Categories: ଖେଳ

ବାଂଲାଦେଶ ବିପକ୍ଷରେ ଖେଳି ନ ପାରନ୍ତି କାର୍ତ୍ତିକ

ଆଡିଲେଡ୍‌, ୧ା୧୧:ଭାରତୀୟ କ୍ରିକେଟ୍‌ ଦଳର ସିନିୟର ଉଇକେଟ୍‌କିପର ଦୀନେଶ କାର୍ତ୍ତିକଙ୍କ ପିଠି ମାଂସପେଶୀରେ ସମସ୍ୟା ଦେଖା ଦେଇଛି। ଫଳରେ ତାଙ୍କର ବୁଧବାର ବାଂଲାଦେଶ ବିପକ୍ଷ ମ୍ୟାଚ୍‌ ଖେଳିବା ନେଇ ସନ୍ଦେହ ସୃଷ୍ଟି ହୋଇଛି। ପିଠିରେ ଯନ୍ତ୍ରଣା ଯୋଗୁ ଗତ ଦକ୍ଷିଣ ଆଫ୍ରିକା ବିପକ୍ଷ ଗେମ୍‌ର ଶେଷ ୫ ଓଭର ପୂର୍ବରୁ ସେ ପଡ଼ିଆ ଛାଡ଼ିବାକୁ ବାଧ୍ୟ ହୋଇଥିଲେ। କାର୍ତ୍ତିକ ଆଘାତପ୍ରାପ୍ତ ହୋଇଥିବାରୁ ତାଙ୍କ ସ୍ଥାନରେ ରିଷଭ ପନ୍ତଙ୍କୁ ଚୂଡ଼ାନ୍ତ ଏକାଦଶରେ ସ୍ଥାନ ମିଳିପାରେ। ମେଡିକାଲ ଟିମ୍‌ କାର୍ତ୍ତିକଙ୍କ ଚିକିତ୍ସା କରୁଛି। ହେଲେ ସେ ଏପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଫିଟ୍‌ ହୋଇପାରିନାହାନ୍ତି ବୋଲି ଭାରତୀୟ କ୍ରିକେଟ୍‌ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ)ର ଜଣେ ସିନିୟର ଅଫିସିଆଲ ସୂଚନା ଦେଇଛନ୍ତି। ସୂଚନାଯୋଗ୍ୟ, କାର୍ତ୍ତିକଙ୍କର ଟୁର୍ନାମେଣ୍ଟରେ ପ୍ରଦର୍ଶନ ଆଶାନୁରୂପ ହୋଇପାରିନାହିଁ। ତାଙ୍କୁ ଜଣେ ଦକ୍ଷ ଫିନିଶର ବିବେଚନା କରାଯାଏ। ପାକିସ୍ତାନ ବିପକ୍ଷ ମ୍ୟାଚ୍‌ରେ ସେ ମାତ୍ର ୧ ରନ୍‌ କରିଥିବା ବେଳେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ୧୫ଟି ବଲ୍‌ ଖେଳି ୬ ରନ୍‌ କରିଥିଲେ। ପର୍ଥସ୍ଥିତ ଅପ୍‌ଟସ ଷ୍ଟାଡିୟମରେ ସେ ପେସ୍‌ ଓ ସ୍ପିନ୍‌ ସହ ଖାପ ଖୁଆଇ ଖେଳିବାରେ ସକ୍ଷମ ହୋଇ ନ ଥିଲେ। ସୂର୍ଯ୍ୟକୁମାରଙ୍କ ସହ ୫୨ ରନ୍‌ ପାର୍ଟନରଶିପ୍‌ରେ ତାଙ୍କର ଅବଦାନ ମାମୁଲି ଥିଲା। ଏଥିପାଇଁ ତାଙ୍କୁ ସମାଲୋଚିତ ହେବାକୁ ପଡ଼ିଛି। ଅଷ୍ଟ୍ରେଲିଆ ଟେଷ୍ଟ ମ୍ୟାଚ୍‌ରେ ପନ୍ତଙ୍କ ପ୍ରଦର୍ଶନ ପ୍ରଭାବୀ ଥିଲା। କାର୍ତ୍ତିକଙ୍କ ତୁଳନାରେ ହରିଜୋଣ୍ଟାଲ୍‌ ଅବା ଭୂସମାନ୍ତର ଶର୍ଟ ଖେଳିବାରେ ଅଧିକ ପାରଙ୍ଗମ। ସେ ଜଣେ ଆକ୍ରମଣାତ୍ମକ ଖେଳାଳି ମଧ୍ୟ।

Share