ସାତକୋଶିଆରେ କାହ୍ନା ଟିମ୍‌

ବନ୍ତଳା,୨୨ା୩(ଡି.ଏନ.ଏ.):ଅନୁଗୋଳ ଜିଲା ସାତକୋଶିଆ ବ୍ୟାଘ୍ର ପ୍ରକଳ୍ପର ଏନ୍‌କ୍ଲୋଜର ମଧ୍ୟରେ ଦୀର୍ଘ ଅଢ଼େଇବର୍ଷ ହେଲା ବନ୍ଦୀ ଜୀବନ କାଟୁଥିବା ବାଘୁଣୀ ସୁନ୍ଦରୀକୁ ମଧ୍ୟପ୍ରଦେଶର କାହ୍ନା ଅଭୟାରଣ୍ୟକୁ ଫେରାଇ ନିଆଯିବ। ରବିବାର କାହ୍ନା ଅଭୟାରଣ୍ୟର ଏକ ଟିମ୍‌ ସାତକୋଶିଆରେ ପହଞ୍ଚିବା ପରେ ଦୀର୍ଘଦିନର କଳ୍ପନା ଜଳ୍ପନାର ଅବସାନ ଘଟିଛି। ସୁନ୍ଦରୀକୁ ଫେରାଇବା ନେବା ପ୍ରସ୍ତୁତି ଆରମ୍ଭ ହୋଇଛି।
କାହ୍ନାରୁ ଆସିଥିବା ଏହି ଟିମ୍‌ରେ ଅତିରିକ୍ତ କ୍ଷେତ୍ର ନିର୍ଦ୍ଦେଶକ ତଥା ଏସିଏଫ୍‌ ଏସ.କେ. ସିହ୍ନା, ପ୍ରାଣୀ ବିଶେଷଜ୍ଞ ଡାକ୍ତର ସନ୍ଦୀପ ଅଗ୍ରୱାଲ, ଅନ୍ୟ ବିଶେଷଜ୍ଞ ଓ ୪ଜଣ ଡ୍ରାଇଭର ରହିଛନ୍ତି। ସକାଳେ ପହଞ୍ଚିଥିବା ସ୍ବତନ୍ତ୍ର ଗାଡ଼ିକୁ ରାଇଗୁଡା ରେଞ୍ଜ କାର୍ଯ୍ୟାଳୟ ଏନ୍‌କ୍ଲୋଜର ନିକଟରେ ରଖାଯାଇଛି। ଅନ୍ୟ ଗାଡ଼ିରେ ଆସିଥିବା ଟିମ୍‌ ସଦସ୍ୟମାନେ ଅନୁଗୋଳ ବନ ବିଭାଗ ଡାକବଙ୍ଗଳାକୁ ଯାଇଥିଲେ। ସେଠାରେ ଆଞ୍ଚଳିକ ମୁଖ୍ୟ ବନ ସଂରକ୍ଷକ ତଥା ସାତକୋଶିଆ କ୍ଷେତ୍ର ନିର୍ଦ୍ଦେଶକ (ଆର୍‌ସିସିଏଫ୍‌) ପ୍ରଦୀପ ରାଜ କରାଟେ, ସାତକୋଶିଆ ଡିଏଫ୍‌ଓ ରବି ମୀନା, ଏସିଏଫ୍‌ ଶୁଭେନ୍ଦୁ ବେହେରା, ସରୋଜ ପଣ୍ଡା, ସାତକୋଶିଆ ପ୍ରାଣୀ ବିଭାଗ ଡାକ୍ତର କିଶୋର କୁମାର ସାହୁ ପ୍ରମୁଖଙ୍କ ସହ ବୈଠକ କରିଥିଲେ। ବାଘୁଣୀର ସ୍ବାସ୍ଥ୍ୟ, ଖାଦ୍ୟ ଓ ଗତିବିଧି ଉପରେ ବୈଠକରେ ଆଲୋଚନା ହୋଇଥିଲା। ଅପରାହ୍ନରେ ଟିମ୍‌ ସଦସ୍ୟ ଓ ସାତକୋଶିଆ ଅଧିକାରୀମାନେ ବାଘୁଣୀ ସୁନ୍ଦରୀର ଏନ୍‌କ୍ଲୋଜର ନିକଟକୁ ଯାଇ ସ୍ବାସ୍ଥ୍ୟାବସ୍ଥା ନିରୀକ୍ଷଣ କରିଥିଲେ। ବିନା ଟ୍ରାଙ୍କୁଲାଇଜ୍‌ରେ କିପରି ସୁନ୍ଦରୀକୁ ନିଆଯାଇପାରିବ ସେ ନେଇ ଟିମ୍‌ ସଦସ୍ୟମାନେ ଯୋଜନା ପ୍ରସ୍ତୁତ କରୁଥିବା ବନ ବିଭାଗ ସୂତ୍ରରୁ ଜଣାପଡ଼ିଛି। ସେହିପରି ବାଘୁଣୀକୁ ଛାଡିବା ପାଇଁ ସାତକୋଶିଆ ଏସିଏଫ୍‌ ସରୋଜ ପଣ୍ଡା, ଡାକ୍ତର କିଶୋର ସାହୁଙ୍କ ସମେତ ୬ଜଣିଆ ଟିମ୍‌ ମଧ୍ୟପ୍ରଦେଶ ଯିବେ ବୋଲି ସୂଚନା ମିଳିଛି। ଆଞ୍ଚଳିକ ମୁଖ୍ୟ ବନ ସଂରକ୍ଷକ ତଥା ସାତକୋଶିଆ କ୍ଷେତ୍ର ନିର୍ଦ୍ଦେଶକ ପ୍ରଦୀପ ରାଜ କରାଟେ କହିଛନ୍ତି, କାହ୍ନାରୁ ଆସିଥିବା ୭ ଜଣିଆ ଟିମ୍‌ ପହଞ୍ଚିଛନ୍ତି। ତିନିଦିନ ସ୍ଥିତି ଅନୁଧ୍ୟାନ ପରେ ବାଘୁଣୀକୁ ନେବେ। ସାତକୋଶିଆରେ ବାଘବଂଶ ବୃଦ୍ଧି ଯୋଜନା ବର୍ତ୍ତମାନ ସ୍ଥଗିତ ରହିଛି। ଏନ୍‌ଟିସିଏ ନିର୍ଦ୍ଦେଶ ଦେଲେ ପୁନର୍ବାର ପ୍ରକ୍ରିୟା ଆରମ୍ଭ ହେବ ବୋଲି କ୍ଷେତ୍ର ନିର୍ଦ୍ଦେଶକ କରାଟେ ପ୍ରକାଶ କରିଛନ୍ତି।