ଖରାଠୁ ବଳିଯାଉଛି ଗୁଳୁଗୁଳି ଯନ୍ତ୍ରଣା, ଏହିଦିନଠୁ ପୁଣି କାଳବୈଶାଖୀ ବର୍ଷା

ଭୁବନେଶ୍ୱର,୨୭।୪(ବନ୍ଦନା ସେଠୀ): ରାଜ୍ୟରେ ବର୍ତ୍ତମାନ ଗ୍ରୀଷ୍ମ ପ୍ରବାହ ଜାରି ରହିଥିବାବେଳେ ପଶ୍ଚିମରେ ଖରାତାତି ଓ ଉପକୂଳରେ ଗୁଳୁଗୁଳି ଅନୁଭୂତ ହେଉଛି। ଗତ କିଛିଦିନ ହେବ ସାଧାରଣତଃ ଉତ୍ତର ଓ ପଶ୍ଚିମ ଓଡ଼ିଶାରେ ପାରଦ ଉପରମୁହାଁ ରହୁଥିବାବେଳେ ସେହି ଅନୁପାତରେ ଉପକୂଳ ଜିଲାଗୁଡିକରେ ତାପମାତ୍ରା କମ୍‌ ରହୁଥିଲେ ମଧ୍ୟ ଖରାଠାରୁ ଗୁଳୁଗୁଳି ବଳିଯାଉଛି। ବାୟୁମଣ୍ଡଳରେ ହ୍ୟୁମିଡିଟି ବା ଆର୍ଦ୍ରତା ଅଧିକ ରହୁଥିବାରୁ ଗୁଳୁଗୁଳି ହେଉଛି। ରବିବାର ମଧ୍ୟ ଝାରସୁଗୁଡା ରାଜ୍ୟର ସବୁଠାରୁ ଉତ୍ତପ୍ତ ସହର ପାଲଟିଥିବାବେଳେ ଏଠାରେ ପୁଣି ରାଜ୍ୟର ସର୍ବାଧିକ ତାପମାତ୍ରା ୪୪.୮ ଡିଗ୍ରୀ ଛୁଇଁଥିଲା।

ଏଠାରେ ସକାଳ ୮ଟା ୩୦ ବେଳକୁ ହ୍ୟୁମିଡିଟି ୫୩% ଥିବାବେଳେ ଅପରାହ୍ନ ୫ଟା ୩୦ ବେଳକୁ ୨୦%କୁ ଖସି ଆସିଥିଲା। ସେହିପରି ସୋନପୁରରେ ତାପମାତ୍ରା ୪୩.୭ ଡିଗ୍ରୀ ଥିବାବେଳେ ସକାଳ ୮ଟା ୩୦ରେ ହ୍ୟୁମିଡିଟି ୬୫% ଏବଂ ଅପରାହ୍ନ ୫ଟା ୩୦ ବେଳକୁ ୪୭% ଥିଲା। ତେବେ ଭୁବନେଶ୍ୱରରେ ତାପମାତ୍ରା ୩୫.୫ ଡିଗ୍ରୀ ରହିଥିବାବେଳେ ଏଠାରେ ସକାଳ ୮ଟା ୩୦ ବେଳକୁ ହ୍ୟୁମିଡିଟି ୭୮% ଏବଂ ଅପରାହ୍ନ ୫ଟା ୩୦ରେ ୭୨% ରହିଥିଲା। ଭୁବନେଶ୍ୱର ଭଳି ଉପକୂଳ ଜିଲାର ବିଭିନ୍ନ ଅଞ୍ଚଳରେ ତାପମାତ୍ରା କମ୍‌ ଥାଇ ମଧ୍ୟ ହ୍ୟୁମିଡିଟି ଅଧିକ ଥିବାରୁ ପ୍ରବଳ ଗୁଳୁଗୁଳି ଅନୁଭୂତ ହୋଇଥିଲା। ଏନେଇ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ନିର୍ଦ୍ଦେଶିକା ଡ. ମନୋରମା ମହାନ୍ତି କହିଛନ୍ତି, ଏହିଦିନରେ ସାଧାରଣତଃ ପଶ୍ଚିମ କିମ୍ବା ଉତ୍ତର ପଶ୍ଚିମ ଦିଗରୁ ଶୁଷ୍କ ବାୟୁ ଆସିଥାଏ। ପୂର୍ବ ଓଡ଼ିଶାରେ ବହୁଥିବା ବାୟୁରେ ଆର୍ଦ୍ରତା ରହୁଥିବାରୁ ପାରଦ ସାମାନ୍ୟ ଉପରମୁହଁା ହେଲେ ବି ଆମକୁ ଅସ୍ବାସ୍ଥ୍ୟକର ଅନୁଭବ ହେଉଛି।

ସେହିପରି ଝାରସୁଗୁଡା, ଟିଟିଲାଗଡ଼, ସୋନପୁର ଆଦି ପଶ୍ଚିମ ଓଡ଼ିଶା ଜିଲାରେ ଆର୍ଦ୍ରତା କମ୍‌ ରହୁଥିବାରୁ ସେଠାରେ ସେତେଟା ଗୁଳୁଗୁଳି ଅନୁଭୂତ ହୋଇ ନ ଥାଏ ବୋଲି ଡ. ମହାନ୍ତି କହିଛନ୍ତି। ତେବେ ଆହୁରି ୨୪ଘଣ୍ଟା ଏଭଳି ସ୍ଥିତି ରହିବା ସହ ଏପ୍ରିଲ ୨୮ ମଙ୍ଗଳବାରଠାରୁ କାଳବୈଶାଖୀ ହେବ। ଫଳରେ ୨ରୁ ୩ ଭିତରେ ୨ ରୁ ୪ ଡିଗ୍ରୀ ତାପମାତ୍ରା ହ୍ରାସ ପାଇବା ସହ ତାତିରୁ ଆଶ୍ୱସ୍ତି ମିଳିବ ବୋଲି ଆଶା କରାଯାଉଛି। ସୋମବାର ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତ୍‌ସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ ଏବଂ ଗଜପତି ଆଦି ୧୧ଟି ଜିଲାକୁ ଖରା ଓ ଗୁଳୁଗୁଳି ପାଇଁ ୟେଲୋ ଓ୍ବାର୍ନିଂ ଦିଆଯାଇଛି। ଏଥିସହ ଗଞ୍ଜାମ, ଗଜପତି, ରାୟଗଡ଼ା, କୋରାପୁଟ, ମୟୂରଭଞ୍ଜ ଏବଂ ବାଲେଶ୍ୱର ଜିଲାର କିଛି ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା ଓ ପବନ ନେଇ ସତର୍କ କରାଯାଇଛି। ମଙ୍ଗଳବାର ଗଞ୍ଜାମ, ଗଜପତି, କୋରାପୁଟ, ରାୟଗଡ଼, କେନ୍ଦୁଝର, କନ୍ଧମାଳ, କଳାହାଣ୍ଡି ନବରଙ୍ଗପୁର, ମୟୂରଭଞ୍ଜ, ବାଲେଶ୍ୱର, ସୁନ୍ଦରଗଡ ଓ ମାଲକାନଗିରି ଜିଲା ପାଇଁ କାଳବୈଶାଖୀ ବର୍ଷା ନେଇ ୟେଲୋ ୱାର୍ନିଂ ଜାରି ହୋଇଛି। ଉପକୂଳବର୍ତ୍ତୀ ଅଞ୍ଚଳରେ ୬୬ କି.ମି ବେଗ ପର୍ଯ୍ୟନ୍ତ ପବନ ବହିବା ସମ୍ଭାବନା ଥିବାରୁ ସମୁଦ୍ର ଅଶାନ୍ତ ରହିବ। ତେଣୁ ଗୁରୁବାର ପର୍ଯ୍ୟନ୍ତ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ବାରଣ କରାଯାଇଛି। ଏକ ଟ୍ରପ୍‌ ଲାଇନ ସହ ଦକ୍ଷିଣ ପଶ୍ଚିମ ଦିଗରୁ ପବନ ବହୁ ଥିବାରୁ ଏହା ପ୍ରଭାବରେ ବର୍ଷାର ପରିମାଣ ବଢିବ ବୋଲି ପାଣିପାଗ କେନ୍ଦ୍ର ସୂଚନା ଦେଇଛି।
ରବିବାର ରାଜ୍ୟର ୧୮ ସହରର ତାପମାତ୍ରା ୪୦ ଡିଗ୍ରୀ କିମ୍ବା ତା’ଠାରୁ ଅଧିକରହିଥିଲା। ୪୪.୮ ଡିଗ୍ରୀ ସହ ଝାରସୁଗୁଡା ପୁଣି ରାଜ୍ୟର ଉତ୍ତପ୍ତ ସହର ପାଲଟିଥିଲା। ସେହିପରି ସୋନପୁରରେ ୪୩.୭ ଡିଗ୍ରୀ, ଟିଟିଲାଗଡ଼ ୪୩.୬, ଭବାନୀପାଟଣା ୪୩.୪, ବଲାଙ୍ଗୀର ୪୩.୧, ବୌଦ୍ଧ ୪୩, ସମ୍ବଲପୁର ୪୩, ସୁନ୍ଦରଗଡ଼ ୪୨.୮, ରାଉରକେଲା ୪୨.୭, ନୂଆପଡ଼ା ଓ ନୟାଗଡ଼ ୪୨.୫, ହୀରାକୁଦ ୪୨.୪, ଅନୁଗୋଳ ୪୧.୯, ତାଳଚେର ୪୧.୫, ଫୁଲବାଣୀ ୪୦.୪, ବରଗଡ଼ ୪୦, ପାରଳାଖେମୁଣ୍ଡି ୪୦ ଏବଂ କେନ୍ଦୁଝରଗଡ଼ରେ ୪୦ ଡିଗ୍ରୀ ଛୁଇଁଥିଲା।

 

Dharitri – Odisha’s No.1 Odia Daily

Share