କଳାହାଣ୍ଡିରେ ଅନରକିଲିଂ

ଭବାନୀପାଟଣା,୧୩।୭(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଧର୍ମଗଡ଼ ଥାନା ବାଞ୍ଜିପଦର ଗାଁରେ ଘଟିଛି ଅନରକିଲିଂ। ଗାଁ ନିକଟରୁ ପ୍ରେମୀଯୁଗଳଙ୍କ ଗଳିତ ମୃତଦେହ ମିଳିବା ଘଟଣାରେ ତଦନ୍ତ କରୁଥିବା ପୋଲିସ ଏହା ସ୍ପଷ୍ଟ କରିଛି। ଏହି ଘଟଣାରେ ପ୍ରେମିକାଙ୍କ ବାପା କନେଶ୍ୱର ପଟେଲ, ଭିଣୋଇ ଠଣସୁନ୍ଦର ନାଏକ ଓ କକା ଦେବାନନ୍ଦ ପଟେଲଙ୍କୁ ଗିରଫ କରି କୋର୍ଟଚାଲାଣ କରାଯାଇଛି। ସେମାନେ ହିଁ ହତ୍ୟାକାରୀ ଏବଂ ଆତ୍ମସମ୍ମାନ ପାଇଁ ଏହି ହତ୍ୟାକାଣ୍ଡ ଘଟାଇଥିବା ଭବାନୀପାଟଣାରେ ବୁଧବାର ଆୟୋଜିତ ଖବରଦାତା ସମ୍ମିଳନୀରେ କଳାହାଣ୍ଡି ଏସ୍‌ପି ଅଭିଳାଷ ଜି. କହିଛନ୍ତି। ଗତ ୩୦ ତାରିଖରେ ପ୍ରେମୀଯୁଗଳ ଘରୁ ଫେରାର ହୋଇଥିଲେ। ସେହିଦିନ ଏକ ଆଖୁ କିଆରିରେ ଲୁଚିଥିବା ବେଳେ ପ୍ରେମିକାଙ୍କ ବାପା, କକା ଓ ଭିଣୋଇ ସେମାନଙ୍କୁ ତଣ୍ଟିଚିପି ହତ୍ୟାକରି ଗଛରେ ଟାଙ୍ଗିଦେଇ ଆତ୍ମହତ୍ୟାର ରୂପ ଦେଇଥିଲେ ବୋଲି ଏସ୍‌ପି କହିଛନ୍ତି।
ସୂଚନାନୁଯାୟୀ, ବାଞ୍ଜିପଦର ଗାଁର ଯୁବକ ସୁନୀଲ ପଟେଲ (୨୨) ଓ ଯୁବତୀ ଜେମାମଣି ପଟେଲ (୨୦)ଙ୍କ ମଧ୍ୟରେ ପ୍ରାୟ ୨ ବର୍ଷ ହେଲା ପ୍ରେମ ସମ୍ପର୍କ ଗଢ଼ିଉଠିଥିଲା। ଉଭୟେ ସମ୍ପର୍କୀୟ ହୋଇଥିବାରୁ ଏହି ସମ୍ପର୍କକୁ ପ୍ରେମିକଙ୍କ ପରିବାର ସମର୍ଥନ ଦେଇ ଆସୁଥିଲେ। ହେଲେ ପ୍ରେମିକାଙ୍କ ପରିବାର ଏହାକୁ ବିରୋଧ କରିଥିଲେ। ଗତ ୩୦ ତାରିଖରେ ଉଭୟେ ଘରୁ ପଳାଇଯାଇ ଗାଁ ନିକଟ ଏକ ଆଖୁ କିଆରିରେ ଲୁଚି ରହିଥିଲେ। କୌଣସି ସୂତ୍ରରୁ ଯୁବତୀଙ୍କ ବାପା କନେଶ୍ୱର ଖବର ପାଇ ଠଣସୁନ୍ଦର ଓ ଦେବାନନ୍ଦଙ୍କୁ ସାଙ୍ଗରେ ନେଇ ପ୍ରେମୀଯୁଗଳ ଲୁଚି ରହିଥିବା ସ୍ଥାନରେ ପହଞ୍ଚିଥିଲେ। ପରେ ଉଭୟଙ୍କୁ ତଣ୍ଟି ଚିପି ହତ୍ୟା କରିବା ସହ ମୃତଦେହ ଦ୍ୱୟକୁ ବାଞ୍ଜିପଦର ଓ ସାଗୁନ ଭାଡ଼ି ଗାଁ ମଧ୍ୟରେ ଥିବା ଏକ ନାଳ ନିକଟକୁ ଆଣି ଏକ ଗଛରେ ଟାଙ୍ଗି ଆତ୍ମହତ୍ୟାର ରୂପ ଦେଇଥିଲେ। ଗତ ଜୁଲାଇ ୨ରେ ଝିଅ ନିଖୋଜ ହୋଇଥିବା ନେଇ କନେଶ୍ୱର ଧର୍ମଗଡ଼ ଥାନାରେ ଅଭିଯୋଗ କରିଥିଲେ। ଅଭିଯୋଗକୁ ଭିତ୍ତିକରି ପୋଲିସ ତଦନ୍ତ କରିଥିଲା। ଗତ ୯ ତାରିଖ ଅପରାହ୍ନରେ ମୃତଦେହ ଥିବା ସ୍ଥାନରୁ ଦୁର୍ଗନ୍ଧ ବାହାରିବା ପରେ ସ୍ଥାନୀୟ ଲୋକେ ପୋଲିସକୁ ଜଣାଇଥିଲେ। ଘଟଣାସ୍ଥଳରେ ପୋଲିସ ପହଞ୍ଚି ଉଭୟଙ୍କ ଗଳିତ ମୃତଦେହ ଜବତ କରିବା ସହ ତଦନ୍ତ ଆରମ୍ଭ କରିଥିଲା। ଅନ୍ୟପକ୍ଷେ ଯୁବତୀଙ୍କ ପରିବାର ଲୋକେ ହତ୍ୟା କରିଥିବା ନେଇ ଯୁବକଙ୍କ ବାପା ମୋହନ ପଟେଲ ଥାନାରେ ଅଭିଯୋଗ କରିଥିଲେ। ପୋଲିସ ଓ ସାଇଣ୍ଟିଫିକ୍‌ ଟିମ୍‌ ଘଟଣାସ୍ଥଳରେ  ପହଞ୍ଚି ଏହାର ତଦନ୍ତ ଆରମ୍ଭ କରିଥିଲା। ତଦନ୍ତ ବେଳେ ଯୁବତୀଙ୍କ ବାପା, ଭିଣୋଇ ଓ କକା ଏହି ହତ୍ୟା କରିଥିବା ନେଇ ପୋଲିସ ଜାଣିପାରିଥିଲା।