Categories: ରାଜ୍ୟ

କଳିଙ୍ଗ ହର୍ବାଲ ମେଳା ଆରମ୍ଭ

ଭୁବନେଶ୍ୱର, ୧୭।୩ (ବ୍ୟୁରୋ): ଓଡ଼ିଶା ରାଜ୍ୟ ଓଷଧୀୟ ଉଦ୍ଭିଦ ପରିଷଦ ପକ୍ଷରୁ ମଙ୍ଗଳବାର ୟୁନିଟ୍‌-୩ସ୍ଥିତ ପ୍ରଦର୍ଶନୀ ପଡ଼ିିଆରେ ୧୩ତମ ରାଜ୍ୟସ୍ତରୀୟ କଳିଙ୍ଗ ହର୍ବାଲ ମେଳା ଆରମ୍ଭ ହୋଇଛି। ଏହି ହର୍ବାଲ ମେଳାକୁ ଜଙ୍ଗଲ ଓ ପରିବେଶ ଏବଂ ସଂସଦୀୟ ବ୍ୟାପାର ବିଭାଗ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ଉଦ୍‌ଘାଟନ କରିଛନ୍ତି। ଏଠାରେ ରାଜଧାନୀବାସୀ ବହୁ ମୂଲ୍ୟବାନ ଜଡ଼ିବୁଟି, ପ୍ରାକୃତିକ ଓଷଧ ଆଦିକୁ ହାତପାହାନ୍ତାରେ ପାଇବାର ସୁଯୋଗ ପାଇବେ ବୋଲି ମନ୍ତ୍ରୀ ଆରୁଖ କହିଛନ୍ତି। ବିଶ୍ୱ ସ୍ବାସ୍ଥ୍ୟ ସଙ୍ଗଠନ ଆକଳନ ଅନୁଯାୟୀ ସାରା ବିଶ୍ୱର ୮୦ ପ୍ରତିଶତ ଲୋକ ହର୍ବାଲ ଓଷଧ ଉପରେ ଆସ୍ଥା ସ୍ଥାପନ କରନ୍ତି। ଭାରତ ଓ ଚାଇନା ଭଳି ଦ୍ରୁତ ବିକାଶଶୀଳ ଦେଶଗୁଡ଼ିିକରେ ପ୍ରାୟ ତିନି ଚତୁର୍ଥାଂଶ ଲୋକ ଉଦ୍ଭିଦଜାତ ଔଷଧ ଉପଯୋଗ କରିଥାନ୍ତି ବୋଲି ମନ୍ତ୍ରୀ କହିଥିଲେ। ମେଳାରେ ୧୪୦ଟି ଷ୍ଟଲ ଖୋଲାଯାଇଛି। ଏଥିରେ ରାଜ୍ୟ ଓ ରାଜ୍ୟ ବାହାରୁ ଔଷଧୀୟ ବୃକ୍ଷଲତା ସହ ସଂପୃକ୍ତ ବ୍ୟକ୍ତିବିଶେଷ, ଓଡ଼ିଶାର ବିଭିନ୍ନ ଜିଲାରୁ ଅଭିଜ୍ଞ ବୈଦ୍ୟ ଓ କବିରାଜ, ସ୍ବୟଂ ସହାୟକ ଗୋଷ୍ଠୀ, ବନ ସଂରକ୍ଷଣ ସମିତି ଏବଂ କେତେକ ଓଷଧୀୟ ପ୍ରସ୍ତୁତକାରୀ କମ୍ପାନୀ ଅଂଶଗ୍ରହଣ କରିଛନ୍ତି। ମାଗଣାରେ ସ୍ବାସ୍ଥ୍ୟ ପରୀକ୍ଷା ବ୍ୟବସ୍ଥା, ବୟସ୍କ ନାଗରିକଙ୍କ ଦୁରାରୋଗ୍ୟ ବ୍ୟାଧି, ମଧୁମେହ, ସ୍ତ୍ରୀ ରୋଗ, ହୃଦ୍‌ରୋଗ ଆଦି ଉପରେ ଆଲୋଚନାଚକ୍ର, ଯୋଗ ପ୍ରଶିକ୍ଷଣ ଶିବିର, ବୈଦ୍ୟ କର୍ମଶାଳା, ବନଷ୍ପତି କ୍ରେତା ବିକ୍ରେତାମାନଙ୍କ କର୍ମଶାଳା ଆଦି ଆୟୋଜନ ହେଉଛି। ସେହିପରି ଆୟୁର୍ବେଦ, ପଞ୍ଚକର୍ମ, ଯୋଗ ଓ ପ୍ରାକୃତିକ ଚିକିତ୍ସା, ହୋମିଓପାଥି, ଆକ୍ୟୁପ୍ରେସର ମାଧ୍ୟମରେ ପରାମର୍ଶ ଓ ଚିକିତ୍ସା ବ୍ୟବସ୍ଥା ରହିଛି। ଆସନ୍ତା ୨୨ତାରିଖ ପର୍ଯ୍ୟନ୍ତ ପ୍ରତ୍ୟହ ପୂର୍ବାହ୍ନ ୧୦ଟାରୁ ରାତି ୯ଟା ପର୍ଯ୍ୟନ୍ତ ଏହି ମେଳା ଚାଲୁ ରହିବ। ଉଦ୍‌ଘାଟନୀ ଉତ୍ସବରେ ବିଜ୍ଞାନ ଓ ପ୍ରଯୁକ୍ତି, ସରକାରୀ ଉଦ୍ୟୋଗ, ସାମାଜିକ ନିରାପତ୍ତା ଏବଂ ଭିନ୍ନକ୍ଷମ ସଶକ୍ତୀକରଣ ବିଭାଗ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ବିଧାୟକ ଅନନ୍ତ ନାରାୟଣ ଜେନା, ସୁଶାନ୍ତ କୁମାର ରାଉତ, ଜଙ୍ଗଲ ଓ ପରିବେଶ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଡ. ମୋନା ଶର୍ମା ପ୍ରମୁଖ ଉପସ୍ଥିତ ଥିଲେ।