Categories: ଖେଳ

କାର୍ତ୍ତିକଙ୍କୁ ଅଧିକ ସୁଯୋଗ ଦିଆଯିବ: ରୋହିତ

ହାଇଦ୍ରାବାଦ, ୨୭।୯:ଆସନ୍ତା ମାସରେ ଟି୨୦ ବିଶ୍ୱକପ ଖେଳାଯିବାକୁ ଥିବାବେଳେ ଉଇକେଟ କିପର ଦୀନେଶ କାର୍ତ୍ତିକଙ୍କୁ ଅଧିକ ବ୍ୟାଟିଂ ସୁଯୋଗ ଦିଆଯିବ ବୋଲି ଟିମ୍‌ ଇଣ୍ଡିଆ ଅଧିନାୟକ ରୋହିତ ଶର୍ମା ସୂଚନା ଦେଇଛନ୍ତି। ଭାରତ ଏହାର ପ୍ଲେଇଂ ଏକାଦଶରେ କାର୍ତ୍ତିକ ଏବଂ ରିଷଭ ପନ୍ତଙ୍କୁ ରୋଟେଶନ କରି ଖେଳାଉଛି। ଯୁବ ଉଇକେଟ କିପର ପନ୍ତଙ୍କୁ ଏସିଆ କପ୍‌ରେ ପ୍ରାଧାନ୍ୟ ଦିଆ ଯାଇଥିବାବେଳେ ଭେଟେରାନ କାର୍ତ୍ତିକଙ୍କୁ ଅଷ୍ଟ୍ରେଲିଆ ବିପକ୍ଷ ସିରିଜରେ ନିଆ ଯାଇଥିଲା। ତେବେ ସେ ଅଧିକ ବଲ୍‌ ଖେଳିବା ସୁଯୋଗ ପାଇ ନ ଥିଲେ। ଅଷ୍ଟ୍ରେଲିଆ ବିପକ୍ଷରେ କାର୍ତ୍ତିକ ମାତ୍ର ୭ଟି ବଲ୍‌ର ସମ୍ମୁଖୀନ ହୋଇଥିଲେ। ପନ୍ତ ଗୋଟିଏ ମ୍ୟାଚରେ ସାମିଲ ଥିଲେ ହେଁ ବ୍ୟାଟିଂ କରିବା ସୁଯୋଗ ପାଇ ନ ଥିଲେ। ବିଶ୍ୱକପ ପୂର୍ବରୁ ଉଭୟ ଉଇକେଟ କିପର ଖେଳିବା ସୁଯୋଗ ପାଆନ୍ତୁ ବୋଲି ମୁଁ ଚାହୁଁଛି। ଏସିଆ କପ୍‌ରେ ମଧ୍ୟ ଉଭୟ ଦଳରେ ସାମିଲ ଥିଲେ ବୋଲି ରବିବାର ଅଷ୍ଟ୍ରେଲିଆ ବିପକ୍ଷରେ ସିରିଜ ବିଜୟ ପରେ ଖବରଦାତା ସମ୍ମିଳନୀରେ ପ୍ରକାଶ କରିଛନ୍ତି ରୋହିତ।
ବିଶ୍ୱକପ ପୂର୍ବରୁ ଭାରତ ୩ ମ୍ୟାଚ ବିଶିଷ୍ଟ ଟି୨୦ ସିରିଜ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଖେଳିବ। ପରିସ୍ଥିତିକୁ ଦେଖି ପନ୍ତ ଓ କାର୍ତ୍ତିକଙ୍କୁ ଚୂଡ଼ାନ୍ତ ଦଳରେ ସାମିଲ କରାଯିବ ବୋଲି ରୋହିତ ସୂଚନା ଦେଇଛନ୍ତି। ଆମେ ଦକ୍ଷିଣ ଆଫ୍ରିକାର ବୋଲିଂ ଦେଖିବାକୁ ଅପେକ୍ଷା କରିଛୁ। ବୋଲିଂ ଲାଇନ୍‌ଅପ୍‌ ଦେଖିବାପରେ ତାକୁ ମୁକାବିଲା କଲାଭଳି ବ୍ୟାଟିଂ ଲାଇନ୍‌ଅପ୍‌ ପ୍ରସ୍ତୁତ କରିବୁ। ବୋଲି ରୋହିତ ପ୍ରକାଶ କରିଛନ୍ତି।

Share