ପ୍ରଶାସନର ଦୃଷ୍ଟି ଆଢ଼ୁଆଳରେ କସନା ପାହାଡ଼

ଭବାନୀପାଟଣା,୧୮।୧(ଉତ୍ତମ କୁମାର ଦାଶ): କିମ୍ବଦନ୍ତୀ ଓ ରହସ୍ୟ ଭରା ପାହାଡ କସନା ଡଙ୍ଗର। କଳାହାଣ୍ଡି ଜିଲା ଜୟପାଟଣା ବ୍ଲକ ମହକୁମାଠାରୁ ପ୍ରାୟ ୨୬ କି.ମି. ଦୂରରେ ଥିବା କସନା ପାହାଡର ଦୃଶ୍ୟ ପର୍ଯ୍ୟଟକଙ୍କ ମନମୋହିଥାଏ। ସ୍ବପ୍ନାଦେଶ ଅନୁଯାୟୀ ବିଭିନ୍ନ ଦେବଦେବୀ ଏଠାରେ ପୂଜା ପାଉଛନ୍ତି। ହେଲେ ପର୍ଯ୍ୟଟନ ବିଭାଗର ଦୃଷ୍ଟି ଆଢ଼ୁଆଳରେ ଏବେ ଏହା ରହିଯାଇଛି। କଳା, ସଂସ୍କୃତି ଏବଂ ଐତିହ୍ୟର ଭୂମି ହେଉଛି କଳାହାଣ୍ଡି। ଏଠାକାର ଅନେକ ପାହାଡ ଓ ଗୁମ୍ଫାରେ ରହିଛି ଅନେକ କିମ୍ବଦନ୍ତି ଓ ରୋଚକପୁର୍ଣ୍ଣ ଲୋକକଥ। ସେମିତି ଅନେକ ପାହାଡ ଉପରେ ପୂଜା ପାଇ ଆସୁଛନ୍ତି ବହୁ ଦେବଦେବୀ। ଏମିତି ଏକ ପାହାଡ ମଧ୍ୟରେ ରହିଛି ଜୟପାଟଣା ବ୍ଲକ ବଡପୂଝାରିଗୁଡା ପଞ୍ଚାୟତରେ। ଘନଜଙ୍ଗଲ ମଧ୍ୟରେ ସବିଗୁଡା ଗାଁଠାରୁ ପ୍ରାୟ ୩ କି.ମି. କଚା ରାସ୍ତା ଓ ୧ କି.ମି. ଘାଟିରାସ୍ତା ପାରି ହେବା ପରେ ପଡ଼ୁଛି କସନା ପାହାଡ। ଏଠାରେ ରହିଛି ଅନେକ ଦେବଦେବୀଙ୍କ ପୀଠ ଓ ମନ୍ଦିର। ଏହି ଡଙ୍ଗର ମଧ୍ୟରେ ଅଷ୍ଚଶମ୍ଭୁ, ଶ୍ୟାମକାଳି, ରାମଶିଳା, ପାତାଳେଶ୍ବର ମହାଦେବ, ମା’ପାର୍ବତୀ, ଚଉଷଠୀ ଯୋଗିନୀ, ଭୈରବ ଚଣ୍ଡୀ ଓ ଶ୍ରୀରାମ ପାଦୁକା ଭଳି ଅନେକ ଦେବଦେବୀଙ୍କ ପୀଠ ରହିଥିବା ବେଳେ ଜଳକୁଣ୍ଡ ଓ ରହସ୍ୟମୟ ଗୁମ୍ଫା ଏହି ଅଞ୍ଚଳ ପାଇଁ ଧର୍ମିୟ ଓ ପର୍ଯ୍ୟଟନ କ୍ଷେତ୍ରରେ ଲୋକଙ୍କୁ ଆକାର୍ଶିତ କରୁଛି। ଅଞ୍ଚଳର ପ୍ରତିଦନ ଶ୍ରଦ୍ଧାଳୁମାନଙ୍କ ଭିଡ ଲାଗି ରହିଥିବା ବେଳେ ପ୍ରତୈକ ପୀଠରେ ସ୍ବତନ୍ତ୍ର ଭାବେ ପୂଜକମାନଙ୍କ ଦ୍ବାରା ସମସ୍ତ ଦେବଦେବୀ ପୂଜା ପାଇ ଆସୁଛନ୍ତି। ଏଠାରେ ଯାହା ବି ମାନସିକ କରିଥିଲେ ତାହା ପୂରଣ ହୁଏ ବୋଲି ଲୋକଙ୍କ ବିଶ୍ୱାସ ରହିଛି। ଅନେକ ବର୍ଷ ପୂର୍ବରୁ କିଛି ଭକ୍ତଙ୍କୁ ସ୍ବପ୍ନାଦେଶ ହେବା ପରେ କେତେକ ଧର୍ମପରାୟଣ ବ୍ୟକ୍ତିଙ୍କ ଉଦ୍ୟମରେ ପୀଠ ସବୁ ସ୍ଥାପନ ହୋଇ ପୂଜାର୍ଚ୍ଚନା କରାଯାଉଥିବା ଲୋକେ ପ୍ରକାଶ କରିଛନ୍ତି। ୧ ଲକ୍ଷ ଟଙ୍କା ସରକାରୀ ସହାୟତା ଏବଂ ସ୍ଥାନୀୟ ଲୋକଙ୍କ ଚେଷ୍ଚାରେ ଏବେ ପ୍ରାୟ ୭ଶହ ମିଟର ଘାଟି ରାସ୍ତା କାଟି ଗମନାଗମନ ପାଇଁ ନୂତନ କଚା ରାସ୍ତା ନିର୍ମାଣ ହୋଇଥିବାରୁ ଲୋକେ ଯିବାଆସିବା କରିପାରୁଛନ୍ତି। ଏବେ ପିକନିକ ଋତୁ ହୋଇଥିବାରୁ ବେସ ଭି଼ଡ ମଧ୍ୟ ଦେଖିବାକୁ ମିଳୁଛି ଏହି କସନା ପାହାଡରେ। ହେଲେ ଖରା, ବର୍ଷା, ଶିତରେ ଖୋଲା ଜାଗାରେ ପୂଜା ପାଇ ଆସୁଥିବା ଦେବଦେବୀଙ୍କ ରକ୍ଷଣାବେକ୍ଷଣ ଲାଗି କିଛି ବନ୍ଦୋବସ୍ତ ନ ଥିବାରୁ କାଠ ଓ ବାଉଁଶର ଛାମୁଣି କରି ରଖାଯାଇଥିବା ବେଳେ ଶ୍ରଦ୍ଧାଳୁମାନଙ୍କ ପାଇଁ ବିଶ୍ରାମ ଗୃହ, ପାନୀୟ ଜଳ, ସବୁ ଦିନିଆ ରାସ୍ତା ପାଇଁ ସରକାର ଦୃଷ୍ଟି ଦେବା ପାଇଁ ସାଧାରଣରେ ଦାବି ହୋଇଛି।