ରାତି ପାହିଲେ ଖୋଲିବ ସ୍କୁଲ, କାଳବୈଶାଖୀ ଯୋଗୁ ଉଡିଯାଇଛି ୩ ଶ୍ରେଣୀ ଗୃହ ଛପର; ଚିନ୍ତାରେ ବିଦ୍ୟାର୍ଥୀ

ତୁମୁଡିବନ୍ଧ, ୧୬।୬ (ଦିପକ କୁମାର ପରାସେଠ): କାଳବୈଶାଖୀର ସାଙ୍ଘାତିକ ପ୍ରଭାବ ଯୋଗୁ କନ୍ଧମାଳ ଜିଲା ତୁମୁଡିବନ୍ଧ ବ୍ଲକ ମାଲିପଡ଼ା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ (ୟୁପି ସ୍କୁଲ)ର ଶିକ୍ଷାଦାନ ବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇପଡ଼ିଛି। ଗତ ମେ’ ୩୦ ତାରିଖ ସନ୍ଧ୍ୟା ପ୍ରାୟ ୫.୩୦ମିନିଟରେ ଆସିଥିବା କାଳବୈଶାଖୀ ଝଡ଼ରେ ବିଦ୍ୟାଳୟର ତିନି ତିନିଟି ଶ୍ରେଣୀ ଗୃହର ଅଜବେଷ୍ଟସ ଛପର ସମ୍ପୂର୍ଣ୍ଣ ଉଡ଼ିଯାଇଛି। ଘଟଣାର ୧୮ ଦିନ ବିତିଯାଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ଗୃହଗୁଡ଼ିକର ମରାମତି ହୋଇପାରି ନାହିଁ। ଗ୍ରୀଷ୍ମ ଅବକାଶ (ଖରା ଛୁଟି) ସରି ଆସନ୍ତାକାଲିଠାରୁ ବିଦ୍ୟାଳୟ ଖୋଲୁଥିବା ବେଳେ ଏହାକୁ ନେଇ ବିଦ୍ୟାର୍ଥୀଙ୍କ ମଧ୍ୟରେ ଚିନ୍ତା ଓ ଅଭିଭାବକଙ୍କ ମଧ୍ୟରେ ପ୍ରବଳ ଅସନ୍ତୋଷ ପ୍ରକାଶ ପାଇଛି।

ସୂଚନା ଅନୁଯାୟୀ, ମାଲିପଡ଼ା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପ୍ରାୟ ୧୦୦ ଜଣ ଛାତ୍ରଛାତ୍ରୀ ପାଠ ପଢ଼ୁଛନ୍ତି। ସେମାନଙ୍କ ପାଇଁ ମାତ୍ର ୪ଟି ଶ୍ରେଣୀ ଗୃହ ରହିଥିବା ବେଳେ ସେଥିରୁ ୩ଟି ଏବେ ସମ୍ପୂର୍ଣ୍ଣ ବିପଦସଙ୍କୁଳ ଅବସ୍ଥାରେ ପଡ଼ିରହିଛି। ଏଭଳି ସ୍ଥିତିରେ ସ୍କୁଲ ଖୋଲିଲେ ମାତ୍ର ଗୋଟିଏ ଶ୍ରେଣୀ ଗୃହରେ ୧୦୦ ଜଣ ପିଲା କିପରି ବସି ପାଠ ପଢ଼ିବେ, ତାହା ଏବେ ଏକ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି।

ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନ ଶିକ୍ଷୟିତ୍ରୀ ବିଷ୍ଣୁପ୍ରିୟା ବେହେରା କହିଛନ୍ତି ଯେ, “କାଳବୈଶାଖୀ ଯୋଗୁଁ ୩ଟି ଶ୍ରେଣୀ ଗୃହର ଛପର ଉଡ଼ିଯିବା ସହ ଭିତରେ ଥିବା ଅନେକ ପଢ଼ା ସାମଗ୍ରୀ ମଧ୍ୟ କ୍ଷୟକ୍ଷତି ହୋଇଛି। ଏ ସମ୍ପର୍କରେ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କୁ ଲିଖିତ ଭାବେ ଜଣାଯାଇଛି। ଛୁଟି ସରି ସ୍କୁଲ ଖୋଲୁଥିଲେ ବି ମରାମତି ହୋଇନାହିଁ, ଗୋଟିଏ ରୁମ୍‌ରେ ଏତେ ପିଲାଙ୍କୁ ବସାଇ ପାଠ ପଢ଼ାଇବା ବଡ଼ ସମସ୍ୟା।” ତେଣୁ ସେ ତୁରନ୍ତ ସ୍କୁଲ ଗୃହର ମରାମତି ପାଇଁ ନିବେଦନ କରିଛନ୍ତି।

ଏହି ସମସ୍ୟା ବାବଦରେ ତୁମୁଡିବନ୍ଧ ଗୋଷ୍ଠୀ ଶିକ୍ଷା ଅଧିକାରୀ (BEO) ଗଣେଶ୍ୱର ପ୍ରଧାନଙ୍କୁ ପଚାରିବାରୁ ସେ କହିଛନ୍ତି ଯେ, ବିଦ୍ୟାଳୟର କ୍ଷୟକ୍ଷତି ସମ୍ପର୍କରେ ଜିଲ୍ଲା ଶିକ୍ଷା ଅଧିକାରୀ (DEO) ଏବଂ ତୁମୁଡିବନ୍ଧ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କୁ (BDO) ଅବଗତ କରାଯାଇଛି। ଛାତ୍ରଛାତ୍ରୀଙ୍କ ସୁରକ୍ଷା ଓ ଶିକ୍ଷାଦାନକୁ ଦୃଷ୍ଟିରେ ରଖି ତୁରନ୍ତ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରାଯିବ ବୋଲି ସେ ପ୍ରତିଶ୍ରୁତି ଦେଇଛନ୍ତି। ସ୍ଥାନୀୟ ଅଞ୍ଚଳବାସୀ ଓ ଅଭିଭାବକମାନେ ପିଲାଙ୍କ ଭବିଷ୍ୟତକୁ ଆଖିରେ ରଖି ଯୁଦ୍ଧକାଳୀନ ଭିତ୍ତିରେ ଏହି ମରାମତି କାର୍ଯ୍ୟ ଶେଷ କରିବାକୁ ଦାବି କରିଛନ୍ତି।

Dharitri – Odisha’s No.1 Odia Daily

Share