କାଲି ନୂଆଁଖାଇବେ କଳାହାଣ୍ଡି ଗଡ଼ଜାତବାସୀ, ଉତ୍ସବ ମୁଖର ପୁରପଲ୍ଲୀ

ଭବାନୀପାଟଣା,୨୦।୯ (ଉତ୍ତମ କୁମାର ଦାଶ): ନୂଆଁଖାଇ କଳାହାଣ୍ଡି ଜିଲାର ଏକ ମୁଖ୍ୟ ପରମ୍ପରା। ପଶ୍ଚିମ ଓଡ଼ିଶାର ଅନ୍ୟ ଜିଲାରେ ପଞ୍ଚମୀ ତିଥିରେ ନୂଆଁଖାଇ ପାଳନ ହେଉଥିବା ବେଳେ ଏଠାରେ ପ୍ରତିପଦାଠାରୁ ଆରମ୍ଭକରି ଦଶହରା ଦଶମୀ ପର୍ଯ୍ୟନ୍ତ ଚାଲିଥାଏ । ରାତି ପାହିଲେ ଅର୍ଥାତ୍ ସୋମବାର ଜିଲାର ଗଡ଼ଜାତ ଅଞ୍ଚଳରେ ପାଳନ ହେବ ଗଣ ପର୍ବ ନୂଆଁଖାଇ।

ଜିଲାର ଅଧୃଷ୍ଠାତ୍ରୀ ଦେବୀ ମା’ ମାଣିକେଶ୍ଵରୀଙ୍କଠାରେ ନବାନ୍ନ ଲାଗି ହେଲା ପରେ ନୂଆଁ ଖାଇବେ ଗଡ଼ଜାତ ଅଞ୍ଚଳବାସୀ । ଏହା ପୂର୍ବରୁ ମା’ ମାଣିକେଶ୍ବରୀଙ୍କ ପାଖରେ ନବାନ୍ନ ଲାଗି ନେଇ ଲଗ୍ନ ସ୍ଥିର ହୋଇଛି। ମା’ଙ୍କ ନିକଟରେ ନବାନ୍ନ ଲାଗିବା ପରେ ଗଡ଼ଜାତ ଅଞ୍ଚଳର ଭବାନୀପାଟଣା ସମେତ ଲାଞ୍ଜିଗଡ଼, ଜୟପାଟଣା, ମଦନପୁର ରାମପୁର, କର୍ଲାପାଟ ଓ ମାଣିକେଶ୍ଵରୀଙ୍କ ମୂଳପୀଠ ଥୁଆମୂଳ ରାମପୁରରେ ପାଳିତ ହେବ ନୂଆଁଖାଇ ପର୍ବ ।

ଏ ନେଇ ଉତ୍ସବ ମୁଖର ହୋଇଛି ଗଡ଼ଜାତ ଅଞ୍ଚଳର ପୁରପଲ୍ଲୀ। ସାଧାରଣତଃ ଗଣେଶ ପୂଜା ପରଦିନ ଅର୍ଥାତ୍ ପଞ୍ଚମୀକୁ ନୂଆଁଖାଇ ରୂପେ ପଶ୍ଚିମ ଓଶାରେ ପାଳନ କରାଯାଏ। କିନ୍ତୁ କଳାହାଣ୍ଡିର ଗଡ଼ଜାତ ଅଞ୍ଚଳରେ ଏହାକୁ ସ୍ଵତନ୍ତ୍ର ଭାବେ ପାଳନ କରାଯାଏ। ସୋମବାର ସକାଳ ୮. ଘଣ୍ଟା ୨୦ ମିନିଟରୁ ୯ ଘଣ୍ଟା ୩୦ ମିନିଟ ମଧ୍ୟରେ ମା’ଙ୍କ ନିକଟରେ ଲାଗି ହେବ ନବାନ୍ନ। ଏହାପରେ ୧୦ଟାରୁ ୧୨ଟା ମଧ୍ୟରେ ଗଡ଼ଜାତ ଅଞ୍ଚଳର ଜନସାଧାରଣ ନୁଆଁ ଖାଇବା ନେଇ ଲଗ୍ନ ଧାର୍ଯ୍ୟ ହୋଇଛି । ଶୁକ୍ଳପକ୍ଷ ଦଶମୀ ତିଥିରେ ମା’ଙ୍କ ପାଖରେ ଏହି ନବାନ୍ନ ଲାଗି ହୋଇଥାଏ। ଏଥିଲାଗି ରବିବାର ଗଡ଼ଜାତ ଅଞ୍ଚଳରେ ଲୋକେ ପ୍ରସ୍ତୁତିରେ ଲାଗିପଡିଛନ୍ତି। ନୂଆଁଖାଇ ପାଇଁ ନୂଆ ଧାନ, ନୂଆ ଚୁଡ଼ା, ଗୁଡ଼ କିଣୁଥ‌ିବା ଦେଖ‌ିବାକୁ ମିଳିଛି । କୃଷିଭିତ୍ତିକ ପର୍ବ ନୂଆଁଖାଇରେ ସବୁ କିଛି ନୂଆ ସାମଗ୍ରୀ ବ୍ୟବହାରହେବା ନେଇଁ ପରମ୍ପରା ରହିଥିବାରୁ ଲୁଗା ଦୋକାନରେ ମଧ୍ୟ ପ୍ରବଳ ଭିଡ଼ ଜମୁଛି । ନୂଆଁଖାଇକୁ ନେଇ ଚାରିଆଡ଼େ ଉତ୍ସାହର ମାହୋଲ ଥିବାବେଳେ ବ୍ୟବସାୟୀ ମଧ୍ଯ ବ୍ୟବସାୟକୁ ନେଇ ବେଶ୍ ଖୁସି ଅଛନ୍ତି । ନୂଆଖାଇ ପରେ ଆରମ୍ଭ ହେବ ଜୁହାର ଭେଟ ଓ ନାଚଗୀତର ଆସର । ଏଥିରେ ଝୁମିବେ ଗଡ଼ଜାତ ଅଞ୍ଚଳବାସୀ।

 

Dharitri – Odisha’s No.1 Odia Daily

Share