୩୦ ପରେ ଖୋଲିବ କଳିଙ୍ଗା ଘାଟି ରାସ୍ତା: ବାତ୍ୟା ଭୟ ମଧ୍ୟରେ ଆଶ୍ରୟସ୍ଥଳୀରେ ଲୋକଙ୍କୁ ଖାଦ୍ୟ ପରଶିଲେ ଉପଜିଲାପାଳ

ଭଞ୍ଜନଗର, ୨୭।୧୦(ବାବୁଲା ପ୍ରଧାନ): ସମ୍ଭାବ୍ୟ ବାତ୍ୟା ‘ଅର୍ଣ୍ଣବ’ ଏବଂ ପ୍ରବଳ ବର୍ଷାଜନିତ ଭୂସ୍ଖଳନ ଆଶଙ୍କାକୁ ଦୃଷ୍ଟିରେ ରଖି ଗଞ୍ଜାମ ଓ କନ୍ଧମାଳ ସୀମାନ୍ତ କଳିଙ୍ଗା ଘାଟି ରାସ୍ତା ଆସନ୍ତା ୩୦ ତାରିଖ ପର୍ଯ୍ୟନ୍ତ ବନ୍ଦ ରଖାଯାଇଛି। ମଙ୍ଗଳବାର ଭଞ୍ଜନଗର ଉପଜିଲାପାଳ ଉମାଶଙ୍କର ବେହେରା ଘାଟି ଅଞ୍ଚଳର ସ୍ଥିତି ଓ ବାତ୍ୟା ପ୍ରସ୍ତୁତିର ସମୀକ୍ଷା କରିବା ସହ ବିଭିନ୍ନ ବାତ୍ୟା ଆଶ୍ରୟସ୍ଥଳୀ ପରିଦର୍ଶନ କରିଛନ୍ତି।

ପୂର୍ବରୁ ହୋଇଥିବା ଭୂସ୍ଖଳନ ଯୋଗୁ କଳିଙ୍ଗା ଘାଟି ରାସ୍ତା ଗତ ଏକ ମାସ ହେବ ବନ୍ଦ ରହିଛି। ଇତିମଧ୍ୟରେ ଦିଲ୍ଲୀ IIT ରୁ ଏକ ବିଶେଷଜ୍ଞ ଟିମ୍ ଆସି ଘାଟିର ପୁରୁଣା ରାସ୍ତା ସୁରକ୍ଷିତ ଥିବା ଏବଂ ସମ୍ପ୍ରସାରିତ ରାସ୍ତା କ୍ଷତିଗ୍ରସ୍ତ ହୋଇଥିବା ନେଇ ରିପୋର୍ଟ ଦେଇଛନ୍ତି। ତେବେ ବର୍ତ୍ତମାନ ବାତ୍ୟା ଆଶଙ୍କା ଥିବାରୁ ଆସନ୍ତା ୨୯ ତାରିଖରେ ବର୍ଷା କମିବା ପରେ ୩୦ ତାରିଖରେ ରାସ୍ତା ଖୋଲିବା ନେଇ ଗଞ୍ଜାମ ଓ କନ୍ଧମାଳ ଜିଲ୍ଲା ପ୍ରଶାସନ ମିଳିତ ଭାବେ ନିଷ୍ପତ୍ତି ନେବେ।

ସମ୍ଭାବ୍ୟ ବିପର୍ଯ୍ୟୟକୁ ଏଡ଼ାଇବା ପାଇଁ ଭଞ୍ଜନଗର ଉପଖଣ୍ଡର ତଳିଆ ଅଞ୍ଚଳରୁ ୧୦୫୩ ଜଣଙ୍କୁ ଆଣି ସୁରକ୍ଷିତ ବାତ୍ୟା ଆଶ୍ରୟସ୍ଥଳୀଗୁଡ଼ିକରେ ରଖାଯାଇଛି। ଉପଜିଲାପାଳ ଶ୍ରୀ ବେହେରା ନିଜେ ଏହି କେନ୍ଦ୍ରଗୁଡ଼ିକରେ ପହଞ୍ଚି ବିପନ୍ନମାନଙ୍କୁ ରନ୍ଧା ଖାଦ୍ୟ ପରଶିଥିଲେ। ଏହି ଗସ୍ତ ସମୟରେ ଅତିରିକ୍ତ ଉପଜିଲ୍ଲାପାଳ ପ୍ରଧାନ ଟୁଲିଆମା, ତହସିଲଦାର ଅଭିଷ୍ପା ପଟ୍ଟନାୟକ ଏବଂ ବିଡ଼ିଓ ଭାରତୀ ଦେବୀ ପ୍ରମୁଖ ଉପସ୍ଥିତ ଥିଲେ।

ଘାଟି ଅଞ୍ଚଳରେ ଲୋକଙ୍କ ସୁରକ୍ଷାକୁ ସର୍ବାଧିକ ପ୍ରାଥମିକତା ଦେବା ସହ ଜରୁରୀକାଳୀନ ଉଦ୍ଧାର କାର୍ଯ୍ୟ ପାଇଁ ସମସ୍ତ ବିଭାଗ ମଧ୍ୟରେ ସମନ୍ୱୟ ରକ୍ଷା କରିବାକୁ ଉପଜିଲାପାଳ ନିର୍ଦ୍ଦେଶ ଦେଇଛନ୍ତି। ପ୍ରବଳ ବର୍ଷା ସମୟରେ ଅତ୍ୟାବଶ୍ୟକ ନହେଲେ ଜନସାଧାରଣଙ୍କୁ କଳିଙ୍ଗା ଘାଟି ରାସ୍ତାରେ ଯାତାୟାତ ନକରିବାକୁ ପ୍ରଶାସନ ପକ୍ଷରୁ ସଚେତନ କରାଯାଇଛି।

Dharitri – Odisha’s No.1 Odia Daily

Share