ଦାରିଙ୍ଗବାଡି, ୪।୯ (ଅରୁଣ ସାହୁ ): କନ୍ଧମାଳ ଜିଲା ଦାରିଙ୍ଗବାଡି ବିଡ଼ିଓ ପ୍ରୀତିରଞ୍ଜନ ରଥ ବୁଧବାର ୩ଟି ପଞ୍ଚାୟତକୁ ଗସ୍ତ କରିଛନ୍ତି। ସେ ଉକ୍ତ ବ୍ଲକର ଦୁର୍ଗମ ପଞ୍ଚାୟତ ଭାବେ ରହିଥିବା କାଟିଙ୍ଗିଆ, କୁମ୍ଭାରୀଗାଁ ଏବଂ ବ୍ରାହ୍ମଣୀଗାଁ ପଞ୍ଚାୟତ ବୁଲିଥିଲେ। ଉକ୍ତ ଅଞ୍ଚଳରେ ପ୍ରାଥମିକ ବିଦ୍ୟାଳୟକୁ ସ୍ମାର୍ଟ ବିଦ୍ୟାଳୟ ଭାବେ ରୂପାନ୍ତର କାର୍ଯ୍ୟ ଚାଲିଛି । ତାକୁ ସେ ପରିଦର୍ଶନ କରିବା ସହ ତୁରନ୍ତ କାର୍ଯ୍ୟ ସାରିବାକୁ କନିଷ୍ଠ ଯନ୍ତ୍ରୀ ମନୋଜ ପୃଷ୍ଟିଙ୍କୁ ନିର୍ଦ୍ଦେଶ ଦେଇଥିଲେ। ସେହିପରି ଅନ୍ତଦୋୟ ଓ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଚାଲିଥିବା ଗୃହ କାର୍ଯ୍ୟ ପରିଦର୍ଶନ କରିବା ସହ ଗୃହ ନିର୍ମାଣ କାର୍ଯ୍ୟକୁ ଶୀଘ୍ର ସାରିବାକୁ ଗୃହକର୍ତ୍ତାଙ୍କୁ ନିର୍ଦ୍ଦେଶ ଦେଇଥିଲେ।
ସେହିପରି ଉକ୍ତ ୩ ପଞ୍ଚାୟତରେ ନୂତନ ଭାବେ ନିର୍ମାଣ କରାଯାଉଥିବା ଅଙ୍ଗନାୱାଡି ଗୃହ ସମେତ ବିଭିନ୍ନ ପ୍ରକଳ୍ପ ବୁଲି ଦେଖିଥିଲେ ସେହିପରି ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ବିଭିନ୍ନ ଯୋଜନା ଗୁଡିକ ଲୋକଙ୍କ ନିକଟରେ କିଭଳି ସୂଚାରୁରୂପେ କାର୍ଯ୍ୟକାରୀ କରାଯିବ ସେନେଇ କନିଷ୍ଠ ଯନ୍ତ୍ରୀ ମନୋଜ ପୃଷ୍ଟି ଏବଂ ବିପିସି ଜଗନ୍ନାଥ ରଥଙ୍କ ସହ ସମୀକ୍ଷା କରିଥିଲେ। ଦୁର୍ଗମ ଅଞ୍ଚଳରେ ବିଡ଼ିଓଙ୍କୁ ନିକଟରେ ପାଇ ଅଞ୍ଚଳବାସୀ ତାଙ୍କର ରହିଥିବା ବିଭିନ୍ନ ସମସ୍ୟା ଗୁଡିକ ବିଡ଼ିଓ ରଥଙ୍କୁ ଜଣାଇଥିଲେ। ଏଥିସହ ବାର୍ଦ୍ଧକ୍ୟ ଭତ୍ତା ସମେତ ସରକାର ଙ୍କ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ପାଇବା ପାଇଁ ରହିଯାଇଥିବା ଯୋଗ୍ୟ ହିତାଧିକାରୀ ମାନେ ବିଡ଼ିଓଙ୍କୁ ଅଭିଯୋଗ ଜଣାଇଥିଲେ।


