Categories: Home Leftଖେଳ

ୱିଲିୟମସନଙ୍କ ସନ୍ନ୍ୟାସ ପଛରେ ବିରାଟ କୋହଲି! ନିଜେ ଖୋଲିଲେ ବଡ଼ ରାଜ୍‌, କହିଦେଲେ ଏତେ ବଡ଼ କଥା

ନୂଆଦିଲ୍ଲୀ, ୯।୧୧: ନ୍ୟୁଜିଲାଣ୍ଡର ପୂର୍ବତନ ଅଧିନାୟକ କେନ ୱିଲିୟମସନ ଚଳିତ ବର୍ଷ ଅନ୍ତର୍ଜାତୀୟ କ୍ରିକେଟରୁ ସନ୍ନ୍ୟାସ ଘୋଷଣା କରିଥିଲେ। ଏବେ ସେ ନିଜର ଏହି ବଡ଼ ନିଷ୍ପତ୍ତି ପଛରେ ଭାରତୀୟ ଷ୍ଟାର୍‌ କ୍ରିକେଟର ବିରାଟ କୋହଲିଙ୍କ ସହ ହୋଇଥିବା ଏକ ବାର୍ତ୍ତାଳାପର ଗୁରୁତ୍ୱପୂର୍ଣ୍ଣ ଭୂମିକା ଥିବା କଥା କହିଛନ୍ତି। ୱିଲିୟମସନଙ୍କ କହିବା ଅନୁସାରେ, ସନ୍ନ୍ୟାସ ଘୋଷଣା କରିବାର ଠିକ ଗୋଟିଏ ଦିନ ପୂର୍ବରୁ ବିରାଟଙ୍କ ସହ ହୋଇଥିବା କଥାବାର୍ତ୍ତା ତାଙ୍କୁ ଉଚିତ୍‌ ନିଷ୍ପତ୍ତି ନେବାର ଦିଗ ଦେଖାଇଥିଲା।

କେନ ୱିଲିୟମସନ ପୋଡକାଷ୍ଟରେ କଥା ହେବା ସମୟରେ କହିଥିଲେ ଯେ, ସେ ନିଜର ଅନେକ ଘନିଷ୍ଠ ବନ୍ଧୁ ଏବଂ ବିଶ୍ୱସ୍ତ ବ୍ୟକ୍ତିଙ୍କ ସହ ଏହି ବିଷୟରେ ଆଲୋଚନା କରିଥିଲେ। କିନ୍ତୁ ବିରାଟ କୋହଲିଙ୍କ ସହ ହୋଇଥିବା କଥାବାର୍ତ୍ତା ତାଙ୍କ ପାଇଁ ବେଶ ଖାସ ଥିଲା।

ସେ କହିଥିଲେ, “ବିରାଟଙ୍କ ସହ କଥା ହେବା ସମୟରେ ମୋତେ ଏପରି ଲାଗୁଥିଲା, ଯେମିତି ମୁଁ ନିଜକୁ ଆଇନାରେ ଦେଖୁଛି। ଆମେ ଦୁହେଁ କ୍ରିକେଟରେ ନିଜର ଦୀର୍ଘ ଅନୁଭୂତି ବାଣ୍ଟିଥିଲୁ।”

ୱିଲିୟମସନ ଆହୁରି କହିଥିଲେ ଯେ, ବିରାଟ ଏବେ ମଧ୍ୟ କ୍ରିକେଟ ଖେଳୁଛନ୍ତି, କିନ୍ତୁ ସେ ମଧ୍ୟ ଜୀବନରେ ଏଭଳି ଅନେକ ବଡ଼ ନିଷ୍ପତ୍ତି ନେଇଛନ୍ତି। ତାଙ୍କ ଭଳି ସମାନ ପରିସ୍ଥିତି ଦେଇ ଗତି କରିଥିବା ଅନ୍ୟ କୌଣସି ଖେଳାଳି ନାହାନ୍ତି ବୋଲି ସେ ଅନୁଭବ କରିଥିଲେ। ଏପରିକି ନିଜ ଦଳରେ ମଧ୍ୟ ଏଭଳି କୌଣସି ଖେଳାଳି ନଥିଲେ, ଯିଏ ତାଙ୍କ ଭଳି ସମାନ ସମୟ ଧରି ଅଧିନାୟକତ୍ୱ କରିବା ସହ ପରିବାର ଓ ପିଲାମାନଙ୍କ ସହ ଜୀବନ ବିତାଇଥିଲେ।

ୱିଲିୟମସନ କହିଥିଲେ, “ଆମେ ଏକପ୍ରକାର ସମାନ୍ତରାଳ ଜୀବନ ବଞ୍ଚୁଛୁ। ଆମ ଦୁନିଆ ଅଲଗା ହୋଇଥିଲେ ମଧ୍ୟ ଆମ ସମ୍ପର୍କ ବେଶ ଖାସ। ସେହି କଥାବାର୍ତ୍ତା ସମୟରେ ନିଜର ଦୁର୍ବଳତା ଏବଂ ଭାବନାକୁ ପରସ୍ପର ସହ ବାଣ୍ଟିବା ବହୁତ ଭଲ ଲାଗିଥିଲା।”

ସେ ଏହା ମଧ୍ୟ ମନେ ପକାଇ କହିଥିଲେ ଯେ, ଫୋନରେ କଥା ହେବା ପରେ ଯେତେବେଳେ ତାଙ୍କ ପତ୍ନୀ ହୋଟେଲ ରୁମକୁ ଆସିଥିଲେ, ସେତେବେଳେ ସେ କହିଥିଲେ, “ଏବେ ସମୟ ଆସିଯାଇଛି।”

ନ୍ୟୁଜିଲାଣ୍ଡର ଏହି ମହାନ ବ୍ୟାଟର ନିଜ ଅନ୍ତର୍ଜାତୀୟ କ୍ୟାରିୟରରେ ୧୧୦ଟି ଟେଷ୍ଟ ମ୍ୟାଚରୁ ୯୫୧୫ ରନ, ୧୭୫ଟି ଦିନିକିଆରୁ ୭୨୫୬ ରନ ଏବଂ ୯୩ଟି ଟି-୨୦ ମ୍ୟାଚରୁ ୨୫୭୫ ରନ ସଂଗ୍ରହ କରିଛନ୍ତି। ସେ ଟେଷ୍ଟ କ୍ରିକେଟରେ୧୦ ହଜାର ରନର ମାଇଲଖୁଣ୍ଟଠାରୁ ଅଳ୍ପ ଦୂରରେ ରହିଯାଇଥିଲେ। ତେବେ ୱିଲିୟମସନ କହିଛନ୍ତି ଯେ, ଏହି ବ୍ୟକ୍ତିଗତ ଲକ୍ଷ୍ୟ କେବେ ମଧ୍ୟ ତାଙ୍କୁ ପ୍ରେରଣା ଦେଇନଥିଲା।

ସେ କହିଛନ୍ତି ଯେ, ବିରାଟ କୋହଲି ଆଲୋଚନା ସମୟରେ ଏକ ବିଶେଷ ଶବ୍ଦର ଉଲ୍ଲେଖ କରିଥିଲେ। ତାହା ହେଉଛି ‘ଗ୍ୟାଲେରି ପାଇଁ ଖେଳିବା’। ଏହାର ଅର୍ଥ ହେଉଛି, ଆପଣ ନିଜର ଇଚ୍ଛା ବା ଉଦ୍ଦେଶ୍ୟ ବଦଳରେ ଅନ୍ୟମାନଙ୍କୁ ଖୁସି କରିବା କିମ୍ବା ବାହାର ଲୋକଙ୍କ ଆଶା ପୂରଣ କରିବା ପାଇଁ କାମ କରିବା ଆରମ୍ଭ କରିଦିଅନ୍ତି। ଯାହା ଆପଣଙ୍କୁ ଖେଳ ଏବଂ ଦଳର ଅଂଶ ହେବା ପଛରେ ଥିବା ପ୍ରକୃତ ପ୍ରେରଣାଠାରୁ ଦୂରେଇ ଦିଏ।

Dharitri – Odisha’s No.1 Odia Daily

Share