କଳପଡ଼ା ରଜ ମହୋତ୍ସବ ବନ୍ଦ ଘଟଣା:ଅନୁମତି ପତ୍ର ଦେଇ ଫେରାଇନେଲା ପୋଲିସ ପ୍ରଶାସନ

କଟକ ସଦର,୧୫।୬(ସୁଶାନ୍ତ କୁମାର ଜେନା) ୪୨ ମୌଜା ଅନ୍ତର୍ଗତ କଳପଡ଼ା ରଜ ମହୋତ୍ସବ ବନ୍ଦ ଘଟଣା ଉପରେ ୟୁନିୟନ ଫର କଟକ ସଦର ଡେଭଲପମେଣ୍ଟର ସଭାପତି ଘଟଣାର ରହସ୍ୟ ଉନ୍ମୋଚନ କରିଛନ୍ତି। ପୋଲିସ ପ୍ରଶାସନ ଅନୁମତି ପତ୍ର ପ୍ରଦାନ କରି ଟିକେ ଭୁଲ ଅଛି କହି ଉକ୍ତ ପତ୍ରଟି ଫେରାଇ ନେଇ ଆଉ ଫେରାଇ ନ ଥିଲେ। ଫଳରେ ୧୪ ତାରିଖ ରଜ ମହୋତ୍ସବକୁ ପୋଲିସ ପ୍ରଶାସନ ବନ୍ଦ କରିବା ପାଇଁ ତାଗିଦ୍ କରିଥିଲା ବୋଲି ସୋମବାର  ୟୁନିୟନର ସଭାପତି ମନୋଜ କୁମାର ନାୟକ କହିଛନ୍ତି। ଆୟୋଜିତ ଖବର ଦାତା ସମ୍ମିଳନୀରେ ଘଟଣାର ସତ୍ୟାସତ୍ୟ ଉନ୍ମୋଚନ କରି ନାୟକ ୧୩ ତାରିଖ ରାତିରେ ଡିସିପି କାର୍ଯ୍ୟାଳୟ ମହୋତ୍ସବ ପାଇଁ ଅନୁମତି ଦେଇଥିଲେ। କର୍ମକର୍ତ୍ତା ମାନେ ଏହି ଚିଠିକୁ ନେଇ କଳପଡ଼ା ଆସୁଥିବା ବେଳେ ହଠାତ୍ ଜଣେ ବରିଷ୍ଟ ପୋଲିସ ଅଧିକାରୀ ଅନୁମତି ପତ୍ରରେ କିଛିଟା ତ୍ରୁଟି ରହିଥିବା କହି ସଂଶୋଧନ ପାଇଁ ପୁଣି କାର୍ଯ୍ୟାଳୟକୁ ଆସିବା ପାଇଁ କହିଥିଲେ।ଚିଠିଟି ନେବା ପରେ ଆଉ ଫେରାଇ ନ ଥିଲେ। ମେ ମାସ ୨୫ ତାରିଖ ରୁ ଆର ଆଇ ରିପୋର୍ଟ ସହ ତହସିଲ କାର୍ଯ୍ୟାଳୟକୁ ଦରଖାସ୍ତ ଯାଇଥିଲା।ଜୁନ ୧୩ ତାରିଖ ରାତିରେ କଟକ ସଦର ତହସିଲଦାର ଅନୁମତି ଦେଇ ୧୧ ତାରିଖ ଚିଠି ନମ୍ବର ପକାଇଥିଲେ।ଅଲିଖିତ ଭାବେ କଟକ ସଦର ନିର୍ବାଚନ ମଣ୍ଡଳୀର ଜଣେ ରାଜନେତାଙ୍କୁ ଯୋଗାଯୋଗ କରିବା ପାଇଁ ପରାମର୍ଶ ଦିଆଯାଇଥିଲା। ୟୁନିୟନ୍ ଏକ ସାମାଜିକ ସଂଗଠନ ହୋଇଥିବାରୁ କେବଳ ଜନ ସେବା ମୂଳକ କାର୍ଯ୍ୟ କରିଥାଏ ବୋଲି ନାୟକ ସୂଚନା ଦେଇଥିଲେ। ଆକସ୍ମିକ କାର୍ଯ୍ୟକ୍ରମ ବନ୍ଦ ହୋଇଯିବା ଯୋଗୁଁ ଅନ ଲାଇନରେ ବିଭିନ୍ନ ପ୍ରତିଯୋଗିତାରେ ଅଂଶ ଗ୍ରହଣ ପାଇଁ ନାମ ପଞ୍ଜୀକୃତ କରିଥିବା ୧୨୦୦ ପିଲା ମାନଙ୍କୁ ଶେଷ ମୁହୂର୍ତ୍ତରେ ନିରାଶ ହେବାକୁ ପଡ଼ିଛି। ବନ୍ଦ ସମ୍ପର୍କରେ ୪୨ ମୌଜା ଥାନା ଅଧିକାରୀ ହେମନ୍ତ କୁମାର ସେଠୀଙ୍କୁ ପଚାରିବାରୁ ଅନୁମତି ପତ୍ର ମିଳି ନ ଥିବାରୁ ମହୋତ୍ସବ ବନ୍ଦ କରିବାକୁ କୁହାଯାଇଥିଲା ବୋଲି ସେ କହିଥିଲେ। ଏହି ଖବର ଦାତା ସମ୍ମିଳନୀରେ ଶରତ କୁମାର ରାୟ,ଆନନ୍ଦ ବେହେରା ମଧ୍ୟ ଉପସ୍ଥିତ ଥିଲେ।

Dharitri – Odisha’s No.1 Odia Daily

Share