ

ଭଞ୍ଜନଗର,୨୨।୧୨(ବାବୁଲା ପ୍ରଧାନ): ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା ନାମକୁ କେନ୍ଦ୍ର ସରକାର ଇତିମଧ୍ୟରେ ବଦଳାଇଛନ୍ତି। ଏଥିସହ ନୂଆ ଯୋଜନାରେ ବ୍ୟାପକ...

ଭଞ୍ଜନଗର ଏନ୍‌ଏସିକୁ ମିଳିଲା ମ୍ୟୁନିସିପାଲଟି ମାନ୍ୟତା: ମିଶିବ ଏହି ସବୁ ଗାଁ, ଖୁସିରେ ଅଞ୍ଚଳବାସୀ

ଭଞ୍ଜନଗର,୨୨।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଏନ୍‌ଏସିକୁ ସୋମବାରଠାରୁ ବିଧିବଦ୍ଧ ଭାବେ ମ୍ୟୁନିସିପାଲଟି ମାନ୍ୟତା ମିଳିଛି। ସେହିଭଳି ଜଗନ୍ନାଥପ୍ରସାଦ ପଞ୍ଚାୟତକୁ ଏନ୍‌ଏସି ମାନ୍ୟତା ମିଳିଛି। ଆଜି...

ଦିନକ ପରେ ବରଗଡ଼ ଧନୁଯାତ୍ରା: ମହୋତ୍ସବକୁ ନେଇ ଏମିତି କହିଲେ ଜିଲାପାଳ

ବରଗଡ,୨୨।୧୨(ପ୍ରେମାନନ୍ଦ ଖମାରୀ): ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ୭୮ତମ ବରଗଡ଼ ଧନୁଯାତ୍ରା ମହୋତ୍ସବକୁ ଆଉ ମାତ୍ର ଦିନେ ବାକି। ଆସନ୍ତା ୨୪ତାରିଖରୁ ଏହି ମହୋତ୍ସବ ଆରମ୍ଭ ହେବ।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri