Categories: ଖେଳ

ଦକ୍ଷିଣ ଆଫ୍ରିକା ଟେଷ୍ଟ ଦଳରେ ରବାଡା, ନର୍ଟଜେ

ଜୋହାନ୍ସବର୍ଗ,୭।୧୨: ଡିସେମ୍ବର ୨୬ ତାରିଖରୁ ଆରମ୍ଭ ହେବାକୁ ଯାଉଥିବା ଭାରତ ବିପକ୍ଷ ଘରୋଇ ୩ ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ ସିରିଜ ପାଇଁ ୨୧ ଜଣିଆ ଦଳ ଘୋଷଣା କରିଛି ଦକ୍ଷିଣ ଆଫ୍ରିକା। ଦଳରେ ସ୍ଥାନ ପାଇଛନ୍ତି ଦୁଇ ଘାତକ ପେସର କାଗିସୋ ରବାଡା ଓ ଅନରିଚ ନର୍ଟଜେ। ଗତ ନେଦରଲାଣ୍ଡ୍ସ ବିପକ୍ଷ ଦିନିକିଆ ସିରିଜରେ ଏହି ଦୁଇ ବୋଲରଙ୍କୁ ବିଶ୍ରାମ ଦିଆଯାଇଥିଲା। ନୂଆ ମୁହଁ ଭାବେ ଦ୍ରୁତ ବୋଲର ସିସାନ୍ଦା ମାଗାଲା ଓ ଉଇକେଟ କିପର ବ୍ୟାଟର ରିଆନ ରିକ୍‌ଲେଟନ ଦଳରେ ସ୍ଥାନ ପାଇଛନ୍ତି। ୨୦୧୯ରେ ଶେଷଥର ପାଇଁ ଟେଷ୍ଟ ଖେଳିଥିବା ଦ୍ରୁତ ବୋଲର ଡୁଆନ ଓଲିଭର ଦଳକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି। ଡିନ୍‌ ଏଲଗାର ଦକ୍ଷିଣ ଆଫ୍ରିକା ଦଳର ନେତୃତ୍ୱ ନେବେ।

କୋଭିଡ୍‌-୧୯ ନୂଆ ଭାରିଆଣ୍ଟ ଚିହ୍ନଟ ହେବାରୁ ପ୍ରଥମ ଟେଷ୍ଟକୁ ଗୋଟିଏ ସପ୍ତାହ ଘୁଞ୍ଚାଇ ଦିଆଯାଇଛି ଓ ଏହା ବକ୍ସିଂ ଡେ ଅର୍ଥାତ ଡିସେମ୍ବର ୨୬ ତାରିଖରୁ ଆରମ୍ଭ ହେବ। କୋଭିଡ୍‌ର ନୂଆ ଭାରିଆଣ୍ଟ ଚିହ୍ନଟ ହେବା ପରେ ଏହି ସିରିଜ ନେଇ ଆଶଙ୍କା ସୃଷ୍ଟି ହୋଇଥିଲା। ତେବେ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ଓ କ୍ରିକେଟ ସାଉଥ ଆଫ୍ରିକା (ସିଏସ୍‌ଏ) ମିଳିତ ଭାବେ କାର୍ଯ୍ୟ କରି ସିରିଜକୁ ଆଗକୁ ବଢାଇବାକୁ ନିଷ୍ପତ୍ତି ନେଇଥିଲେ। ଏ

ଏହି ୩ ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ ସିରିଜ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍‌ର ଅଂଶବିଶେଷ। ତେଣୁ ଏହି ଚାମ୍ପିୟନଶିପ୍‌ରେ ଦକ୍ଷିଣ ଆଫ୍ରିକା ମାଟିରେ ଭାରତ ତା’ର ପ୍ରଥମ ସିରିଜ ବିଜୟ ହାସଲ କରିବା ଲକ୍ଷ୍ୟରେ ରହିଛି। ପ୍ରଥମ ଟେଷ୍ଟ ସେଞ୍ଚୁରିୟନରେ ଖେଳାଯିବ। ସେହିପରି ଜାନୁୟାରୀ ୩ରେ ଜୋହାନ୍ସବର୍ଗରେ ଦ୍ୱିତୀୟ ଓ ୧୧ ତାରିଖରେ କେପ୍‌ ଟାଉନ୍‌ରେ ତୃତୀୟ ଟେଷ୍ଟ ଆରମ୍ଭ ହେବ। ଏହାପରେ ୩ ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ସିରିଜ ଖେଳାଯିବ। ମୂଳ କାର୍ଯ୍ୟସୂଚୀର ଅଂଶବିଶେଷ ଥିବା ୪ଟି ଟି୨୦ ପରେ ଆୟୋଜନ ହେବ ବୋଲି କୁହାଯାଇଛି। ପୁନଃନିର୍ଦ୍ଧାରିତ ଏହି ସିରିଜର କାର୍ଯ୍ୟସୂଚୀ ସୋମବାର ଘୋଷଣା କରାଯିବ।

ଦକ୍ଷିଣ ଆଫ୍ରିକା ଦଳ: ଡିନ୍‌ ଏଲଗାର (ଅଧିନାୟକ), ଟେମ୍ବା ବଭୁମା (ଉପ-ଅଧିନାୟକ), କ୍ୱିଣ୍ଟନ ଡିକକ୍‌ (ଉଇକେଟକିପର), କାଗିସୋ ରାବାଡା, ସାରେଲ ଏରଓ୍ବି, ବେଉରାନ ହେଣ୍ଡ୍ରିକ୍ସ, ଜର୍ଜ ଲିଣ୍ଡେ, କେଶବ ମହାରାଜ, ଲୁନ୍‌ଗି ଏନ୍‌ଗିଡି, ଏଡେନ ମାରାକ୍ରାମ, ଓ୍ବିଆନ ମୁଲ୍ଡର, ଅନରିଚ ନର୍ଟଜେ, କିଗାନ ପିଟରସନ, ରାସି ଭାନ ଡେର ଡୁସେନ, କାଏଲ ଭେରେଇନ୍‌, ମାର୍କୋ ଜାନସେନ, ଗ୍ଲେଣ୍ଟୋନ ଷ୍ଟୁରମ୍ୟାନ, ପ୍ରିନିଲାନ ସୁବ୍ରାୟେନ, ସିସାଣ୍ଡା ମାଗାଲା, ରିଆନ ରିକ୍ଲେଟନ ଓ ଡୁଆନ ଓଲିଭର।

Share