କାଳବୈଶାଖୀର କରାଳ ରୂପ: ଭାଙ୍ଗିଲା ୬ ପରିବାରର ଘର

ଟିକିରି,୧।୬ (ପ୍ରଫୁଲ୍ଲ କୁମାର ବେହେରା): ରାୟଗଡା ଜିଲା କାଶୀପୁର ବ୍ଲକ ଅନ୍ତର୍ଗତ ମୁନୁଷ ଗାଁ ପଞ୍ଚାୟତରେ ଶନିବାର ଅପରାହ୍ନରେ କାଳବୈଶାଖୀର ତାଣ୍ଡବ ଦେଖିବାକୁ ମିଳିଛି। କାଳବୈଶାଖୀ ପ୍ରଭାବରେ ବର୍ଷା ପବନ ଯୋଗୁ ସିଙ୍ଗର ଖ’ ଗ୍ରାମର ଗୋଟିଏ ସାହିର ପ୍ରାୟ ୫ଟି ପରିବାର ଘର ଭାଙ୍ଗିଯାଇଛି। ନବୀନ ନାୟକ, ଶଙ୍କର ନାଏକ, ଚିନ୍ତାମଣି ନାଏକ, ମୁକୁନ୍ଦ ମାଝୀ, ଧନୁର୍ଜୟ ନାଏକ ଓ ସୁମିତ୍ରା ନାଏକଙ୍କ ଘର ଭାଙ୍ଗି କ୍ଷତିଗ୍ରସ୍ତ ହୋଇଥିବା ଜଣାପଡିଛି। ନବୀନ ନାଏକଙ୍କ ଘର ସମ୍ପୂର୍ଣ ଭାବେ ଭାଙ୍ଗି ଯାଇଥିବାରୁ ଘରେ ବର୍ଷକ ପାଇଁ ଗଚ୍ଛିତ ଥିବା ଖାଦ୍ୟଶସ୍ୟ, ଧାନ, ଚାଉଳ, ମାଣ୍ଡିଆ, ମକା ଇତ୍ୟାଦି ପାଣିରେ ଭିଜି ସମ୍ପୂର୍ଣ୍ଣ ନଷ୍ଟ ହେଇଯାଇଛି। ସେହିପରି ନବୀନ ବହୁ ପରିଶ୍ରମ କରି ଘରେ ଦୋକାନ କରି କମ୍ପ୍ୟୁଟର, ଲାପଟପ, ପ୍ରିଣ୍ଟର ଓ ଜେରକ୍ସ ମେଶିନ କିଣି ବ୍ୟବସାୟ କରୁଥିଲେ । ବର୍ତ୍ତମାନ ନବୀନଙ୍କ ବେରୋଜଗାର ହୋଇପଡ଼ିଥିବା କହିଛନ୍ତି। ଏହିଭଳି ଗ୍ରାମରେ ଅନ୍ୟ ୫ଜଣ ପରିବାର ଲୋକଙ୍କ ଘର ମଧ୍ୟ ଭାଙ୍ଗିଯାଇଛି। ସମସ୍ତ କ୍ଷତିଗ୍ରସ୍ତ ପରିବାର ପକ୍ଷରୁ ତୁରନ୍ତ ସରକାରୀ ସହାୟତା ଯୋଗାଇ ଦେବାପାଇଁ ଗ୍ରାମବାସୀ ନିବେଦନ କରାଯାଇଛି ।

Dharitri – Odisha’s No.1 Odia Daily

Share