ଭବାନୀପାଟଣା,୨୨।୧୦(ଉତ୍ତମ କୁମାର ଦାଶ): ପାଞ୍ଚ ଦିନ ଧରି ନିଖୋଜ ଥିଲେ ପ୍ରେମୀ ଯୁଗଳ । ଆଜି ଜଙ୍ଗଲରୁ ମିଳିଲା ଉଭୟଙ୍କ ଝୁଲନ୍ତା ମୃତଦେହ। ତେବେ ମୃତକଙ୍କ ଦୁଇହାତ ବନ୍ଧା ହୋଇଥିବା ବେଳେ ଶରୀରରେ ରକ୍ତଛିଟା ଦେଖିବାକୁ ମିଳିଛି । ତେବେ ଏହା ଆତ୍ମହତ୍ୟା ନା ହତ୍ୟା ତାହାକୁ ନେଇ ସନ୍ଦେହ ପ୍ରକାଶ ପାଇଛି। କଳାହାଣ୍ଡି ଜିଲା କୋକସରା ଥାନା ବେହେରା ସ୍ଥିତ ଭଣ୍ଡାର ଡଙ୍ଗରି ଶୀର୍ଷରୁ ସାମ୍ନାକୁ ଆସିଛି ଏହି ଅଭାବନୀୟ ଘଟଣା । ପ୍ରେମୀଯୁଗଳଙ୍କ ମୃତଦେହ ଉଦ୍ଧାରକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଛି । ହତ୍ୟା ଅଭିଯୋଗ ଆଣିଛନ୍ତି ଯୁବକଙ୍କ ପରିବାର ଲୋକେ ।
ଅନ୍ୟପଟେ ଘଟଣାସ୍ଥଳରେ ଉତ୍ତେଜନା ଦେଖିବାକୁ ମିଳିଛି । ମୃତକ ହେଲେ କୋକସରା ଥାନା ଅନ୍ତର୍ଗତ ଟେଣ୍ଡାପାଲି ଗାଁର ଅଜିତ କୁମାର ନାଏକ ଏବଂ ଧର୍ମଗଡ଼ ସହର କେନ୍ଦୁମୁଡ଼ିପଡ଼ାର ପ୍ରିୟଦର୍ଶିନୀ ନାଏକ । ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଥିବା ସୂଚନା ମିଳିଛି । ଗତ ୧୭ ତାରିଖରୁ ଉଭୟ ନିଖୋଜ ଥିଲେ । ଏନେଇ କୋକସରା ଓ ଧର୍ମଗଡ଼ ଥାନାରେ ନିଖୋଜ ମାମଲା ହୋଇଥିଲା । ଆଜି ସକାଳେ ଭଣ୍ଡାର ଡଙ୍ଗରିକୁ କାଠ ସଂଗ୍ରହ କରିବାକୁ ଯାଇଥିବା କିଛି ଲୋକ ଗଛରେ ଝୁଲୁଥିବା ଦୁଇଟି ମୃତଦେହ ଦେଖିଥିଲେ । ଖବର ପ୍ରଚାର ହେବା ପରେ ଘଟଣାସ୍ଥଳରେ ଲୋକଙ୍କ ଭିଡ଼ ଜମିଥିଲା । ପରିବାର ଲୋକେ ଆସି ମୃତଦେହ ଚିହ୍ନଟ କରିଥିଲେ ।
ତେବେ ଉଭୟଙ୍କ ହାତ ପଛପଟେ ବନ୍ଧା ଥିବା ଏବଂ ଶରୀରରେ ରକ୍ତ ଛିଟା ଥିବା ନେଇ ହତ୍ୟା ସନ୍ଦେହ ପ୍ରକାଶ ପାଇଛି । ଅଜିତଙ୍କ ପରିବାର ଏହାକୁ ଯୋଜନାବଦ୍ଧ ହତ୍ୟା ବୋଲି ଅଭିଯୋଗ କରିବା ସହ ଯୁବତୀଙ୍କ ପରିବାର ଉପରେ ସନ୍ଦେହ ପ୍ରକାଶ କରିଛନ୍ତି । ତେବେ ଏହି ଅଭିଯୋଗର ସତ୍ୟତା ଏବେ ଯାଏଁ ସ୍ପଷ୍ଟ ହୋଇନାହିଁ । ଘଟଣାସ୍ଥଳରେ ଧର୍ମଗଡ଼ ପୋଲିସ ପହଞ୍ଚି ମୃତଦେହ ଜବତ କରି ତଦନ୍ତ କରୁଛି ।