କେସିଙ୍ଗା,୯ା୨(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା ପ୍ରାଥମିକ ଶିକ୍ଷକ ସଂଘର ନୂତନ ଜିଲାସ୍ତରୀୟ କର୍ମକର୍ତ୍ତା ନିର୍ବାଚନ ରବିବାର ବୋରିଙ୍ଗ ପଦରସ୍ଥିତ ଏକ ହୋଟେଲରେ ଅନୁଷ୍ଠିତ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ରାଜ୍ୟ ସଭାପତି ଧୀରେନ୍ଦ୍ର କୁମାର ପଟ୍ଟନାୟକ ଯୋଗଦେଇଥିବା ବେଳେ ରାଜ୍ୟ ଉପସଭାପତି ଦୀପକ ରଞ୍ଜନ ଦାସ, ଜିଲା ସଭାପତି ବୀରେନ୍ଦ୍ର ବାଗ ଯୋଗଦେଇଥିଲେ।
କେସିଙ୍ଗା ବ୍ଲକ ସଭାପତି ସୁରେନ୍ଦ୍ରକୁମାର ଦୋରା ସ୍ବାଗତ ଅଭିଭାଷଣ ଦେଇଥିଲେ। ଏହି ବ୍ଲକର ଶିକ୍ଷକ ସଂଘର ସମ୍ପାଦକ ତପନ କୁମାର ଦାଶଙ୍କ ସମେତ ଜିଲା କୋର୍ କମିଟି ସଦସ୍ୟ, ୧୩ଟି ବ୍ଲକର ସଭାପତି ସମ୍ପାଦକ ଏବଂ କାଉନସିଲ ମେମ୍ବର୍ସ ଉପସ୍ଥିତ ରହି ନୂତନ କର୍ମକର୍ତ୍ତା ଚୟନ କରାଯାଇଥିଲା। ଜିଲା ସଭାପତି ଭାବେ ପଦ୍ମଲୋଚନ ନାଏକ, ଜିଲା କାର୍ଯ୍ୟକାରୀ ସଭାପତି ଭାବେ ଉପେନ୍ଦ୍ର ପଧାନ, ଜିଲା ଉପସଭାପତି ସୁରେନ୍ଦ୍ର କୁମାର ଦୋରା, ଉପସଭାନେତ୍ରୀ ବସୁମତୀ ସାହୁ, ଜିଲା ସାଧାରଣ ସମ୍ପାଦକ ଅଜିତ କୁମାର ନାୟକ, ଜିଲା ଯୁଗ୍ମସମ୍ପାଦକ ତରଙ୍ଗ ଚଣ୍ଡୀ, ସୁବାସ ବାଗ, ବେଣୁଧର ବିଶ୍ୱାଳ, ଜିଲା ସାଂଗଠନିକ ସମ୍ପାଦକ ଶିବପ୍ରସାଦ ଦାଶ, ଜିଲା ସଂଯୋଜକ କ୍ଷୀରସାଗର ସାହୁ, ଜିଲା କୋଷାଧ୍ୟକ୍ଷ ତପନ କୁମାର ବେହେରା ନିର୍ବାଚିତ ହୋଇଥିଲେ। ସିଆରସିସି ଗୋବିନ୍ଦ ବାଗ ଏବଂ ବରିଷ୍ଠ ଶିକ୍ଷକ ବିକ୍ରମଦେବ ସାହୁ ମଞ୍ଚ ପରିଚାଳନା କରିଥିଲା ବେଳେ ଚନ୍ଦ୍ରଧ୍ୱଜ ନାଗ ଧନ୍ୟବାଦ ଦେଇଥିଲେ।
ଏହି କାର୍ଯ୍ୟକ୍ରମରେ କେସିଙ୍ଗା ବ୍ଲକର ସମସ୍ତ ସିଆରସିସି, ବ୍ଲକର ସଭାପତି ଓ ସଂପାଦକ, ଜିଲା କର୍ମକର୍ତ୍ତା, ରାଜ୍ୟ ସଭାପତି ଓ ରାଜ୍ୟ ଉପସଭାପତିଙ୍କୁ ସମ୍ବର୍ଦ୍ଧନା ଦିଆଯାଇଥିଲା। କାର୍ଯ୍ୟକ୍ରମରେ କେସିଙ୍ଗା ବ୍ଲକର ଶିକ୍ଷକ ଶିକ୍ଷୟିତ୍ରୀ ଓ ସିଆରସିସି ସହଯୋଗ କରିଥିଲେ।