ଭବାନୀପାଟଣା, ୨୨।୯(ଉତ୍ତମ କୁମାର ଦାଶ): ବଙ୍ଗୋପସାଗରରେ ସୃଷ୍ଟ ଗଭୀର ଅବପାତ ପ୍ରଭାବରେ କଳାହାଣ୍ଡି ଜିଲାରେ ପ୍ରବଳ ବର୍ଷା ଜାରି ରହିଛି। ମଙ୍ଗଳବାର ସକାଳୁ ଘଡ଼ଘଡ଼ି ଓ ବିଜୁଳି ସହ ଅବିଶ୍ରାନ୍ତ ବର୍ଷା ହେବା ଫଳରେ ଜିଲାରେ ଜନଜୀବନ ସମ୍ପୂର୍ଣ୍ଣ ଅସ୍ତବ୍ୟସ୍ତ ହୋଇପଡ଼ିଛି। ବୁଧବାର ମଧ୍ୟ ପ୍ରବଳ ବର୍ଷାର ପୂର୍ବାନୁମାନ ରହିଥିବାରୁ ସ୍ଥିତିକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରାଯାଇଛି।
ଛାତ୍ରଛାତ୍ରୀଙ୍କ ସୁରକ୍ଷା ଓ ନିରାପତ୍ତାକୁ ଆଖିଆଗରେ ରଖି ଜିଲାପାଳ ପାୱାର ସଚିନ ପ୍ରକାଶ ଜିଲାର ସମସ୍ତ ସରକାରୀ ଓ ବେସରକାରୀ ଶିକ୍ଷାନୁଷ୍ଠାନ ସମେତ ସମସ୍ତ ଅଙ୍ଗନୱାଡି କେନ୍ଦ୍ରଗୁଡ଼ିକୁ ଛୁଟି ଘୋଷଣା କରିଛନ୍ତି। ତେବେ ଶିକ୍ଷକ ଓ ଶିକ୍ଷୟିତ୍ରୀମାନେ ବିଦ୍ୟାଳୟରେ ଉପସ୍ଥିତ ରହି ନିଜର ସ୍ୱାଭାବିକ କାର୍ଯ୍ୟ ଓ ବାକି ଥିବା ସରକାରୀ କାମ ସମ୍ପାଦନ କରିବେ ବୋଲି ବିଜ୍ଞପ୍ତିରେ ସ୍ପଷ୍ଟ କରାଯାଇଛି।
ଅନ୍ୟପଟେ, ବର୍ଷା ଜନିତ ଜରୁରୀ ପରିସ୍ଥିତିର ମୁକାବିଲା ପାଇଁ ଜିଲାର ସମସ୍ତ ସରକାରୀ ଅଧିକାରୀ ଓ କ୍ଷେତ୍ର କର୍ମଚାରୀଙ୍କ ଛୁଟିକୁ ଆସନ୍ତା ୨୫ ତାରିଖ ପର୍ଯ୍ୟନ୍ତ ବାତିଲ କରାଯାଇଛି। ଛୁଟିରେ ଥିବା ସମସ୍ତ ଅଫିସର ଓ କର୍ମଚାରୀଙ୍କୁ ତୁରନ୍ତ ନିଜ ନିଜ ମୁଖ୍ୟାଳୟରେ ରିପୋର୍ଟ କରିବାକୁ ଜିଲାପାଳଙ୍କ କାର୍ଯ୍ୟାଳୟ ପକ୍ଷରୁ କଡ଼ା ନିର୍ଦ୍ଦେଶ ଦିଆଯାଇଛି।