କରମଣ୍ଡଳ ଏକ୍ସପ୍ରେସ ଦୁର୍ଘଟଣାଗ୍ରସ୍ତ: ଆକଳନ କରାଯାଇ ପାରୁନାହିଁ ମୃତକଙ୍କ ସଂଖ୍ୟା

ସୋର,୨।୬(ଡି.ଏନ.ଏ.): ବାଲେଶ୍ୱର ଜିଲା ବାହାନଗା ଷ୍ଟେଶନରେ ଶୁକ୍ରବାର ସନ୍ଧ୍ୟାରେ ୨ ଏକ୍ସପ୍ରେସ୍ ଟ୍ରେନ୍ କରମଣ୍ଡଳ ଏକ୍ସପ୍ରେସ ଓ ଯଶୱନ୍ତପୁର-ହାୱଡ଼ା ଏକ୍ସପ୍ରେସ ଦୁର୍ଘଟଣାଗ୍ରସ୍ତ ହୋଇଛି।  ଏହି ଦୁର୍ଘଟଣାରେ ୬-୭ ବଗି ଲାଇନଚ୍ୟୁତ ହୋଇଥିବା ଅନୁମାନ କରାଯାଉଛି। ମୃତକଙ୍କ ସଂଖ୍ୟା ଏଯାବତ୍‌ ସ୍ପଷ୍ଟ ହୋଇ ନ ଥିବା ବେଳେ ସଂଖ୍ୟା ବଢ଼ୁଥିବା ଅନୁମାନ କରାଯାଉଛି। ଯାହାକି ଆକଳନ କରିବା କଷ୍ଟକର ହୋଇ ପଡ଼ୁଛି। ମୃତକଙ୍କ ସଂଖ୍ୟା ୫୦ରୁ ଊର୍ଦ୍ଧ୍ୱ ରହିଛି।

ଟ୍ରେନ ତଳେ ଅନେକ ଯାତ୍ରୀ ଚାପି ହୋଇ ରହିଥିବା ଜଣା ପଡ଼ିଛି। ଟ୍ରେନରେ ଫସିଥିବା ଯାତ୍ରୀଙ୍କ ଉଦ୍ଧାର ପାଇଁ ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ୟମ ଆରମ୍ଭ ହୋଇଛି । ଘଟଣାସ୍ଥଳରେ ସ୍ଥାନୀୟ ପ୍ରଶାସନିକ ଅଧିକାରୀ, ରେଳ କର୍ମଚାରୀ, ଉଦ୍ଧାରକାରୀ ଟିମ୍‌ ଓ ଓଡ୍ରାଫ୍‌ ଟିମ୍‌ ନିୟୋଜିତ ହୋଇଛନ୍ତି । ସ୍ଥାନୀୟ ଲୋକେ ମଧ୍ୟ ଉଦ୍ଧାର କାର୍ଯ୍ୟରେ ନିଜକୁ ସାମିଲ୍‌ କରାଇଛନ୍ତି। ତେବେ ଅନ୍ଧାର ଯୋଗୁଁ ଉଦ୍ଧାରକାର୍ଯ୍ୟ ବାଧାପ୍ରାପ୍ତ ହୋଇଛି। ଉଦ୍ଧାରକାର୍ଯ୍ୟ ପାଇଁ ଏନଡିଆରଏଫକୁ ଘଟଣାସ୍ଥଳକୁ ପଠାଯାଇଛି।