ପାର୍ବଣରେ ଅବହେଳା କଲେ କୋପ ଦେଖାଇବ କରୋନା

ଭୁବନେଶ୍ୱର, ୧୭।୧୦ (ବ୍ୟୁରୋ): ରାଜ୍ୟରେ ଏବେ କରୋନା ଗ୍ରାଫ୍‌ ତଳମୁହଁା ହୋଇଛି। ଗତ ସେପ୍ଟେମ୍ବର ୨୫ ପରଠାରୁ ଦୈନିକ ସଂକ୍ରମିତଙ୍କ ସଂଖ୍ୟା ହ୍ରାସ ପାଇଥିବାବେଳେ ବେକାବୁ କରୋନା ଧୀରେ ଧୀରେ ନିୟନ୍ତ୍ରଣାଧୀନ ହେଉଥିବା ନଜରକୁ ଆସୁଛି। କିନ୍ତୁ ଆଗକୁ ପାର୍ବଣ ଆସୁଛି। ଯଦି ଲୋକମାନେ ଅବହେଳା କରିବେ ତା’ହେଲେ ପୁଣି କରୋନା ତା’ର କାୟା ବିସ୍ତାର କରିବ। ଅନ୍ୟ ଦେଶ ତଥା ମହାଦେଶରେ କରୋନାର ପୁନଃ ସଂକ୍ରମଣ ଆରମ୍ଭ ହୋଇଛି। ଯଦି ଆମେ ଏବେଠୁ ସତର୍କତା ଅବଲମ୍ବନ ନ କରିବା ତା’ହେଲେ କରୋନା ପୁଣି କୋପ ଦେଖାଇବ ବୋଲି ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଲାଇଫ୍‌ ସାଇନ୍ସ (ଆଇଏଲ୍‌ଏସ୍‌) ନିର୍ଦ୍ଦେଶକ ଅଜୟ ପରିଡ଼ା କହିଛନ୍ତି।
ରାଜ୍ୟବାସୀଙ୍କୁ ଏଭଳି ସତର୍କ କରାଇ ଅଜୟ କହିଛନ୍ତି, ସେପ୍ଟେମ୍ବର ୧୧ରୁ ୨୫ ମଧ୍ୟରେ ରାଜ୍ୟରେ ଦୈନିକ ୪ହଜାରରୁ ଊର୍ଦ୍ଧ୍ୱ ସଂକ୍ରମିତ ଚିହ୍ନଟ ହେଉଥିଲେ। ହେଲେ ଏହାପରଠୁ ଦୈନିକ ସଂକ୍ରମିତଙ୍କ ସଂଖ୍ୟା ୨ରୁ ଅଢ଼େଇ ହଜାର ଭିତରେ ରହିଛି। ରାଜ୍ୟରେ ଏବେ ମଧ୍ୟ ପୂର୍ବ ଭଳି ଟେଷ୍ଟିଂ ଜାରି ରହିଥିବାବେଳେ ବର୍ଷା ପାଇଁ ନମୁନା ସଂଗ୍ରହ ସାମାନ୍ୟ କମିଛି। ସବୁଠୁ ବଡ଼ କଥା ହେଲା ରାଜ୍ୟର ସଂକ୍ରମଣ ହାର ୫%ରୁ କମ୍‌ ରହିଛି, ଯାହାକି ସାମାନ୍ୟ ଆଶ୍ୱସ୍ତି ପ୍ରଦାନ କରୁଛି। ସେହିପରି ମୃତ୍ୟୁ ହାର ବଢ଼ୁଥିଲେ ବି ଅନ୍ୟ ରାଜ୍ୟ ତୁଳନାରେ କମ୍‌ ରହିଛି। ହେଲେ ଆଗକୁ ପୂଜା ଆସୁଛି, ଅଧିକ ସଚେତନ ହେବାର ଆବଶ୍ୟକତା ରହିଥିବା ସେ କହିଛନ୍ତି।