ଆଜିଠାରୁ କଳିଙ୍ଗ ବାଲିଯାତ୍ରା

ପାରାଦୀପ,୭ା୧୧(ସ୍ବ.ପ୍ର.):ପାରାଦୀପର ସମୁଦ୍ର ବେଳାଭୂମି ବିଜୁ ମଇଦାନରେ ସୋମବାରଠାରୁ କଳିଙ୍ଗ ବାଲିଯାତ୍ରା ମହୋତ୍ସବ ଆରମ୍ଭ ହେବ। ଏହା ୮ ଦିନ ଧରି ଚାଲିବ। ଏହାକୁ ଉଦ୍‌ଘାଟନ କରିବେ ରାଜସ୍ବ ମନ୍ତ୍ରୀ ପ୍ରମିଳା ମଲ୍ଲିକ। ଏହାବାଦ୍‌ ୨ ଜଣ ମନ୍ତ୍ରୀ, ୪ ବିଧାୟକ, ଜଣେ ଏମ୍‌ପି, ପାରାଦୀପ ବନ୍ଦର ସମେତ ସମସ୍ତ କାରଖାନା ମୁଖ୍ୟ ଓ ଜିଲା ପ୍ରଶାସନିକ ଅଧିକାରୀମାନେ ଯୋଗଦେବେ ବୋଲି ନିମନ୍ତ୍ରଣ ପତ୍ରରେ ସୂଚନା ରହିଛି। ସାଂସ୍କୃତିକ କାର୍ଯ୍ୟକ୍ରମ ସମ୍ପର୍କରେ କୌଣସି ସୂଚନା ମିଳିନାହିଁ। ନିମନ୍ତ୍ରଣ ପତ୍ରରେ ପ୍ରବାଦପୁରୁଷ ବିଜୁ ପଟ୍ଟନାୟକଙ୍କ ଫଟୋଚିତ୍ର ନାହିଁ, ଯାହାକୁ ନେଇ ବାଲିଯାତ୍ରାର ପ୍ରତିଷ୍ଠାତା ସଦସ୍ୟ ତଥା ପୂର୍ବତନ ମନ୍ତ୍ରୀ ଡା. ଦାମୋଦର ରାଉତ ଅଭିଯୋଗ କରିଛନ୍ତି। ତାଙ୍କ ମତରେ ବିଜୁବାବୁଙ୍କ ଉଦ୍ୟମରେ ପାରାଦୀପ ବନ୍ଦର, ବୋଇତ ବନ୍ଦାଣ, ବାଲିଯାତ୍ରା ଆରମ୍ଭ ହୋଇଥିଲା। ଏହାର ଉଦ୍ଦେଶ୍ୟ ଥିଲା ନୌବାଣିଜ୍ୟ ପରମ୍ପରାକୁ ସ୍ମରଣୀୟ କରି ରଖିବା। ଏଥିଲାଗି ବିଜୁବାବୁଙ୍କୁ ସମ୍ମାନ ଦେବା କଥା।