Categories: ଖେଳ

ଟୁଇଟରେ ଟ୍ରେଣ୍ଡ କରୁଛି #ଜଷ୍ଟିସ୍‌ଫରସଞ୍ଜୁ

ନୂଆଦିଲ୍ଲୀ,୧୧।୧୧: ଆସନ୍ତା ୧୭ ତାରିଖରୁ ନ୍ୟୁଜିଲାଣ୍ଡ ବିପକ୍ଷରେ ଆରମ୍ଭ ହେବାକୁ ଥିବା ୩ ମ୍ୟାଚ୍‌ ବିଶିଷ୍ଟ ଟି୨୦ ସିରିଜ୍‌ ଲାଗି ନିକଟରେ ଘୋଷିତ ହୋଇଥିଲା ୧୬ ଜଣିଆ ଭାରତୀୟ ଦଳ। ବିରାଟ କୋହଲି, ରବୀନ୍ଦ୍ର ଜାଡେଜା, ହାର୍ଦ୍ଦିକ ପାଣ୍ଡ୍ୟା, ଶାର୍ଦ୍ଦୁଳ ଠାକୁର ଓ ମହମ୍ମଦ ଶାମିଙ୍କ ଭଳି ବରିଷ୍ଠ ଖେଳାଳିଙ୍କୁ ବିଶ୍ରାମ ଦିଆଯାଇଛି। ଏମାନଙ୍କ ସ୍ଥାନରେ ଦଳରେ ସ୍ଥାନ ପାଇଛନ୍ତି ଅଲରାଉଣ୍ଡର ଭେଙ୍କଟେଶ ଆୟର, ପେସର ହର୍ଶଲ ପଟେଲ, ଅଭେଶ ଖାଁ, ମହମ୍ମଦ ସିରାଜ, ରୁତୁରାଜ ଗାଏକ୍ୱାଡ, ଦୀପକ ଚହର, ଶ୍ରେୟାସ ଆୟରଙ୍କ ଭଳି ଯୁବ ଖେଳାଳି। ପ୍ରାୟତଃ ଖେଳାଳିଙ୍କୁ ସେମାନଙ୍କ ଆଇପିଏଲ ପ୍ରଦର୍ଶନ ପାଇଁ ଦଳରେ ନିଆଯାଇଛି। କିନ୍ତୁ ଆଇପିଏଲ ଓ ସୟଦ ମୁସ୍ତାକ ଅଲି ଟି୨୦ ଇଭେଣ୍ଟରେ ଭଲ ପ୍ରଦର୍ଶନ କରିଥିବା ସଞ୍ଜୁ ସାମସନଙ୍କୁ ଦଳରେ ସ୍ଥାନ ନ ମିଳିନାହିଁ। ଏଥିଯୋଗୁ ପ୍ରତିଭାଶାଳୀ ବ୍ୟାଟ୍ସମ୍ୟାନଙ୍କ ସମର୍ଥନରେ ଓହ୍ଲାଇଛନ୍ତି କ୍ରିକେଟ ପ୍ରଶଂସକ। ସଞ୍ଜୁଙ୍କୁ ସୁଯୋଗ ନ ମିଳିବାରୁ ଟୁଇଟରରେ #ଜଷ୍ଟିସ୍‌ଫରସଞ୍ଜୁସାମସନ ଟ୍ରେଣ୍ଡିଂ ପାଲଟିଛି।

ପୂର୍ବରୁ ନିୟମିତ ପ୍ରଦର୍ଶନ କରିପାରୁ ନ ଥିବାରୁ ତାଙ୍କୁ ଖୁବ୍‌ କମ୍‌ ସୁଯୋଗ ମିଳୁଥିଲା। କିନ୍ତୁ ଚଳିତ ବର୍ଷ ରାଜସ୍ଥାନ ରୟାଲ୍ସ ଦଳର ଅଧିନାୟକ ହେବା ପରେ ସଞ୍ଜୁ ଦାୟିତ୍ୱବାନ ହୋଇ ଖେଳିବା ସହ ଦଳର ଆବଶ୍ୟକତା ଦେଖି ଚାହିଁ ବଡ଼ ଶଟ୍‌ ଖେଳିଥିଲେ। ଏହବାଦ୍‌ ଚଳିତ ସୟମ ମୁସ୍ତାକ ଅଲି ଟି୨୦ ଟୁର୍ନାମେଣ୍ଟରେ ଦୁଇଟି ଅର୍ଦ୍ଧଶତକ ଲଗାଇବା ପରେ ମଧ୍ୟ ତାଙ୍କୁ ଜାତୀୟ ଦଳରୁ ଅଣଦେଖା କରାଯାଇଛି।

ଜଣେ ପ୍ରଶଂସକ ଲେଖିଛନ୍ତି, ସଞ୍ଜୁ ଜାତୀୟ ଦଳରେ ସ୍ଥାନ ପାଇବା ପାଇଁ ହକ୍‌ଦାର। ଚିନ୍ତା କର ନାହିଁ। ସୂର୍ଯ୍ୟ ପୁଣିଥରେ ଉଇଁବ। ସେହିଭଳି ଅନେକ ପ୍ରଶଂସକ #ଜଷ୍ଟିସ୍‌ଫରସଞ୍ଜୁସାମସନ ଟ୍ୟାଗକୁ ବ୍ୟବହାର କରି ସଞ୍ଜୁଙ୍କ ପାଇଁ ଦୁଃଖ ପ୍ରକାଶ କରିଛନ୍ତି।

Share