ଭୁବନେଶ୍ୱର,୨୧ା୪: ରାଜ୍ୟରେ ଗତ କିଛିଦିନ ଧରି ପାରଦ ଉପରମୁହାଁ ରହିଛି। ଦିନରେ ଗରମ ଓ ଗୁଳୁଗୁଳି, ଅପରାହ୍ନରୁ କାଳବୈଶାଖୀ ସାଧାରଣ ଜୀବନଯାତ୍ରାକୁ ପ୍ରଭାବିତ କରୁଛି। ତେବେ ଆସନ୍ତା ୪ ଦିନ ଧରି ରାଜ୍ୟରେ ଗ୍ରୀଷ୍ମପ୍ରବାହ ଜାରି ରହିବ। ଏଥିସହ ରାଜ୍ୟର ବିଭିନ୍ନ ସ୍ଥାନରେ କାଳବୈଶାଖୀ ହେବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି।
ମଙ୍ଗଳବାର ମୟୂରଭଞ୍ଜ, କେନ୍ଦୁଝର, ବାଲେଶ୍ୱର, ଗଞ୍ଜାମ, ଗଜପତି, ରାୟଗଡ଼ା, ମାଲକାନଗିରି, କୋରାପୁଟ, ଭଦ୍ରକ, କଳାହାଣ୍ଡି ଏବଂ କନ୍ଧମାଳ ଜିଲାରେ ଘଡ଼ଘଡ଼ି ବିଜୁଳି ସାଙ୍ଗକୁ ବର୍ଷା ପବନ ନେଇ ୟେଲୋ ଓ୍ବାର୍ନିଂ ଜାରି କରାଯାଇଛି। ସେହିପରି ପୁରୀ, ଖୋର୍ଦ୍ଧା, ନୟାଗଡ଼, ସୋନପୁର, ବୌଦ୍ଧ, ନୂଆପଡ଼ା, ବଲାଙ୍ଗୀର, ନବରଙ୍ଗପୁର, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତ୍ସିଂହପୁର ଏବଂ ଢେଙ୍କାନାଳ ଜିଲାରେ ମଧ୍ୟ ଘଡ଼ଘଡ଼ି ସାଙ୍ଗକୁ ବର୍ଷା
ଓ ପବନ ବହିବା ନେଇ ୟେଲୋ ଓ୍ବାର୍ନିଂ ଦିଆଯାଇଛି।
ଅପରପକ୍ଷେ ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତ୍ସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ ଏବଂ ଗଜପତି ଜିଲାରେ ଖରା ସାଙ୍ଗକୁ ପ୍ରବଳ ଗରମ ଏବଂ ଗୁଳୁଗୁଳି ହେବା ନେଇ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।
ସୋମବାର ୧୪ଟି ସ୍ଥାନର ତାପମାତ୍ରା ୪୦ ଡିଗ୍ରୀ ଓ ତା’ଠାରୁ ଅଧିକ ରହିଥିଲା। ଟିଟିଲାଗଡ଼ରେ ସର୍ବାଧିକ ୪୨.୫ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଥିବାବେଳେ ଏହା ତଳକୁ ଝାରସୁଗୁଡା ୪୨.୪ ଓ ତାଳଚେର ୪୨ ଡିଗ୍ରୀ ରହିଥିଲା।
ସେହିପରି ଗତ ୨୪ ଘଣ୍ଟାରେ କନ୍ଧମାଳ ଜିଲା କୋଟଗଡ଼ରେ ସର୍ବାଧିକ ୫୩ ମି.ମି. ବର୍ଷା ରେକର୍ଡ କରାଯାଇଥିବାବେଳେ କେନ୍ଦୁଝର ଜିଲା ସ୍ବାମ ପାଟଣାରେ ୪୨.୬ ମି.ମି., ନବରଙ୍ଗପୁର ଡାବୁଗାଁରେ ୪୦.୨ ମି.ମି., ମୟୂରଭଞ୍ଜ କରଞ୍ଜିଆରେ ୩୨ ମି.ମି. ବର୍ଷା ହୋଇଥିଲା।