ଭଞ୍ଜନଗର,୨୦।୧୦(ବାବୁଲା ପ୍ରଧାନ): ଗଞ୍ଜାମ କନ୍ଧମାଳ ଜିଲା ସୀମାରେ ଥିବା କଳିଙ୍ଗା ଘାଟି ଜାତୀୟ ରାଜପଥର କିଛି ମିଟର ରାସ୍ତା ଗତମାସ ୧୬ ତାରିଖରେ ପ୍ରବଳ ବର୍ଷା ଯୋଗୁ ଭୁଶୁଡି ପଡ଼ିଥିଲା। ଏହାପରଠୁ ଉକ୍ତ ରାସ୍ତା ଗମନାଗମନ ପାଇଁ ବନ୍ଦ ଅଛି। ବର୍ତ୍ତମାନ ମରାମତି କାମ ଚାଲିଛି। ୨୫ ତାରିଖରେ ରାସ୍ତା ଛୋଟ ଯାନବାହାନ ପାଇଁ ଖୋଲିବା ଯୋଜନା ଅଛି। କିନ୍ତୁ ତାହା ଆନୁଷ୍ଠାନିକ ଭାବେ ଘୋଷଣା ହୋଇନାହିଁ। ଅପରପକ୍ଷେ
କଳିଙ୍ଗା ଘାଟି ରାସ୍ତାରେ ବାରମ୍ବାର ପଥର ଖସୁଥିବାରୁ ସେଠାରେ ବିକଳ୍ପ ରାସ୍ତା ଦାବି ଉଠିଛି। ଏନେଇ ଭଞ୍ଜନଗର ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ବିକଳ୍ପ ରାସ୍ତା କଥା ଉଠାଇଥିଲେ। ଏଥିସହ ଗତ ୧୭ ତାରିଖରେ ବିଧାୟକ ନାୟକ ଅଫିସର୍ ମାନଙ୍କୁ ନେଇ ବିକଳ୍ପ ରାସ୍ତା ଦେଖିବାକୁ ଯାଇଥିଲେ। ଖୁବ କମ ଖର୍ଚ୍ଚରେ ବିକଳ୍ପ ରାସ୍ତା ନିର୍ମାଣ ହୋଇପାରିବ ବୋଲି ଅଧିକାରୀ ମାନେ ମତ ଦେଇଥିଲେ। ଘାଟିରେ ମାତ୍ର ୨ କିମି ୬୦୦ ମିଟର ବିକଳ୍ପ ରାସ୍ତାକୁ ମରାମତି କରାଗଲେ ଗମନା ଗମନ ହୋଇପାରିବ। ଏଥିପାଇଁ ବିଶେଷ ଟଙ୍କା ମଧ୍ୟ ଖର୍ଚ୍ଚ ହେବନାହିଁ। ବନ ବିଭାଗର ପ୍ରାୟ ୩ ହେକ୍ଟର ଜଙ୍ଗଲ ଜମି ଯିବ। ତେଣୁ ଜଙ୍ଗଲ ବିଭାଗ ପକ୍ଷରୁ ଏ ନେଇ ସମୀକ୍ଷା କରାଯାଇଛି। ଯଦି ବାଇପାସ ରାସ୍ତା ହେବ ତେବେ ରାଜସ୍ବ ବିଭାଗ ଜଙ୍ଗଲ ବିଭାଗକୁ କ୍ଷତିପୂରଣର ପାଇଁ ଅନ୍ୟ କେଉଁଠି ଉକ୍ତ ୩ ହେକ୍ଟର ଜମି ଦେବେ। କଳିଙ୍ଗା ଘାଟିର ବର୍ତ୍ତମାନ ଯାହା ଅବସ୍ଥା ସେଠୀ ଭବିଷ୍ୟତରେ ନିହାତି ବିକଳ୍ପ ରାସ୍ତା ଆବଶ୍ୟକତା ରହିଛି। ବର୍ତ୍ତମାନ ସରକାର ବିକଳ୍ପ ରାସ୍ତା ଯୋଜନା କରିଛନ୍ତି। ବିକଳ୍ପ ରାସ୍ତାରେ ପ୍ରାୟ ୩୦୦ ମିଟର ଘାଟି ରାସ୍ତା ପଡିବ। ଅନ୍ୟ ରାସ୍ତା ପ୍ରାୟ ସମତଳ ଭଳି ଅଛି। ତେଣୁ ସରକାର ବିକଳ୍ପ ରାସ୍ତା କିଭଳି ହୋଇପାରିବ ସେଥିପ୍ରତି ଦୃଷ୍ଟି ଦେବାପାଇଁ ଅଞ୍ଚସବସୀ ନିବେଦନ କରିଛନ୍ତି।

