କୋରାପୁଟ,୩।୪(ଅମିତାଭ ବେହେରା): କୋରାପୁଟ ସହରରେ ଶୁକ୍ରବାର ସନ୍ଧ୍ୟାରେ କାଳବୈଶାଖୀ ତାଣ୍ଡବ ରଚିଛି। କାଳବୈଶାଖୀ ପ୍ରଭାବରେ ଅଞ୍ଚଳର ବିଭିନ୍ନ ସ୍ଥାନରେ ଝଡ଼ତୋଫାନ ହୋଇଛି। ଝଡ଼ତୋଫାନରେ କୋରାପୁଟ-ରାୟଗଡ଼ା ସଂଯୋଗ କରୁଥିବା ୩୨୬ନମ୍ୱର ଜାତୀୟ ରାଜପଥ ବଙ୍ଗଳାଗୁଡା ନିକଟରେ ଏକ ବିରାଟକାୟ ଆମ୍ୱ ଗଛ ଉପୁଡି ରାସ୍ତା ଉପରେ ପଡ଼ି ରହିବାରୁ ରାଜପଥରେ ଗାଡ଼ ି ଚଳାଚଳ ବାଧାପ୍ରାପ୍ତ ହୋଇଛି। ରାସ୍ତାର ଉଭୟ ପାର୍ଶ୍ୱରେ ଶହଶହ ଗାଡି ଅଟକି ରହିଥିବା ଦେଖିବାକୁ ମିଳିଛି।
ଖବର ପାଇ ଗ୍ରାମର କିଛି ଲୋକ ଆସି ଗଛକାଟି ରାସ୍ତା ସଫା କରିଥିଲେ। ଫଳରେ ଗାଡିଚଳାଚଳ ସ୍ୱାଭାବିକ ହୋଇଥିଲା। ସେହିପରି ଗ୍ରାମ ନିକଟ କାଜୁ କାରଖାନାରେ କାମ କରୁଥିବା ଜଣେ ଶ୍ରମିକଙ୍କ ଘର ଆଜେବେଷ୍ଟସ୍ ପବନରେ ଉଡ଼ି ଯାଇଥିବା ଦେଖିବାକୁ ମିଳିଛି।
ଅନ୍ୟପକ୍ଷେ ଶ୍ରମିକମାନେ ଅତ୍ୟଧିକ ପବନ ହେବାରୁ ବଙ୍ଗଳାଗୁଡା ଗାଁକୁ ପରିବାର ସହ ଚାଲିଆସିବାରୁ ବିପଦରୁ ବଞ୍ଚି ଯାଇଛନ୍ତି। ଅନ୍ୟପକ୍ଷେ ପୋଡ଼ାଗଡ଼ ହାଟପଦା ନିକଟରେ ଏକ ଗଛ ରାସ୍ତା ଉପରେ ପଡିବାରୁ ଯାତାୟତ ବାଧାପ୍ରାପ୍ତ ହୋଇଛି। ହେଲେ ସ୍ଥାନୀୟ ବ୍ୟବସାୟୀମାନେ ଗଛ କାଟି ସଫା କରିଛନ୍ତି।
ସେହିପରି କୋରାପୁଟ ସଦର ବ୍ଲକ ଅଧୀନ ବାରିଗୁଡା ଗ୍ରାମର ଅଙ୍ଗୱାଡ଼ି କେନ୍ଦ୍ର ନିକଟରେ ଥିବା ଏକ ବିରାଟ ପଣସ ଗଛ ଭାଙ୍ଗି ପଡିଥିବା ଦେଖିବାକୁ ମିଳିଛି। ଏପରିକି କାଳବୈଶାଖୀ ପ୍ରଭାବରେ ଅଞ୍ଚଳର ବିଭିନ୍ନ ସ୍ଥାନରେ କ୍ଷୟକ୍ଷତି ହୋଇଥିବା ସୂଚନା ମିଳିଛି।

