ଶିରୋଲକୁ ଗଜା ମରୁଡି ଘୋଷଣା ନେଇ କ୍ଷେତ୍ର ପରିଦର୍ଶନ

କେସିଙ୍ଗା,୧୪।୭(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ଶିରୋଲ ପଞ୍ଚାୟତର ୪ଟି ଗ୍ରାମ ଗଜା ମରୁଡି ନେଇ କୃଷି ବିଭାଗ ପକ୍ଷରୁ ଶୁକ୍ରବାର କ୍ଷେତ୍ର ପରିଦର୍ଶନ କରାଯାଇଛି। ଗତ ୧୦ ତାରିଖରେ ଶିରୋଲ ପଞ୍ଚାୟତର କୃଷକମାନେ ତହସିଲ ଓ କୃଷିସୂଚନା ଓ ପରାମର୍ଶ କେନ୍ଦ୍ରରେ ଗଜା ମରୁଡ଼ି ନେଇ ଲିଖିତ ଅଭିଯୋଗ କରିଥିଲେ। ଏ ସଂକ୍ରାନ୍ତରେ ଗତ ୧୦ ତାରିଖରେ ଧରିତ୍ରୀରେ ଖବର ପ୍ରକାଶିତ ହୋଇଥିଲା। ଧରିତ୍ରୀରେ ପ୍ରକାଶିତ ଖବରକୁ ନେଇ କୃଷକମାନେ ସିଏମ୍‌ଓ, ମୋ ସରକାର, ଏବଂ ନବୀନ ପଟ୍ଟନାୟକଙ୍କୁ ଟୁଇଟ୍‌ କରି ଅଭିଯୋଗ ମଧ୍ୟ କରିଥିଲେ। ଶିରୋଲ ପଞ୍ଚାୟତର ଶିରୋଲ, ପୋଢ଼ଖମ୍ବ, ଡୁମେର ମୁଣ୍ଡା, ସୁରଜୋର ଗ୍ରାମର ବିଭିନ୍ନ କ୍ଷେତ୍ରକୁ କୃଷି ବିଭାଗର ଭିଏଲଡବ୍ଲ୍ୟୁ ଶୁକ୍ରବାର ସକାଳେ କ୍ଷେତ୍ର ପରିଦର୍ଶନ କରିଥିଲେ। ଅପରାହ୍ନରେ ମୁଖ୍ୟ ଜିଲା କୃଷି ଅଧିକାରୀ ପ୍ରଫୁଲ୍ଲ କୁମାର ସେଠୀ, ସହକାରୀ କୃଷି ଅଧିକାରୀ ବିଶ୍ୱନାଥ ମହାପାତ୍ର, ଗୋଷ୍ଠୀ ଅଧିକାରୀ ଘନଶ୍ୟାମ ଦେହୁରୀଙ୍କ ସମେତ ଶିରୋଲ ପଞ୍ଚାୟତର ପୂର୍ବତନ ସରପଞ୍ଚ ବିକ୍ରାନ୍ତ ବାଗ, ହେମନ୍ତ ନାଗଙ୍କ ଜଗନ୍ନାଥ ବାଗ ପ୍ରମୁଖ ଶିରୋଲ ଗ୍ରାମ ପଞ୍ଚାୟତ ର ବିଭିନ୍ନ ଗ୍ରାମକୁ ଯାଇ ଅନୁଧ୍ୟାନ କରି ଥିଲେ।