ବ୍ରହ୍ମପୁର,୧୦ା୯(ସୁବାସ ଚନ୍ଦ୍ର ପାଢ଼ୀ): ଜଣେ ନବମ ଶ୍ରେଣୀ ଛାତ୍ରୀଙ୍କୁ ଅପହରଣ ଓ ବଳାତ୍କାର ମାମଲାରେ ବ୍ରହ୍ମପୁର ଫାଷ୍ଟଟ୍ରାକ୍ ପୋକସୋ କୋର୍ଟର ଜଜ୍ ରୋହିତ ଲାଲ ପଣ୍ଡା ଆଜି ଏକ ଗୁରୁତ୍ୱପୂର୍ଣ୍ଣ ଚୂଡ଼ାନ୍ତ ରାୟ ପ୍ରକାଶ କରିଛନ୍ତି। ଉପଯୁକ୍ତ ସାକ୍ଷ୍ୟ ଓ ପ୍ରମାଣ ଆଧାରରେ ଗୋପାଳପୁର ଥାନା ଅଞ୍ଚଳର ଅଭିଯୁକ୍ତ ସୁଶାନ୍ତ କୁମାର ସାହୁ ଓରଫ ଦିପୁନ ସାହୁ (୨୬)କୁ ଦୋଷୀ ସାବ୍ୟସ୍ତ କରାଯାଇଛି। କୋର୍ଟ ଅଭିଯୁକ୍ତକୁ ୨୦ ବର୍ଷର ସଶ୍ରମ କାରାଦଣ୍ଡ ସହ ୫୦ ହଜାର ଟଙ୍କା ଜରିମାନା ଆଦେଶ ଦେଇଛନ୍ତି। ଜରିମାନା ଅନାଦେୟ ଅଧିକ ୬ ମାସର ସଶ୍ରମ କାରାଦଣ୍ଡ ଭୋଗିବାକୁ ପଡ଼ିବ। ଏତଦ୍ବ୍ୟତୀତ ପୀଡ଼ିତାଙ୍କୁ ୫ ଲକ୍ଷ ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରିବାକୁ ଜିଲା ଆଇନସେବା ପ୍ରାଧିକରଣ ସଚିବଙ୍କୁ ଜଜ୍ ନିର୍ଦ୍ଦେଶ ଦେଇଛନ୍ତି।
ଘଟଣାବଳୀରୁ ପ୍ରକାଶ ଯେ, ୨୦୨୨ ଜୁନ୍ ୯ ତାରିଖ ଦିନ ଗୋପାଳପୁର ଥାନା ଅଞ୍ଚଳର ନବମ ଶ୍ରେଣୀ ଛାତ୍ରୀଜଣଙ୍କ ଟିଉସନ୍ରୁ ଘରକୁ ଫେରୁଥିବା ସମୟରେ ଅଭିଯୁକ୍ତ ସୁଶାନ୍ତ ତାଙ୍କୁ ଗାଡ଼ିରେ ବସାଇ ଅପହରଣ କରି ନେଇଥିଲେ। ଏନେଇ ନାବାଳିକାଙ୍କ ମା’ ଥାନାରେ ଅଭିଯୋଗ କରିବା ପରେ ପୋଲିସ୍ ମାମଲା (ନଂ ୧୧୦/୨୨) ରୁଜୁ କରି ତଦନ୍ତ ଆରମ୍ଭ କରିଥିଲେ।
ତଦନ୍ତ ପ୍ରକ୍ରିୟାରେ ପୋଲିସ୍ ମୋବାଇଲ୍ ଟ୍ରାକ୍ କରି ୨୦୨୨ ଅଗଷ୍ଟ ୨୭ ତାରିଖରେ ଆଇଜର (IISER) ନିକଟସ୍ଥ ଏକ ଭଡ଼ାଘରୁ ପୀଡ଼ିତାଙ୍କୁ ଉଦ୍ଧାର କରିବା ସହ ଅଭିଯୁକ୍ତକୁ ଗିରଫ କରିଥିଲେ। ପୋଲିସ୍ ଜେରା ସମୟରେ ଜଣାପଡ଼ିଥିଲା ଯେ ଅଭିଯୁକ୍ତ ନାବାଳିକାଙ୍କୁ ପ୍ରଥମେ ଆନ୍ଧ୍ରପ୍ରଦେଶ ନେଇ ରଖିଥିଲେ ଏବଂ ପରେ ସେଠାରୁ ଆସି ଆଇଜର ନିକଟରେ ରହୁଥିଲେ। ପୀଡ଼ିତାଙ୍କ ବୟାନ ଆଧାରରେ ତତ୍କାଳୀନ ତଦନ୍ତକାରୀ ଅଧିକାରୀ (SI) ସୋଫିଆ ମିଶ୍ର କୋର୍ଟରେ ଚାର୍ଜସିଟ୍ ଦାଖଲ କରିଥିଲେ।
ବିଚାରଣ ଚାଲିଥିବା ସମୟରେ ଅଭିଯୁକ୍ତ ଜାମିନ୍ରେ ଆସି କୋର୍ଟରେ ହାଜର ହୋଇନଥିଲା। ଏହାପରେ କୋର୍ଟ ତାଙ୍କ ବିରୋଧରେ ଜାମିନ୍ବିହୀନ ଗିରଫ ପରୱାନା (NBW) ଜାରି କରିଥିଲେ। ୱାରେଣ୍ଟ ଆଧାରରେ ପୋଲିସ୍ ଗତକାଲି ଅଭିଯୁକ୍ତକୁ ଗିରଫ କରି କୋର୍ଟଚାଲାଣ କରିଥିଲା।
ଏହି ମାମଲାର ବିଚାରଣା ସମୟରେ ମୋଟ ୮ ଜଣ ସାକ୍ଷୀଙ୍କ ବୟାନ ରେକର୍ଡ କରାଯାଇଥିଲା। ଆଜି ବିଚାରପତି ବ୍ରହ୍ମପୁର ମଣ୍ଡଳ କାରାଗାରରେ ଥିବା ଅଭିଯୁକ୍ତର ଉପସ୍ଥିତିରେ ଚାର୍ଜସିଟ୍ ଓ ସାକ୍ଷୀଙ୍କ ବୟାନକୁ ଭିତ୍ତି କରି ଏହି ଦଣ୍ଡାଦେଶ ଶୁଣାଇଛନ୍ତି। ସରକାରଙ୍କ ପକ୍ଷରୁ ସ୍ୱତନ୍ତ୍ର ପିପି ଡ. ଶିବ ପ୍ରସାଦ ମିଶ୍ର ମାମଲା ପରିଚାଳନା କରୁଥିଲେ।