ଦାରିଙ୍ଗବାଡ଼ି,୧ା୫(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ସିମନବାଡ଼ି ଫିଡରର ୮ ପଞ୍ଚାୟତ ଦୀର୍ଘ ୩୬ ଘଣ୍ଟା ବିତିଲା ଅନ୍ଧାରରେ ରହିଛନ୍ତି। ଗୁରୁବାର ସକାଳୁ ବିଦ୍ୟୁତ ଅଚଳ ହୋଇଥିବା ବେଳେ ସନ୍ଧ୍ୟାରେ କିଛି ସମୟ ପାଇଁ ବିଦ୍ୟୁତ୍ ସ୍ବାଭାବିକ ହୋଇଥିଲା। ତେବେ ସନ୍ଧ୍ୟାରେ କଳାବୈଶାଖୀର ପ୍ରଭାବରେ ୩୩ କେଭି ଓ ୧୧ କେଭି ଅଚଳ ଯୋଗୁ ଦାରିଙ୍ଗବାଡ଼ି ସବ୍ଷ୍ଟେଶନରୁ ସଂଯୋଗ ହୋଇଥିବା ସମସ୍ତ ଫିଡରରେ ବିଦ୍ୟୁତ୍ ସେବା ବନ୍ଦ ରହିଛି।
ସେହିପରି ସିମନବାଡ଼ି ଫିଡରରେ ବିଦ୍ୟୁତ୍ ସେବା ଅଚଳ ହେବା ପରେ ମୋବାଇଲ ସେବା ମଧ୍ୟ ବିଦ୍ୟୁତ ନ ଥିବାରୁ ଅଚଳ ହୋଇପଡ଼ିଛି। ଫଳରେ ଜନଜୀବନ ପ୍ରଭାବିତ ହୋଇଛି। ସେହିପରି ଏହି କାଳବୈଶାଖୀ ରାତି ତମାମ ତାଣ୍ଡବ ରଚିଥିଲା। ଫଳରେ ବହୁ ଗ୍ରାମରେ ଲୋକଙ୍କ ଆଜବେଷ୍ଟସ୍ ଉଡ଼ିଯାଇଥିଲା। ବିଶେଷକରି କିଟିକୁଟି ପଞ୍ଚାୟତ ମୁଣ୍ଡନାଜୁ, ତଜଡ଼ବାଡ଼ି, ଆଦିବାସୀ, ଲୁଦୁବାନ୍ଦା ଆଦି ଗ୍ରାମରେ କାଳବୈଶାଖୀର ପ୍ରଭାବରେ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଛି। ପ୍ରଚଣ୍ଡ ପବନ ସହ ବର୍ଷା, ବିଜୁଳି ଘଡ଼ଘଡ଼ି ଏବଂ କୁଆପଥର ମାଡ଼ରେ ଘର ନଷ୍ଟ ହୋଇଥିବା ଲୋକମାନେ ରାତି ବହୁତ କଷ୍ଟରେ ବିତାଇଥିବା ମୁଣ୍ଡନାଜୁ ଗ୍ରାମର ଜଖିମା ଦିଗାଲ, ରାଧିକା ପ୍ରଧାନ, ଦିଲୀପ ଦିଗାଲ, ଧିରେନ ଦିଗାଲ ପ୍ରମୁଖ କହିଛନ୍ତି। ସେମାନେ ଏବେ ରାତିଠାରୁ ଏପର୍ଯ୍ୟନ୍ତ ଖୋଲା ଆକାଶ ତଳେ ଜୀବନ ବିତାଉଥିବା କହିଛନ୍ତି।