ଭୁବନେଶ୍ୱର,୧ା୫ (ବନ୍ଦନା ସେଠୀ):ଗତ କିଛିଦିନ ଧରି ରାଜ୍ୟରେ ଲାଗି ରହିଥିବା ଅସହ୍ୟ ଗରମ ଓ ଗୁଳୁଗୁଳିରୁ ସାମାନ୍ୟ ଆଶ୍ୱସ୍ତି ମିଳିଛି। କାଳବୈଶାଖୀ ବର୍ଷା ପାଇଁ ଗୁରୁବାର ତାପମାତ୍ରା ୨ ଡିଗ୍ରୀରୁ ଅଧିକ ହ୍ରାସ ପାଇଛି। ୪୦ ଡିଗ୍ରୀ ଉପରେ ମାତ୍ର ୭ ସହର ରହିଥିବାବେଳେ ବଲାଙ୍ଗୀରରେ ସର୍ବାଧିକ ତାପମାତ୍ରା ୪୨.୨ ଡିଗ୍ରୀ ରେକର୍ଡ କରାଯାଇଛି। ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନାନୁସାରେ, ସମୁଦ୍ର ପତ୍ତନଠାରୁ ୦.୯ କି.ମି. ଉଚ୍ଚତାରେ ଏକ ଟ୍ରଫ୍ ଲାଇନ୍ ଦକ୍ଷିଣ-ପୂର୍ବ ଉତ୍ତର ପ୍ରଦେଶରୁ ଛତିଶଗଡ଼ ଦେଇ ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶା ପର୍ଯ୍ୟନ୍ତ ଲମ୍ବିଛି। ଏହା ପ୍ରଭାବରେ ରାଜ୍ୟରେ ଆସନ୍ତା ୬ଦିନ ଅର୍ଥାତ୍ ମେ’ ୬ ପର୍ଯ୍ୟନ୍ତ କାଳବୈଶାଖୀ ବର୍ଷା ଲାଗି ରହିବ। ଫଳରେ ଆସନ୍ତା ୩ଦିନ ମଧ୍ୟରେ ଦିନ ତାପମାତ୍ରାରେ ଆହୁରି ୨ ରୁ ୩ ଡିଗ୍ରୀ ହ୍ରାସ ପାଇବ। ଶୁକ୍ରବାର ରାଜ୍ୟର ବିଭିନ୍ନ ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା ପବନ ହେବ। ଏଥିପାଇଁ ମୟୂରଭଞ୍ଜ ଓ ବାଲେଶ୍ୱର ଜିଲାକୁ ଘଡ଼ଘଡ଼ି ବିଜୁଳି ସହ ପ୍ରବଳ ବର୍ଷା ଓ ପବନ ନେଇ ଅରେଞ୍ଜ ଓ୍ବାର୍ନିଂ ଜାରି କରାଯାଇଛି। ଏଥିସହ କୁଆପଥର ବର୍ଷା ହେବା ନେଇ ସତର୍କ କରାଯାଇଛି। ସେହିପରି ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତ୍ସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ, ଗଜପତି, ରାୟଗଡ଼ା, କୋରାପୁଟ, ମାଲକାନଗିରି, କେନ୍ଦୁଝର, ନବରଙ୍ଗପୁର, ଅନୁଗୋଳ, ଢେଙ୍କାନାଳ, ନୂଆପଡ଼ା, କଳାହାଣ୍ଡି, କନ୍ଧମାଳ ଏବଂ ସୁନ୍ଦରଗଡ଼ ଜିଲାକୁ ଘଡ଼ଘଡ଼ି ବିଜୁଳି ସହ ବର୍ଷା ପବନ ନେଇ ୟେଲୋ ଓ୍ବାର୍ନିଂ ଦିଆଯାଇଛି।
ଦିନବେଳା ମଧ୍ୟ ରାଜ୍ୟର ବିଭିନ୍ନ ଜିଲାରେ ଗରମ ଓ ଗୁଳୁଗୁଳି ଲାଗି ରହିବ। ଏଥିପାଇଁ ଶୁକ୍ରବାର ବଲାଙ୍ଗୀର, କଳାହାଣ୍ଡି, ଅନୁଗୋଳ, ଝାରସୁଗୁଡା, ସୁନ୍ଦରଗଡ଼, ବୌଦ୍ଧ, ନୂଆପଡ଼ା, ସୋନପୁର, କଟକ, ଜଗତ୍ସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ ଏବଂ ଗଜପତି ଜିଲାକୁ ସତର୍କ ସୂଚନା ଦିଆଯାଇଛି। ସେହିପରି ଶନିବାର ଘଡ଼ଘଡ଼ି ସହିତ ବର୍ଷା ପବନ ନେଇ ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତ୍ସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ, ଗଜପତି, ମୟୂରଭଞ୍ଜ, କେନ୍ଦୁଝର, ଢେଙ୍କାନାଳ, ରାୟଗଡ଼ା, କୋରାପୁଟ, ମାଲକାନଗିରି, ନବରଙ୍ଗପୁର, ଅନୁଗୋଳ, ବୌଦ୍ଧ ଏବଂ କନ୍ଧମାଳ ଜିଲାକୁ ୟେଲୋ ଓ୍ବାର୍ନିଂ ଦିଆଯାଇଛି।
ଗୁରୁବାର ସନ୍ଧ୍ୟାରେ ଭୁବନେଶ୍ୱର ଓ କଟକ ସମେତ ରାଜ୍ୟର ବିଭିନ୍ନ ଅଞ୍ଚଳରେ କାଳବୈଶାଖୀ ପ୍ରକୋପ ଦେଖିବାକୁ ମିଳିଥିଲା। ଘଡ଼ଘଡ଼ି, ବିଜୁଳି ସହ ବର୍ଷା ଓ ପବନରେ ଅଞ୍ଚଳ ଭିଜିଥିଲା।