ସ୍ୱାସ୍ଥ୍ୟକର୍ମୀ ଦ୍ୱାରା ଚାଲିଛି ରୋଗୀ ସେବା

କେସିଙ୍ଗା,୨୫।୩(ଡି.ଏନ.ଏ.): ସ୍ୱାସ୍ଥ୍ୟସେବାରେ ଉନ୍ନତି ପାଇଁ ବିଭିନ୍ନ ମେଡିକାଲର ଭିତ୍ତିଭୂମି ସଜାଡ଼ିବା ଦିଗରେ ରାଜ୍ୟ ସରକାର ଖର୍ଚ୍ଚ କରୁଛନ୍ତି କୋଟି କୋଟି ଟଙ୍କା। କିନ୍ତୁ ଅନେକ ମେଡିକାଲରେ ଆବଶ୍ୟକ ଡାକ୍ତର ନ ଥିବା ଅଭିଯୋଗ ହେଉଛି। କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ଅଧୀନ ବେଳଖଣ୍ଡି ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରରେ ଦୀର୍ଘ ଦିନରୁ ଡାକ୍ତର ଓ ଫାର୍ମାସିଷ୍ଟ ନ ଥିବାରୁ ରୋଗୀସେବା ପ୍ରାଧପ୍ରାପ୍ତ ହେଉଛି। ଏହି ସ୍ବାସ୍ଥ୍ୟ କେନ୍ଦ୍ରରେ ବର୍ତ୍ତମାନ ଜଣେ ସ୍ବାସ୍ଥ୍ୟ କର୍ମୀ ଦ୍ୱାରା ରୋଗୀ ସେବା ଚାଲିଛି। ଏହି ସମସ୍ୟା ନେଇ ଶୁକ୍ରବାର ଜିଲା ମହିଳା କଂଗ୍ରେସ ସଭାନେତ୍ରୀ ମାହେନ୍ଦ୍ରୀ ସାହୁ ଓ କେସିଙ୍ଗା ବ୍ଲକ ମହିଳା କଂଗ୍ରେସ ସଭାନେତ୍ରୀ ରାଜକୁମାରି ସରାଫ, ଟୁକୁ ରାମ ସାହୁଙ୍କ ସମେତ ବହୁ କଂଗ୍ରେସ କର୍ମୀମାନେ ସିଡିଏମଓଙ୍କୁ ସାକ୍ଷାତ କରି ଅଭିଯୋଗ କରିଛନ୍ତି। ବେଲଖଣ୍ଡି ଡାକ୍ତରଖାନାରେ ସ୍ଥାୟୀ ଡାକ୍ତର ଓ ସ୍ଥାୟୀ ଲେବୋରେଟାରୀ ଓ ଟେକ୍ନିସିଆନ ଯୋଗାଇଦେବା ନିମନ୍ତେ ଲିଖିତ ଭାବେ ଜଣାଇଛନ୍ତି। ଆସନ୍ତା ୭ଦିନ ମଧ୍ୟରେ ନିଯୁକ୍ତ ଦିଆ ନ ଗଲେ ଜନସାଧାରଣଙ୍କୁ ନେଇ ଆନ୍ଦୋଳନ କରିବାକୁ ବାଧ୍ୟ ହେବୁ ବୋଲି କଂଗ୍ରେସ ପକ୍ଷରୁ ଚେତାବନୀ ଦିଆଯାଇଛି।
ସୂଚନାଯୋଗ୍ୟ ଯେ, ବେଲଖଣ୍ଡି ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରରେ ଦୀର୍ଘ ୮ମାସ ହେଲା ଡାକ୍ତର ପଦବୀ ଖାଲି ପଡ଼ିଛି। ଏଠାରେ ନିଯୁକ୍ତି ପାଇଥିବା ଡାକ୍ତର କୌଣସି କାରଣବଶତଃ ଚାକିରିରୁ ଅବସର ନେଇଥିଲେ। ଆଉ ଯେଉଁ ଫାର୍ମାସିଷ୍ଟ ଜଣ ମଧ୍ୟ ଥିଲେ ଗତ ମାସରୁ ଅସର ନେଇଛନ୍ତି। ଫଳରେ ଡାକ୍ତର, ଫାର୍ମାସିଷ୍ଟ ନ ଥିବାରୁ ବେଲଖଣ୍ଡି, ସିର୍ଜାପାଲି, ହାତୀଖୋଜ, ତୁଣ୍ଡଲା ପ୍ରମୁଖ ପଞ୍ଚାୟତ ରୋଗୀମାନେ କେସିଙ୍ଗା, ଭବାନୀପାଟଣା, ଟିଟିଲାଗଡ ଦୂରଦୁରାନ୍ତକୁ ଯାଇ ହଇରାଣ ହେବା ସହ ଖର୍ଚ୍ଚନ୍ତ ହେଉଛନ୍ତି। ଏହି ସ୍ବାସ୍ଥ୍ୟକେନ୍ଦ୍ର ଉପରେ ଆଖପାଖ ଅଞ୍ଚଳର ୫ଟି ପଞ୍ଚାୟତର ପ୍ରାୟ ୨୦ହାଜର ଲୋକ ନିର୍ଭର କରିଥାନ୍ତି। ହେଲେ ବିଡମ୍ବନାର ବିଷୟ ମେଡିକାଲରେ ଡାକ୍ତର, ଲେବୋରେଟାରି, ଟେକନିସିଆନ, ଫାର୍ମାସିଷ୍ଟ ନାହାନ୍ତି। ଯେଉଁଥି ପାଇଁ ଲୋକେ ସ୍ବାସ୍ଥ୍ୟ ସେବାରୁ ବଞ୍ଚତ୍ତ ହେଉଛନ୍ତି। ଏହି ଡାକ୍ତରଖାନାରେ ସରକାରୀ ଔଷଧ ମଧ୍ୟ ମିଳେ ନାହିଁ। ଫଳରେ ଡାକ୍ତରଖାନାକୁ ରୋଗୀ ଆସି ଫେରି ଯାଉଛନ୍ତି। ସାମାନ୍ୟ ଜର, କାଶ ଇତ୍ୟାଦି ସାଧାରଣ ଚିକିତ୍ସା ପାଇଁ ଦୂରଦୂରାନ୍ତକୁ ରୋଗୀମାନେ ଯିବାକୁ ପଡୁଛି। ଏ ସଂକ୍ରାନ୍ତରେ ସିଡିଏମଓଙ୍କୁ ପଚାରିବାରୁ ଆସନ୍ତା ସପ୍ତାହ ମଧ୍ୟରେ ଜଣେ ଫାର୍ମାସିଷ୍ଟଙ୍କୁ ପଠାଇବାଇ ଏବଂ ଡାକ୍ତର ପଦବୀ ଜିଲାରେ ଖାଲି ରହିଛି। ରାଜ୍ୟ ସରକାର ନିଯୁକ୍ତି ଦେଲେ ବେଲଖଣ୍ଡି ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରରେ ନିଯୁକ୍ତି ଦିଆଯିବ ବୋଲି କହିଥିଲେ।