କଙ୍କିଆ ପଞ୍ଚାୟତ:୧୭ଗାଁକୁ ଛୁଇଁନି କରୋନା

ବ୍ରହ୍ମପୁର ଅଫିସ,୩୧ା୮ କରୋନା ସମଗ୍ର ବିଶ୍ୱବାସୀଙ୍କୁ ଦୋହଲାଇ ଦେଇଛି।  ଦେଶ ଓ ରାଜ୍ୟ ମଧ୍ୟ ଏଥିରୁ ବାଦ ଯାଇନି। ବିଶେଷକରି ଗଞ୍ଜାମ ଜିଲାରେ କରୋନା  କାୟା ବିସ୍ତାର କରିଛି।  ମେ ୨ତାରିଖରେ କରୋନା ସଂକ୍ରମଣ ଜିଲାରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ ତାହା କମିଥିଲେ ମଧ୍ୟ ସମ୍ପୂର୍ଣ୍ଣ ବନ୍ଦ ହୋଇନାହିଁ। ପ୍ରତିଦିନ ସଂକ୍ରମଣ ଓ ମୃତ୍ୟୁ ଜାରି ରହିଛି। ଏଯାବତ ଜିଲାରେ ୧୭,୬୭୨ ସଂକ୍ରମିତ ହୋଇସାରିଥିବା ବେଳେ ୧୮୯ ଜଣଙ୍କ ମୃତ୍ୟୁ ଘଟିଛି। ସଂକ୍ରମଣରେ ଗଞ୍ଜାମ ଜିଲା ସର୍ବାଗ୍ରେ ଥିବା ବେଳେ କୁକୁଡାଖଣ୍ଡି ବ୍ଲକର କଙ୍କିଆ ପଞ୍ଚାୟତର ୧୭ ଗାଁକୁ ଏହା ଛୁଇଁ ପାରିନାହିଁ। ଆଦିବାସୀ ଅଧ୍ୟୁଷିତ ଏହି ୧୭ ଗାଁରୁ ଜଣେ ମଧ୍ୟ ପଜିଟିଭି ଚିହ୍ନଟ ହୋଇନାହାନ୍ତି। ୨୨ ପଞ୍ଚାୟତ ମଧ୍ୟରୁ ୨୧ ପଞ୍ଚାୟତର ଅଧିକାଂଶ ଗାଁରେ କରୋନା ବ୍ୟାପିଥିବା  ବେଳେ ୧୭ ଗାଁକୁ କରୋନା ଛୁଇଁ ପାରିନାହିଁ।

କୁକୁଡାଖଣ୍ଡି ବ୍ଲକ ଶେଷ ଭାଗ ଓ ଚିକିଟି ବ୍ଲକ ସୀମାନ୍ତରେ କଙ୍କିଆ ପଞ୍ଚାୟତ ରହିଛି। ଏହାର ଚତୁର୍ଦ୍ଦିଗରେ ବଣ ପାହାଡ଼ ସହିତ ଘଞ୍ଚ ଜଙ୍ଗଲ ରହିଛି। ଏହି ପଞ୍ଚାୟତର ମୋଟ ୨୨ଗାଁରୁ  ଅଧିକାଂଶ  ଜଙ୍ଗଲ ଭିତରେ ରହିଛି। ପଞ୍ଚାୟତର ମୋଟ ଜନସଂଖ୍ୟା ୪୪୭୬। ଏଠାରେ ପୁରୁଷଙ୍କ ସଂଖ୍ୟା ୨୪୪୯ ଓ ମହିଳା ୨୦୨୭। ଅଧିକାଂଶ ଗାଁକୁ ଲାଗିରହିଛି ପାହାଡ଼ ଓ ବାଣିଆମାରି ସଂରକ୍ଷିତ ଜଙ୍ଗଲ।

କୁକୁଡଡାଖଣ୍ଡି ବ୍ଲକରୁ ପ୍ରାୟ ୨୦କି.ମି. ଦୂରରେ ଗାଁଗୁଡିକ ଅବସ୍ଥିତ।  ଏଯାବତ ଏହି ପଞ୍ଚାୟତରେ ଆଦିବାସୀମାନଙ୍କୁ କରୋନା ସ୍ପର୍ଶ କରିପାରିନାହିଁ। ଗାଁର ଆଦିବାସୀମାନେ ଉଚ୍ଚ ଶିକ୍ଷିତ ନ ହେଲେ ମଧ୍ୟ କରୋନା କଟକଣା ପାଇଁ ବେଶ ସଚେତନ ଅଛନ୍ତି। ଆବଶ୍ୟକ ନ ପଡିଲେ ଅନ୍ୟ କୌଣସି ଗାଁ କିମ୍ବା ସହରକୁ ଯାଉ ନାହାନ୍ତି। ଅନ୍ୟ କୌଣସି ଗାଁ ଲୋକ ଆସିଲେ ସେମାନଙ୍କୁ  ପୁରାଇ ଦେଉ ନାହାନ୍ତି।

କୁକୁଡାଖଣ୍ଡି ବ୍ଲକରେ ଗତ ୨୯ ତାରିଖ ସୁଦ୍ଧା ୬୫୨ ଆକ୍ରାନ୍ତ ହୋଇଥିବା ବେଳେ ୬୧୨ ସୁସ୍ଥ ହୋଇଛନ୍ତି। ସେହିଭଳି କରୋନାରେ ୮ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୩୨  ଆକ୍ରାନ୍ତ କୋଭିଡ୍‌ କେୟାର ସେଣ୍ଟର ଏବଂ ଘରୋଇ ସଙ୍ଗରୋଧରେ ଚିକିତ୍ସିତ ହେଉଥିବା ଗୋଷ୍ଠୀ ଉନ୍ନୟନ ଅଧିକାରୀ  ଗଦାଧର ପାତ୍ର ସୂଚନା ଦେଇଛନ୍ତି।

କୁକୁଡଡାଖଣ୍ଡି ବ୍ଲକର ଅଧିକାଂଶ ଗାଁକୁ କରୋନା ବ୍ୟାପିଥିବା ବେଳେ କଙ୍କିଆ ପଞ୍ଚାୟତ କଙ୍କିଆରୁ ୫ ପଜିଟିଭ ଚିହ୍ନଟ ହୋଇଥିବା ବେଳେ ରାଇପଡାରୁ ଜଣେ, ଖଣ୍ଡାଳବନ୍ଧରୁ ୩, ରାମଡିହରୁ ୩  ଓ କୋଇଲିକୋଟରୁ ଜଣେ ପଜିଟିଭ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ହୋଇଥିବା ୧୩ ଜଣଙ୍କ ସ୍ବାସ୍ଥ୍ୟାବସ୍ଥା ଭଲ ଥିବା ବିଡ଼ିଓ ପାତ୍ର ସୂଚନା ଦେଇଛନ୍ତି। ଅନ୍ୟପଟେ ବ୍ଲକର ୯୬ ଗାଁରୁ ୮୪ଗାଁ ବର୍ତ୍ତମାନସୁଦ୍ଧା ଗ୍ରୀନ୍‌ ଜୋନ୍‌ରେ ରହିଥିବା ସେ ସୂଚନା ଦେଇଛନ୍ତି। ସେହିପରି ବର୍ତ୍ତମାନ ସୁଦ୍ଧା ଗୋଟିଏ ପଞ୍ଚାୟତର ୧୭ ଗାଁ କରୋନା ମୁକ୍ତ ଏକ ଉଦାହରଣ ବୋଲି ପଞ୍ଚାୟତ ସମିତି ସଭ୍ୟ ତଥା ବ୍ଲକ ଅଧ୍ୟକ୍ଷ କାମାକ୍ଷା ପ୍ରସାଦ ପାତ୍ର କହିଛନ୍ତି।