ଭଞ୍ଜନଗର, ୨୪।୧୦ (ବାବୁଲା ପ୍ରଧାନ): ଗଞ୍ଜାମ ଓ କନ୍ଧମାଳ ଜିଲା ସୀମାରେ ଥିବା କଳିଙ୍ଗା ଘାଟି ରାସ୍ତା ବନ୍ଦ ରହିବା ଯୋଗୁ ଲୋକଙ୍କ ମଧ୍ୟରେ ଦିନକୁ ଦିନ ଅସନ୍ତୋଷ ବଢ଼ୁଥିବା ବେଳେ ଶନିବାର ଏକ ଆଶାଜନକ ଖବର ସାମ୍ନାକୁ ଆସିଛି। ଆଇଆଇଟି ଦିଲ୍ଲୀର ବିଶେଷଜ୍ଞ ଦଳ ଘାଟି ରାସ୍ତାର ସ୍ଥିତି ଅନୁଧ୍ୟାନ କରିବା ପରେ ଆସନ୍ତା ସୋମବାର ରାସ୍ତା ଖୋଲିବାର ସମ୍ଭାବନା ଦେଖାଦେଇଛି। ତେବେ ଆସନ୍ତା ମଙ୍ଗଳବାର ଓ ବୁଧବାର ପ୍ରବଳ ବର୍ଷା ହେବାର ଆଶଙ୍କା ଥିବାରୁ ରାସ୍ତା ଖୋଲିବାରେ ଆଉ କିଛି ଦିନ ବିଳମ୍ବ ହୋଇପାରେ। ଗଞ୍ଜାମ ଓ କନ୍ଧମାଳ ଜିଲା ପ୍ରଶାସନ ସହ ବିଶେଷଜ୍ଞ ଦଳ ଆଲୋଚନା କରିବା ପରେ ହିଁ ରାସ୍ତା ଖୋଲିବାର ସଠିକ୍ ତାରିଖ ଜଣାପଡ଼ିବ।
ଏହି ସମୀକ୍ଷା ସମୟରେ ଆଇଆଇଟି ଦିଲ୍ଲୀର ବିଶେଷଜ୍ଞ ଦଳରେ ପ୍ରଫେସର ଜି. ବି. ରମଣ, ପ୍ରଫେସର ପ୍ରଶାନ୍ତ ଭଙ୍ଗଲା ଓ ପ୍ରଫେସର ସୁମିତ୍ ସିଂହ ସାମିଲ ଥିଲେ। ଏଥିସହିତ ଜାତୀୟ ରାଜପଥ ବ୍ରହ୍ମପୁରର ମୁଖ୍ୟଯନ୍ତ୍ରୀ ପ୍ରକାଶ ଚନ୍ଦ୍ର ବେହେରା, ଏସ୍ଡିଓ ସତୀଶ ପଟେଲ, ଏଚ୍ଏମ୍ବିଏସ୍ ଏଜେନ୍ସି ନୂଆଦିଲ୍ଲୀର ଏମ୍ଡି ଅର୍ଚିତ୍ ଜୈନ ଓ ଭଞ୍ଜନଗରର ଅତିରିକ୍ତ ତହସିଲଦାର ଅବିନାଶ ମହାର ପ୍ରମୁଖ ଉପସ୍ଥିତ ରହି ସ୍ଥିତି ପରିଖିଥିଲେ।
ସୂଚନାଯୋଗ୍ୟ ଯେ, ଗତବର୍ଷ ବର୍ଷା ଋତୁରେ କଳିଙ୍ଗା ଘାଟିରେ ଭୂସ୍ଖଳନ ହୋଇଥିଲା। ସେତେବେଳେ ଜାତୀୟ ରାଜପଥ କର୍ତ୍ତୃପକ୍ଷ ରାସ୍ତା ମରାମତି ପାଇଁ ଆବଶ୍ୟକ ଧ୍ୟାନ ଦେଇନଥିବାରୁ ମରାମତି କାମ ବିଳମ୍ବରେ ଏବଂ ଅସ୍ଥାୟୀ ଭାବେ କରାଯାଇ ଯାତାୟାତ ପାଇଁ ଖୋଲାଯାଇଥିଲା। ତେବେ ସ୍ଥାୟୀ ମରାମତି ହୋଇନଥିବାରୁ ପ୍ରାୟ ଏକ ମାସ ପୂର୍ବେ ପୁଣି ସେହି ସ୍ଥାନରେ ଭୂସ୍ଖଳନ ଘଟି ରାସ୍ତା ସହ ଏହାର ସମ୍ପ୍ରସାରଣ କାର୍ଯ୍ୟ ବ୍ୟାପକ ଭାବେ କ୍ଷତିଗ୍ରସ୍ତ ହୋଇଥିଲା। ଫଳରେ ଏକ ମାସରୁ ଊର୍ଦ୍ଧ୍ୱ ସମୟ ଧରି ଏହି ରାସ୍ତାରେ ଯାତାୟାତ ସମ୍ପୂର୍ଣ୍ଣ ବନ୍ଦ ରହିଛି।
ତେବେ ବାରମ୍ବାର ଭୂସ୍ଖଳନ ହେଉଥିଲେ ମଧ୍ୟ ପୁରୁଣା ରାସ୍ତାର ବିଶେଷ କ୍ଷତି ହୋଇନଥିବାରୁ ଏହାକୁ ଖୋଲିବାରେ ବିଶେଷ ସମସ୍ୟା ନାହିଁ ବୋଲି ବିଶେଷଜ୍ଞ ଦଳ ମତପ୍ରକାଶ କରିଛନ୍ତି। ଅନ୍ୟପକ୍ଷରେ, ଯାନବାହନ ଚଳାଚଳ ବୃଦ୍ଧିକୁ ଦୃଷ୍ଟିରେ ରଖି ଘାଟି ରାସ୍ତାର ଯେଉଁ ସମ୍ପ୍ରସାରଣ କରାଯାଉଥିଲା, ଏହାର ନକ୍ସାରେ ତ୍ରୁଟି ଥିବା ଆଶଙ୍କା କରାଯାଉଛି। ନୂତନ ଗାର୍ଡ ୱାଲ୍ ନିର୍ମାଣ ହେଉଥିବା ସ୍ଥାନରେ ତଳଭାଗରେ କଠିନ ମାଟି ଓ ପଥର ବଦଳରେ ନରମ ମାଟି ସହ ଛିଦ୍ରଯୁକ୍ତ ପଥର ଥିବାରୁ ଏହା ବାରମ୍ବାର ଭୁଶୁଡ଼ି ପଡ଼ୁଥିବା ଅନୁମାନ କରାଯାଉଛି। ଏହି କାରଣରୁ ରାସ୍ତା ସମ୍ପ୍ରସାରଣର ନକ୍ସା ପୁନଃ ପ୍ରସ୍ତୁତ କରାଯିବାର ସମ୍ଭାବନା ରହିଛି ଏବଂ ସରକାର ନୂତନ ନକ୍ସାକୁ ଅନୁମୋଦନ ଦେବା ପରେ ହିଁ ଅଗ୍ରଗତି କାର୍ଯ୍ୟ ହେବ ବୋଲି ଜଣେ ଅଧିକାରୀ ସୂଚନା ଦେଇଛନ୍ତି।